ନୂଆଦିଲ୍ଲୀ,୧୩/୦୭; ରାଜେଶ ଶର୍ମା ବଲିଉଡ଼ ,ଓଟିଟି ଦୁନିଆର ସେହି କଳାକାରଙ୍କ ମଧ୍ୟରେ ଗଣା ହୁଅନ୍ତି ଯିଏ ପ୍ରତିଟି ଚରିତ୍ରକୁ ନିଖୁଣ ଭାବରେ ନିଭାଇଛନ୍ତି । ଇମୋସନାଲ ହେଉ କିମ୍ବା ନେଗେଟିଭ୍ ଯେକୌଣସି ଚରିତ୍ରରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନ କିଣିନିଅନ୍ତି ରାଜେଶ ଶର୍ମା । ହେଲେ ତାଙ୍କୁ ସଫଳତା ରାତାରାତି ମିଳିନାହିଁ । ଏଠାରେ ପହଞ୍ଚିବା ପାଇଁ ସେ ଲମ୍ବା ସଂଘର୍ଷ କରିଛନ୍ତି ।
ରାଜେଶ ଶର୍ମା ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ପିଲାଦିନ ଓ ପାଠପଢା କୋଲକାତାରେ ହୋଇଥିଲା । ପିଲିଟି ଦିନରୁ ହିଁ ତାଙ୍କର ଅଭିନୟ ପ୍ରତି ରୁଚି ଥିଲା । ସ୍ବପ୍ନ ପୁରା କରିବାକୁ ତାଙ୍କୁ ଅନେକ ଛୋଟ ମୋଟ କାମ କରିବାକୁ ପଡ଼ିଛି । ରିପୋର୍ଟ ଅନୁସାରେ ପରିବାର ପ୍ରତିପୋଷଣ ପାଇଁ ତାଙ୍କୁ ଟ୍ୟାକ୍ସିବି ଚଲେଇବାକୁ ପଡ଼ିଥିଲା । ହେଲେ ସେ କେବେବି ଥିଏଟର କରିବା ଛାଡ଼ି ନଥିଲେ । ପରେ ସେ ନେସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ଅଭିନୟର ତାଲିମେ ନେଇଥିଲେ । ଥିଏଟରରେ ମିଳିଥିବା ଶିକ୍ଷା ଆଗକୁ ଯାଇ ତାଙ୍କର ବଡ଼ ଶକ୍ତି ହେଲା । ୧୯୯୬ ମସିହାରେ ପ୍ରସିଦ୍ଧ ଫିଲ୍ମ ନିର୍ମତା ଗୁଲଜାରଙ୍କ ଫିଲ୍ମ ମାଚିସ୍ ରୁ ବଲିଉଡ଼ରେ ଡେବ୍ୟୁ କଲେ ରାଜେଶ ଶର୍ମା । ଫିଲ୍ମର ଚର୍ଚ୍ଚା ତ ସବୁଠି ହେଲା କିନ୍ତୁ ତାଙ୍କୁ କୌଣସି ସ୍ବତନ୍ତ୍ର ପରିଚୟ ମିଳିପାରି ନଥିଲା । କାମ କମ୍ ମିଳୁଥିବା ବେଳେ ଆର୍ଥିକ ପରିସ୍ଥିତି ବିଗିଡି ଯାଇଥିଲା । ତେଣୁ ସେ ପୁଣି କଲିକତା ଫେରି ଯାଇ ସେଠାରେ ବଙ୍ଗାଳି ସିନେମା ଓ ଟିଭିରେ ଲଗାତାର କାମ କଲେ ।
ଧୀରେ ଧୀରେ ତାଙ୍କ ପରିଶ୍ରମ ପରିଣାମ ଆଣିଲା ଓ ସେ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କଲେ । ରାଜେଶ ଶର୍ମା ନିଜ କ୍ୟାରିୟରରେ ନିଖୁଣ ଅଭିନୟ କରି ଅନେକ ଛାପ ଛାଡି଼ଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଖୋସଲା କା ଘୋସଲା,ଦି ଡାର୍ଟି ପିକଚର୍, ତନୁ ୱେଡସ୍ ମନୁ ରିଟର୍ଣ୍ଣସ୍,ବଜରଙ୍ଗୀ ଭାଇଜାନ୍,ଏମ୍.ଏସ୍.ଧୋନି ଦି ଅନଟୋଲ୍ଡ ଷ୍ଟୋରୀ,ଟଏଲେଟ୍ । ହୋଇପାରେ ସେ ଲିଡ୍ ରୋଲରେ ଖୁବ୍ କମ୍ ନଜର ଆସନ୍ତି କିନ୍ତୁ ତାଙ୍କର ପ୍ରତିଟି ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼େ ।
ରାଜେଶ ଶର୍ମା ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ମିଡ଼ିଆ ଠାରୁ ଦୂରରେ ରଖନ୍ତି । ତାଙ୍କର ପ୍ରଥମ ବିବାହ ବଙ୍ଗୀୟ ଅଭିନେତ୍ରୀ ସୁଦିପ୍ତା ଚକ୍ରବର୍ତ୍ତିଙ୍କ ସହ ହୋଇଥିଲା । ୨୦୦୯ରେ ଉଭୟଙ୍କର ଡିଭୋର୍ସ ହୋଇଥିଲା । ପରେ ସେ ୨୦୧୧ରେ ସଙ୍ଗୀତା ଶର୍ମାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ସେ ମଧ୍ୟ ଲାଇମ୍ ଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ।ଏବେ ଏବେ ତାଙ୍କୁ ନେଇ ଖବର ଆସିଛି । କୌଣସି ଏକ ବିଷାକ୍ତ କୀଟ କାମୁଡିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଫଳରେ ତାଙ୍କୁ ପଶ୍ଚିମବଙ୍ଗର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଅଲ୍ ଇଣ୍ଡିଆ ସିନେ ୱାର୍କସ ଆସେସିଏସନ୍ ପକ୍ଷରୁ ତୁରନ୍ତ ଯାଞ୍ଚ ପାଇଁ ଦାବି ହେଉଛି ।