ଫିରିଙ୍ଗିଆ ,୨୨/୫: ଏବେ ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକେ ଗରରମରେ ଆଉଟ ପାଉଟ ହେଉଛନ୍ତି। ଏହି ସମୟରେ ଜଳ କଷ୍ଟ ଜନଜୀବନକୁ ଆହୁରି ବ୍ୟଥିତ କରିଛି। ଗୋଟିଏ ଦିନ ନୁହେଁ, ଦୀର୍ଘ ୫ ଦିନ ଧରି ପାନୀୟ ଜଳ ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଦୃଶ୍ୟ ଫୁଲବାଣୀ ବ୍ଲକ କଟ୍ରିଙ୍ଗିଆ ପଂଚାୟତରେ ଦେଖିବାକୁ ମିଳିଛି।
କଟ୍ରିଙ୍ଗିଆ ପଂଚାୟତର ୧୩ ନଂ ୱାର୍ଡ ନାକୁଡିସରୁ ସାହିକୁ ଆଜିକୁ ୫ ଦିନ ହେବ ବସୁଧା ଯୋଜନାରେ ପାନୀୟ ଜଳ ବନ୍ଦ ରହିଥିଲା। ଏସବୁ ଅଂଚଳ ଜଳକ୍ଲିଷ୍ଟ ଭାବେ ପରିଚିତ। ଗ୍ରାମରେ ୫୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। ପାନୀୟ ଜଳ ବନ୍ଦ ହୋଇ ଯିବାରୁ ଲୋକେ ଏ ନେଇ ସରପଂଚ, ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ। ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ କଟ୍ରିଙ୍ଗିଆ ଛକ ପାଖରେ ଫୁଲବାଣୀ-ଗୋଚ୍ଛାପଡା ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହେବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଏହାପରେ ୱାର୍ଡ ମେମ୍ବର ଫୋନ ଯୋଗେ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ତୁରନ୍ତ ଆମେ ଯାଇ ସମସ୍ୟାର ସମାଧାନ କରିବୁ ବୋଲି ଯନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ। ଯନ୍ତ୍ରୀଙ୍କ ତତ୍ୱାବଧାନରେ ଏକ ଟିମ ଆସି ଅଚଳ ହୋଇଥିବା ମୋଟରକୁ ସଜାଡି ଥିଲେ। ଏହାପରେ ଗ୍ରାମକୁ ପାନୀୟ ଜଳ ଯୋଗାଣ ସ୍ୱଭାବିକ ହୋଇଥିଲା।