ଭୁବନେଶ୍ୱର, ୦୨/୦୩: ମଶା ମାରିବାକୁ କୋଟିଏ ଟଙ୍କା ଉଡ଼ାଇଲେ । ଖୋଜି ଖୋଜି ମଶା ବସାରେ ତେଲ ପକାଇଲେ । ହେଲେ ମଶାଙ୍କ ସାନ୍ଦ୍ରତା କମିବା ପରିବର୍ତ୍ତେ ଏବେ ବଢ଼ିଲାଣି । ମଶା କାମୁଡ଼ାରେ ଲୋକେ କଲବଲ ହେଲେଣି । ମଶା ତେଲ କିଣିବା ଟଙ୍କା ପାଣିରେ ପଡ଼ିଲା

ରାଜଧାନୀରେ ମଶା ନିପାତ ପାଇଁ  ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ  ଅଧିକ ମୂଲ୍ୟର ମଶାତେଲ  କିଣାଗଲାଣି । ମିଳିଥିବା ସୂଚନା ଅନୁଯାୟୀ କେବଳ ମଶାତେଲ  ବାବଦରେ ଭୁବନେଶ୍ୱର  ମହାନଗର ନିଗମ ଏବଂ ସ୍ୱାସ୍ଥ୍ୟ  ବିଭାଗ ୨୦୨୪ ବର୍ଷରେ ୧  କୋଟି ୧୬ଲକ୍ଷ ୮୮ ହଜାର ୧୨୬ ଟଙ୍କା ଖର୍ଚ୍ଚ  କରିଛି । ଏହା ସମଗ୍ର ରାଜ୍ୟରେ ଥିବା ପୌରାଞ୍ଚଳ  ମଧ୍ୟରେ ସର୍ବାଧିକ । ସହରରେ ଏବେ ବିଭିନ୍ନ  ସ୍ଥାନରେ ମଶାଙ୍କ ସାନ୍ଦ୍ରତା ଢେର ଅଧିକ ରହୁଛି  ା ଗ୍ରୀଷ୍ମ ଲହରି ଆରମ୍ଭ ହୋଇଥିଲେ ମଧ୍ୟ  ସନ୍ଧ୍ୟାରେ ଖୋଲା ସ୍ଥାନରେ ଛିଡ଼ାହେବା କଷ୍ଟକର ହୋଇପଡୁଛି । ବିଏମ୍‌ସିର ୬୭ଟି ୱାର୍ଡରେ  ମଶାତେଲ ସିଞ୍ଚନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ  ନଥିବା ଓ ମଶାଧୂଆଁ ଛାଡ଼ିବା ପାଇଁ ଆବଶ୍ୟକ  ଯନ୍ତ୍ରପାତି ନଥିବାବେଳେ କୋଟିଏ ଟଙ୍କାରୁ  ଅଧିକ ମୂଲ୍ୟର ମଶାତେଲ ବର୍ଷକ ମଧ୍ୟରେ  କିଭଳି ବ୍ୟବହାର ହେଲା ତାହା ସାଧାରଣରେ  ପ୍ରଶ୍ନବାଚୀ ସୃଷ୍ଟି କରିଛି ।