ବ୍ରହ୍ମପୁର, ୧୫/୭ : ଯୁବକଙ୍କୁ ବିଭତ୍ସ ହତ୍ୟା। ହାତ, ଗୋଡ଼ ବାନ୍ଧି ଯୌନାଙ୍ଗ କାଟି ଫିଙ୍ଗିଦେଲେ ଦୁର୍ବୃତ୍ତ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଖେଳ ପଡିଆ ଆଗରୁ ଯୁବକଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର। ମିଳୁନି ପରିଚୟ। ଖବର ପାଇ ଘଟଣାସ୍ଥଳରେ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ସୂଚନାନୁଯାୟୀ, ଏମକେସିଜି ମେଡିକାଲ କଲେଜ ଖେଳ ପଡିଆ ଆଗରୁ ଜଣେ ଯୁବକଙ୍କ ଦରପୋଡ଼ା ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କ ହାତ, ଗୋଡ଼ ବାନ୍ଧି ଯୌନାଙ୍ଗ କାଟି ଦିଆଯାଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟା ବୋଲି ଜଣାପଡ଼ୁଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ତେବେ ଯୁବକଙ୍କ ବୟସ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ପରିଚୟ ଅସ୍ପଷ୍ଟ ଥିବାରୁ ଶବକୁ ସଂରକ୍ଷିତ ଗୃହରେ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ବୋଲି ଆଇଆଇସି ପରିଡ଼ା କହିଛନ୍ତି। ତେବେ ସେହି ରାସ୍ତା ଦେଇ ବହୁ ଲୋକ ନିୟମିତ ଯାତାୟାତ କରୁଛନ୍ତି। ମେଡିକାଲ ପଡିଆରୁ ଭାବାନଗରକୁ ସେହି ରାସ୍ତା ସଂଯୋଗ କରୁଛି। ଶବ ପଡିଥିବା ଜାଗା ପାର୍ଶ୍ଵରେ କ୍ୟାନ୍ସର ବିଭାଗ କୋଠା ନିର୍ମାଣ ଚାଲିଛି। ତେଣୁ ସେଠାରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସେହି ଜାଗାରେ କିଛି ନିର୍ଦ୍ଧିଷ୍ଟ ଲୋକ ଆଡ୍ଡା ଜମାଉଛନ୍ତି। ସେମାନଙ୍କ ଉପରେ ପୁଲିସ ସନ୍ଦେହ କରୁଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ବେଳେ ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ମେଡିକାଲ କ୍ୟାମ୍ପସ୍ ଏକ ସୁରକ୍ଷିତ ଜାଗା କୁହାଯାଉଥିବା ବେଳେ ଏଭଳି ଏକ ହତ୍ୟାକାଣ୍ଡ ପରେ ବିଦ୍ୟାର୍ଥୀମାନେ ଭୟଭୀତ ହୋଇଛନ୍ତି। ଦୁଇମାସ ପୂର୍ବରୁ ବ୍ରହ୍ମପୁର ଜେଲ୍ ନିକଟରେ ଜଣେ ବଙ୍ଗୀୟ ଯୁବକଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିଲେ। ସଂପୃକ୍ତ ମାମଲାରେ ପୁଲିସ କାହାକୁ ଗିରଫ କରିନଥିବା ବେଳେ ପୁଣି ଏକ ହତ୍ୟାକାଣ୍ଡ ଚିନ୍ତାର କାରଣ ହୋଇଛି।