ନୂଆଦିଲ୍ଲୀ: ବିହାରର ସମସ୍ତିପୁରରେ ଏକ କାରଖାନାର ବଏଲର ବିସ୍ଫୋରଣ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୈନି ଥାନା ଅଞ୍ଚଳରେ ଥିବା ଏକ ଆଲୁମିନିୟମ କାରଖାନାରେ ବଏଲର ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି । 

ବଏଲର ବିସ୍ଫୋରଣ ପରେ କମ୍ପାନୀର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖାଯାଉଛି ଯେ ବଏଲର ବିସ୍ଫୋରଣ ହୋଇଥିବା ସ୍ଥାନଟି ଅତ୍ୟନ୍ତ ଭାଙ୍ଗିରୁଜି ଯାଇଛି । କିଛି ଲୋକ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଲୋକଙ୍କୁ ଉଦ୍ଧାର କରାଯାଉଛି। ଏପର୍ଯ୍ୟନ୍ତ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କର ଚିକିତ୍ସା ଚାଲିଛି।

ପୂର୍ବରୁ ଡିସେମ୍ବର ୨୦୨୧ରେ, ବିହାରର ମୁଜାଫରପୁରର ଏକ କାରଖାନାରେ ବଏଲର ବିସ୍ଫୋରଣ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ଅନ୍ୟ ୭ ଜଣ ଆହତ ହୋଇଥିଲେ । ସେହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶିଳ୍ପ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଥିଲେ।