ନୂଆଦିଲ୍ଲୀ, ୩୦।୪: ବିଶ୍ୱ ଅର୍ଥନୀତି ପାଇଁ ଆଜିର ଦିନଟି ଏକ ବଡ଼ ଝଟକା ନେଇ ଆସିଛି । ନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍‌ର ମୂଲ୍ୟରେ ନିଆଁ ଲାଗିଛି । ବ୍ରେଣ୍ଟ କ୍ରୁଡ୍‌ର ମୂଲ୍ୟ ହଠାତ୍ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୨୦ ଡଲାର ଅତିକ୍ରମ କରିଛି । ଗୁରୁବାର ସକାଳେ ଏଥିରେ ୩ ଡଲାରର ବୃଦ୍ଧି ଘଟି ମୂଲ୍ୟ ୧୨୦ ରୁ ୧୨୨ ଡଲାର ମଧ୍ୟରେ କାରବାର କରୁଛି, ଯାହା ଗତ କିଛି ମାସର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ବଢ଼ୁଛି ତୈଳ ଦର ? ତୈଳ ଦର ବଢ଼ିବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା । ଉଭୟ ଦେଶ ନିଜ ନିଜ ଜିଦ୍‌ରେ ଅଟଳ ରହିବା ଫଳରେ ଖାଡ଼ି ଦେଶଗୁଡ଼ିକରେ ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । 

ଆମେରିକାର କଠୋର ଆଭିମୁଖ୍ୟ: ଟ୍ରମ୍ପ ପ୍ରଶାସନ ଇରାନ ଉପରେ କଟକଣା କୋହଳ କରିବାକୁ ପ୍ରସ୍ତୁତ ନଥିବାବେଳେ, ଇରାନ ମଧ୍ୟ ନଇଁବାକୁ ନାରାଜ ।

ଓପେକ୍ (OPEC)ରେ ଫାଟ: ୟୁଏଇ ଓପେକ୍ ପ୍ଲସ୍ ସଂଗଠନ ଛାଡ଼ିବା ନେଇ ସଙ୍କେତ ଦେବା ପରେ ବଜାରରେ ଅନିଶ୍ଚିତତା ବଢ଼ିଯାଇଛି ।

ଫେଡ୍ ରିଜର୍ଭ: ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ ଫେଡ୍ ରିଜର୍ଭ ସୁଧ ହାରକୁ ୩.୫%ରୁ ୩.୭୫% ମଧ୍ୟରେ ସ୍ଥିର ରଖିଛି, ଯାହା ନିବେଶକଙ୍କ ମଧ୍ୟରେ ଆଫରା-ତାଫରା ସୃଷ୍ଟି କରିଛି ।

'ହୋର୍ମୁଜ ପ୍ରଣାଳୀ' ଅବରୋଧର ଭୟ:

ସବୁଠାରୁ ବଡ଼ ସଙ୍କଟ ହେଉଛି ଯୋଗାଣ ବାଧାପ୍ରାପ୍ତ ହେବାର ଭୟ । ଇରାନ ଚେତାବନୀ ଦେଇଛି ଯେ ଯଦି ଆମେରିକା ତାର ଘେରାବନ୍ଦୀ ଜାରି ରଖେ, ତେବେ ସେ 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ' ଦେଇ ଯାଉଥିବା ତୈଳ ଜାହାଜଗୁଡ଼ିକୁ ଅଟକାଇବ । ସୂଚନାଯୋଗ୍ୟ ଯେ, ବିଶ୍ୱର ଏକ ବଡ଼ ଭାଗ ତୈଳ ରପ୍ତାନି ଏହି ରାସ୍ତା ଦେଇ ହୋଇଥାଏ । ଯଦି ଏହି ଯୋଗାଣ ଶୃଙ୍ଖଳା ବନ୍ଦ ହୁଏ, ତେବେ ତୈଳ ଦର ଆହୁରି ଭୟଙ୍କର ଭାବେ ବଢ଼ିପାରେ ।

ଭାରତୀୟ ଅର୍ଥନୀତି ଓ ପକେଟ୍ ଉପରେ ପ୍ରଭାବ:

କ୍ରୁଡ୍ ଅଏଲ୍ ମହଙ୍ଗା ହେବା ଭାରତ ପାଇଁ ଦୁଇଟି ଦିଗରୁ ବିପଦଜନକ । ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୦% ତେଲ ଆମଦାନୀ କରିଥାଏ । ୧୨୦ ଡଲାର ଉପରେ କ୍ରୁଡ୍ ରହିଲେ ତୈଳ କମ୍ପାନୀଗୁଡ଼ିକର କ୍ଷତି ବଢ଼ିବ, ଯାହାର ପରିଣାମ ସ୍ୱରୂପ ଖୁବଶୀଘ୍ର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ । ଡିଜେଲ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ, ଯାହା ଫଳରେ ଫଳ, ପନିପରିବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ଆକାଶଛୁଆଁ ହେବ । ତେଲ କିଣିବା ପାଇଁ ଭାରତକୁ ଅଧିକ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ, ଯାହା ଦ୍ୱାରା ଚାଲୁ ଖାତା ନିଅଣ୍ଟ (CAD) ବଢ଼ିବ ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ପକ୍ଷରୁ ମୂଲ୍ୟ ବୃଦ୍ଧି ନେଇ କୌଣସି ଆଧିକାରିକ ବୟାନ ଆସିନାହିଁ । କିନ୍ତୁ ବିଶେଷଜ୍ଞଙ୍କ ମତରେ, ଯଦି ଅନ୍ତର୍ଜାତୀୟ ବଜାରରେ ଏହି ସ୍ଥିତି ଜାରି ରହେ, ତେବେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିପାରେ ।

ଆହୁରି ପଢ଼ନ୍ତୁ... RBI Credit Card Rules: କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଆରବିଆଇର ବଡ଼ ଆଶ୍ୱସ୍ତି, ବିଳମ୍ବ ହେଲେ ବି କଟିବନି ଟଙ୍କା