ପୁରୀ, ୦୪/୦୬: ପୁରୀରେ ବ୍ରିକ୍ସ ଦେଶ ସମ୍ମିଳନୀ । ଆସାନ୍ତାକାଲି ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ଭାରତ ସମେତ ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ଏଥିରେ ସାମିଲ୍ ହୋଇଛନ୍ତି । ତେବେ ଆଜି ଦ୍ବିତୀୟ ଦିନରେ ଏଥିରେ ଯୋଗଦେଇ ବିପର୍ଯ୍ୟୟ ଆଶଙ୍କା ହ୍ରାସ ଗ୍ରୁପର ବୈଷୟିକ ବୈଠକକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇବା ସହ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବଢୁଥିବା ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅନ୍ତର୍ଜାତୀୟ ଓ ଆନ୍ତଃ-ରାଜ୍ୟ ସହଯୋଗ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି ।

ବ୍ରିକ୍ସ ସଦସ୍ୟ ପ୍ରତିନିଧିଙ୍କୁ ସ୍ବଗତ:

ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି, ବିଶେଷଜ୍ଞ ଏବଂ ସଦସ୍ୟମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀକୁ ବିଶ୍ୱସ୍ତରୀୟ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପ୍ରୟାସକୁ ଆଗକୁ ନେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ ବର୍ଣ୍ଣନା କରିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ବୈଠକର ମୂଳ ବିଷୟବସ୍ତୁ ହେଉଛି ବିପର୍ଯ୍ୟୟ ପରିଚାଳନାରେ “ପ୍ରତିରୋଧ, ଅଭିନବତ୍ବ, ସହଯୋଗ ଏବଂ ସ୍ଥାୟୀ ବିକାଶ ପାଇଁ ପ୍ରସ୍ତୁତି” । ଜୀବନ, ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ମୋହନ ମାଝୀ କହିଛନ୍ତି ।

“ଶୂନ୍ୟ ମୃତ୍ୟୁ ହାର” ନୀତି:

ଏହି ଅଧିବେଶନକୁ ସମ୍ବୋଧିତ କରି ସିଏମ୍ କହିଛନ୍ତି ଯେ ବିପର୍ଯ୍ୟୟ ଆଶଙ୍କା ହ୍ରାସ ଏବେ କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ବରଂ ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ଜଳବାୟୁ ପରିବର୍ତ୍ତନ, ଦ୍ରୁତ ସହରୀକରଣ ଏବଂ ପରିବେଶର ଅବକ୍ଷୟ ଯୋଗୁଁ ସାରା ବିଶ୍ୱରେ ବାରମ୍ବାର ବିପର୍ଯ୍ୟୟ ହେବା ସହିତ ଏହାର ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି । ଏଥିପାଇଁ ଦୃଢ଼ ପ୍ରସ୍ତୁତି ଏବଂ ସମନ୍ୱିତ ପଦକ୍ଷେପ ଆବଶ୍ୟକ । ଏହା ସହିତ ମୁଖ୍ୟମନ୍ତ୍ରୀ ସମଗ୍ର ବିଶ୍ୱ ଦ୍ବାରା ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ବିପର୍ଯ୍ୟୟ ପରିଚାଳନା ମଡେଲ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଆମର ବିପର୍ଯ୍ୟୟ ପରିଚାଳନା ମଡେଲ “ଶୂନ୍ୟ ମୃତ୍ୟୁ ହାର” ର ନୀତି ଉପରେ ଆଧାରିତ । ପ୍ରମାଣ-ଆଧାରିତ ଯୋଜନା, ସୁଦୂରପ୍ରସାରୀ ଆଗୁଆ ସୂଚନା ପ୍ରଣାଳୀ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି, ବିଭିନ୍ନ ସଂସ୍ଥାର କ୍ଷମତା ବୃଦ୍ଧି ଏବଂ ସମାବେଶୀ ଶାସନ ବ୍ୟବସ୍ଥା ମାଧ୍ୟମରେ ଓଡିଶା ନିଜର ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥାକୁ କ୍ରମାଗତ ଭାବରେ ସୁଦୃଢ଼ କରୁଛି । ବାତ୍ୟା, ଗ୍ରୀଷ୍ମ ପ୍ରବାହ, ବଜ୍ରପାତ, ଉପକୂଳ କ୍ଷୟ ଏବଂ ଜଳବାୟୁ ପ୍ରେରିତ ସହରୀ କରଣ ପ୍ରତି ଓଡ଼ିଶାର ଆଶଙ୍କା ବିଷୟରେ ଉଲ୍ଲେଖ କରି ମୋହନ ମାଝୀ ପ୍ରତିରୋଧ-ନିର୍ମାଣ ପଦକ୍ଷେପଗୁଡ଼ିକରେ ନିରନ୍ତର ନୂତନ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ପୂର୍ବ ପ୍ରସ୍ତୁତିରେ ହ୍ରାସ ହେଇପାରିବ ବିପଦ:

ସେ କହିଛନ୍ତି, “ପୂର୍ବ ପ୍ରସ୍ତୁତି, ଦୃଢ଼ ଅନୁଷ୍ଠାନ ଏବଂ କମ୍ୟୁନିଟି ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇ ପାରିବ। ତେବେ, ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଆହୁରି ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି।” ଭାରତର ବିକାଶ ଏଜେଣ୍ଡାର କେନ୍ଦ୍ରବିନ୍ଦୁରେ ବିପର୍ଯ୍ୟୟ ଆଶଙ୍କା ହ୍ରାସକୁ ସ୍ଥାନିତ କରିଥିବାରୁ ସିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ବିପର୍ଯ୍ୟୟ ଆଶଙ୍କା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦଶ-ଦଫା କାର୍ଯ୍ୟସୂଚୀ ଏକ ବିସ୍ତୃତ ରୂପରେଖ ପ୍ରଦାନ କରିଛି । ଏହା ପ୍ରତିରୋଧ, ପ୍ରସ୍ତୁତି, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ, ଆଶଙ୍କା-ଭିତ୍ତିକ ବିକାଶ ଏବଂ ଅନ୍ତର୍ଜାତୀୟ ସହଯୋଗ ଉପରେ କେନ୍ଦ୍ରୀଭୂତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । 
ଅଧିକ ପଢନ୍ତୁ- 
BJP victory Odisha : ଓଡ଼ିଶାରେ ବିଜେପି ବିଜୟର ଦୁଇ ବର୍ଷ ପୂର୍ତ୍ତି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ​​​​​​​