ନାମ୍ପୋ, ୧୦/୩ : ପରକୀୟା ପ୍ରୀତିର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଶାଳୀ-ଭିଣୋଇ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ସହରରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅପମୃତ୍ୟୁ ରୁଜୁ କରି ତଦନ୍ତ ଜାରି ରଖିଛି। 

ସୂଚନା ଅନୁଯାୟୀ, ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ରହୁଥିବା ରାଜପୁର ଅଞ୍ଚଳର ବିଜୟ କୁମାର ସାହୁ(୩୪ ବର୍ଷ)ଙ୍କର ବାଲିଆପାଳ ଥାନା ଅନ୍ତର୍ଗତ କଚୁପଡା ଗ୍ରାମର ୧୭ ବର୍ଷର ନାବାଳିକା ଶାଳୀ ସହିତ ଅନୈତିକ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ଗ୍ରହଣ କରୁ ନଥିଲେ। ଫଳରେ ଅନ୍ୟ ଉପାୟ ନପାଇ ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଉଭୟ ଶାଳୀ-ଭିଣୋଇ ଜଳେଶ୍ଵର-ରାଜଘାଟ ଷ୍ଟେସନ ମଧ୍ୟବର୍ତ୍ତୀ ଅପଲାଇନରେ ଖଡ଼ଗପୁରରୁ ଯାଜପୁର ରୋଡ ଅଭିମୁଖେ ଯାଉଥିବା ଏକ୍ସପ୍ରେସ୍ ଟ୍ରେନ ସମ୍ମୁଖକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବାଲେଶ୍ୱର ରେଳବାଇ ଥାନା ଏ.ଏସ.ଆଇ ଆସଲମ୍ ଖାଁ, ହେଡ୍ କନେଷ୍ଟବଲ୍ ଜ୍ୟୋତି ରଞ୍ଜନ ପାଢ଼ୀ ଓ ବୈଦ୍ୟନାଥ ହାଁସଦା ଶବ ଦୁଇଟିକୁ ଉଦ୍ଧାର କରିବା ପରେ ଆଜି ବାଲେଶ୍ୱରକୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ଦୁଇଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବରୁ ମୃତ ବିଜୟଙ୍କ ପିତା କାଲୁ ମଧ୍ୟ ସେହି ରେଳ ଧାରଣା ନିକଟରେ ବଡ଼ ପୁଅକୁ ବଞ୍ଚାଇବାକୁ ଯାଇ ଟ୍ରେନ୍ ଧକ୍କାରେ ମୃତ୍ୟବରଣ କରିଥିଲେ। ମୃତ ବିଜୟଙ୍କ ଧର୍ମପତ୍ନୀ ଓ ୪ ବର୍ଷର ଏକ କନ୍ୟା ମଧ୍ୟ ଅଛନ୍ତି।

ଏହି ଖବରଟିକୁ ପଢନ୍ତୁ- ଗୁଳି କରି ସ୍ତ୍ରୀକୁ ହତ୍ୟା କଲେ ଯୁବକ, ଅଭିଯୁକ୍ତ ଅଟକ