ଧର୍ମଶାଳା, ୨୧।୫: ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ହେବ । ରାଜ୍ୟରେ ଖାଲି ପଡ଼ିଥିବା ସରପଞ୍ଚ ଓ ଓ୍ବାର୍ଡ ସଭ୍ୟ ପାଇଁ ମତଦାନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ପତ୍ର ସଂଖ୍ୟା ୧୩୬୯, ତା ୩୦.୦୫.୨୦୨୫ ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି କ୍ରମରେ ଧର୍ମଶାଳା ବ୍ଲକର ଖାଲି ପଡ଼ିଥିବା ଚୋରମୁହାଁ ଓ ଜେନାପୁର ଆଦି ଦୁଇଟି ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ଉପନିର୍ବାଚନ ହେବ । ମେ’ ୨୨ରେ ବିଧିବଦ୍ଧ ଭାବରେ ପଞ୍ଚାୟତ ସମିତି ପକ୍ଷରୁ ବିଜ୍ଞପ୍ତି ଜାରି ହେବ ।
ସେହିପରି ମେ’ ୨୬ରୁ ୩୧ ତାରିଖ ଯାଏ ପୂର୍ବହ୍ଣ ୧୧ଟା ଠାରୁ ଅପରାହ୍ଣ ୩ଟା ଯାଏ ନାମାଙ୍କନ ପତ୍ର ଗ୍ରହଣ ଓ ଦାଖଲ ହେବ । ଜୁନ ୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ କାଏମ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ଜୁନ୍ ୪ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ସେହିଦିନ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ଜୁନ୍ ୨୩ ସକାଳ ୭ଟା ଠାରୁ ମଧ୍ୟାହ୍ଣ ୧ଟା ମଧ୍ୟରେ ମତଦାନ ହେବ । ଜୁନ୍ ୨୪ରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସକାଳ ୮ଟା ଠାରୁ ଭୋଟ୍ ଗଣତି କାର୍ଯ୍ୟ ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ପଞ୍ଚାୟତ ଉପନିର୍ବାଚନ ତାରିଖ ବାହାରିବା ପରେ ଧର୍ମଶାଳା ପଞ୍ଚାୟତ ସମିତି ପକ୍ଷରୁ ଦୁଇ ପଞ୍ଚାୟତରେ ମେ’ ୨୦ ଠାରୁ ଆସନ୍ତା ଜୁନ୍ ୨୪ ତାରିଖ ଯାଏ ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାକୁ ନେଇ ଦୁଇଟି ପଞ୍ଚାୟତରେ ଏବେଠୁ ଉତ୍ସାହ ପରିଲକ୍ଷିତ ହେଲାଣି। ଉପନିର୍ବାଚନ କାହା ସପକ୍ଷରେ ଯିବ, ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଓ ସମୀକ୍ଷା ଆରମ୍ଭ ହେଇଗଲାଣି । ପ୍ରଥମ କରି ସରକାର ଓ ଧର୍ମଶାଳାରେ ବିଧାୟକ ପରିବର୍ତ୍ତନ ହୋଇଥିବା ବେଳେ ପଞ୍ଚାୟତ ଉପନିର୍ବାଚନ ବିଶେଷ ଗୁରୁତ୍ବ ବହନ କରିବ ବୋଲି କୁହାଯାଉଛି । ସାଧାରଣ ନିର୍ବାଚନର ବର୍ଷକ ପରେ ପଞ୍ଚାୟତ ସ୍ତରରେ ବିଭିନ୍ନ ଦଳର କ’ଣ ସ୍ଥିତି ରହିଛି ଏହି ଉପନିର୍ବାଚନ ରାଜ୍ୟ ରାଜନୀତିକୁ ଏକ ବଡ଼ ସଂକେତ ଦେବ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଯୋଗ୍ୟ, ଗତ ବର୍ଷ ମାର୍ଚ୍ଚ ୨୧ ତାରିଖରେ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଏକ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେହିପରି ଏପ୍ରିଲ ୪ ତାରିଖରେ ଜେନାପୁର ସରପଞ୍ଚ ସିପଲତା ମଲ୍ଲିକଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଥିଲା । ଏନେଇ ପଞ୍ଚାୟତ ସମିତି ପକ୍ଷରୁ ଉଭୟଙ୍କ ମୃତ୍ୟୁର ଦୁଇଦିନ ପରେ ଦୁଇଟି ପତ୍ର ଜରିଆରେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।