ନୂଆଦିଲ୍ଲୀ, ୨୬/୧୧ : ଭାରତରେ ଖାଦ୍ୟ ବିଷାକ୍ତକରଣ ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପନିପରିବାଠାରୁ ଆରମ୍ଭ କରି ଫଳ ପର୍ଯ୍ୟନ୍ତ ସବୁଥିରେ ରୋଗ ସୃଷ୍ଟିକାରୀ କାରକ ଜନସ୍ୱାସ୍ଥ୍ୟ ପ୍ରତି ବିପଦକୁ ଡାକି ଆଣୁଛି । ବଜାରରେ ସହଜରେ ଉପଲବ୍ଧ ଭଜାବୁଟରେ କ୍ୟାନ୍ସର କାରକ ଥିବା କେମିକାଲ ମିଶାଯାଉଥିବା ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି।
ଭଜା ବୁଟ ବେଶ୍ ଲୋକପ୍ରିୟ। ଦୈନନ୍ଦିନ ଜୀବନରେ ଆମ ଦେଶରେ କୋଟି କୋଟି ଲୋକ ମାର୍କେଟରେ ମିଳୁଥିବା ଭଜା ବୁଟକୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ ଭାବି ଖାଇଥାନ୍ତି । କିନ୍ତୁ ବାସ୍ତବରେ ସେମାନେ କ’ଣ ଖାଉଛନ୍ତି ତାହା ଜାଣିବା ପରେ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଆଶଙ୍କା ସେମାନଙ୍କୁ ଘାରିଛି । ନିକଟରେ ଜଣେ ଯୁବକ ଏକ ଭିଡିଓ କରି ମାର୍କେଟରେ ମିଳୁଥିବା ଖୋଲା ଭଜା ବୁଟର ପ୍ରସ୍ତୁତିକୁ ଦେଖାଇଛନ୍ତି । ସେ ବିନା ଅପମିଶ୍ରଣରେ ହୋଇଥିବା ବୁଟ ଭଜା ଏବଂ ହାନିକାରକ ମିଶାଯାଇଥିବା ବୁଟକୁ ଦେଖାଇ ସେଥିରେ ଥିବା ପ୍ରାର୍ଥକ୍ୟକୁ ସମ୍ମୁଖକୁ ଆଣିଛନ୍ତି । ମାର୍କେଟରେ ବୁଟକୁ ସାମାନ୍ୟ ହଳଦିଆ ଦେଖାଇବା ଲାଗି ସେଥିରେ ଅରାମାଇନ୍ ନାମକ କେମିକାଲ ମିଶାଯାଉଛି । ଏହି କେମିକାଲ ହଳଦୀର ରଙ୍ଗ ଭଳି ଦେଖାଯାଉଛି । ବୁଟ ଭଜା ଯିବା ପରେ ସେଥିରେ ଅରାମାଇନ୍ ଗୁଣ୍ଡକୁ ପାଣିରେ ମିଶାଇ ହଳଦୀ ପାଣି ପରି ବୁଟରେ ଢଳା ଯାଉଛି । ଏହା ଦ୍ୱାରା ବୁଟ ବା ଚଣା ସତେଜ ଦେଖାଯାଉଛି । କିନ୍ତୁ ବିନା କେମିକାଲରେ ଭଜା ଯାଇଥିବା ବୁଟ ତାହାଠାରୁ ଭିନ୍ନ ଦେଖାଯାଉଥିବା ଯୁବକ ଜଣକ ଭିଡିଓରେ ଦେଖାଇଛନ୍ତି । କେମିକାଲ ମିଶ୍ରିତ ବୁଟ ଦୀର୍ଘ ଦିନ ଖାଇବା ଦ୍ୱାରା କ୍ୟାନ୍ସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ବୋଲି ଏଥିରେ ସେ ଚେତାଇଛନ୍ତି ।
ଏଘଟଣାରେ ଶିବସେନା(ଉଦ୍ଧବ ଗୋଷ୍ଠୀ) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି, ବେଆଇନ ଭାବେ ଭଜା ଚଣା ଏବଂ ଅନ୍ୟ ଖାଦ୍ୟପାନୀୟ ପ୍ରସ୍ତୁତିରେ ଅରାମାଇନ ଭଳି ହାନିକାରକ କେମିକାଲ ମିଶାଇବା ଦ୍ୱାରା କ୍ୟାନ୍ସର ଭଳି ରୋଗ ହୋଇପାରେ । ଅରାମାଇନକୁ କପଡ଼ା, ଚମଡ଼ା ରଙ୍ଗ କରିବାରେ ବ୍ୟବହାର କରାଯାଏ । କିନ୍ତୁ କିଛି ଲୋକ ତାହାକୁ ଖାଦ୍ୟ ପଦାର୍ଥରେ ମିଶାଉଛନ୍ତି । ଏଥିଯୋଗୁ କୋଟି କୋଟି ଲୋକଙ୍କ ଜୀବନ ବିପଦରେ ଅଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଅରାମାଇନକୁ ବିପଜ୍ଜନକ ପଦାର୍ଥ ମାନିଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର ତ୍ୱରିତ ଭିତ୍ତିରେ କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ପ୍ରିୟଙ୍କା ଅପିଲ କରିଛନ୍ତି । ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।