ଭୁବନେଶ୍ୱର ୧୫/୧୧:କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମ୍ଇଆର୍କୁ ମିଳିନି ଅଗ୍ନି ନିରାପତ୍ତା ଏନ୍ଓସି । ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ରୋଗୀଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ସମ୍ପର୍କିତ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ହସ୍ପିଟାଲରେ ଦୈନିକ ଅଗ୍ନି ନିରାପତ୍ତା ଅଡିଟ୍ କରାଯାଉଛି । ଆଉ ନିଆଁ ମୁକାବିଲା ଲାଗି ସମସ୍ତ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ସୂଚନା ଅନୁଯାୟୀ, ହସ୍ପିଟାଲରେ କ୍ୟୁଏସ୍ ସଂସ୍ଥା ପକ୍ଷରୁ ଫାୟାର ସେଫ୍ଟି ସୁପରଭାଇଜର ନିଯୁକ୍ତ କରାଯାଇଛି । ସୁପରଭାଇଜର ପ୍ରତି ମାସରେ କେଉଁ ସ୍ଥାନରେ ନିୟମିତ ଯାଞ୍ଚ କରାଯିବ, ସେନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛନ୍ତି । ସେମାନେ ନିୟମିତ ୱାର୍ଡରେ ଯାଞ୍ଚ କରୁଛନ୍ତି । ଆଉ ଫାୟାର ଡ୍ରିଲ୍ କରାଯାଉଛି । ପିଜିଆଇଏମ୍ଇଆର ପକ୍ଷରୁ ନୂଆ ବିଲ୍ଡିଂରେ ଅଗ୍ନି ନିରାପତ୍ତା ପାଇଁ କର୍ମଚାରୀ ନିଯୁକ୍ତି ମଧ୍ୟ ହୋଇଛନ୍ତି । ବିଭିନ୍ନ ୱାଟର ପମ୍ପ ଓ ସବ୍ ଷ୍ଟେସନ ନିୟମିତ ଯାଞ୍ଚ ହେଉଛି । ପ୍ରତି ମାସରେ ଅଗ୍ନି ନିରାପତ୍ତା ବିଭାଗରୁ ଅଫିସର ଆସି ଅଗ୍ନି ନିରାପତ୍ତା ସମ୍ପର୍କିତ ସମସ୍ତ ସୁରକ୍ଷା ନେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ବିଡିଏ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ସର୍ଭେ କରାଯିବା ପରେ ଅନୁମତି ପ୍ରଦାନ କରାଯାଇଛି ।
ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ରୂପଭାନୁ ମିଶ୍ର କହିଛନ୍ତି, ଆମର ହସ୍ପିଟାଲରେ ଅଗ୍ନି ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ନିୟମିତ ପ୍ରତି ସ୍ଥାନରେ ଯାଞ୍ଚ କରାଯାଉଛି । ହସ୍ପିଟାଲରେ ସବୁ ସ୍ଥାନକୁ ପାଣି ପାଇପ୍ ଖଞ୍ଚା ଯାଇଛି । ଆଉ ସ୍ପ୍ରିଙ୍କଲ୍ ସହିତ ଅଗ୍ନି ନିର୍ବାପକ ସିଲିଣ୍ଡର ରଖାଯାଇଛି । କର୍ମଚାରୀ ସବୁଦିନ ଯାଞ୍ଚ କରୁଛନ୍ତି । ଆମକୁ ଏହି ବର୍ଷ ଶେଷ ସୁଦ୍ଧା ଅଗ୍ନି ନିରାପତ୍ତା ଏନ୍ଓସି ମିଳିବା ନେଇ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାର ନିୟମିତ ହସ୍ପିଟାଲରେ ମକ୍ ଡ୍ରିଲ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ପାଳନ କିରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଅଗ୍ନି ନିରାପତ୍ତା ଏନ୍ଓସି ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଛି ।