ବାଲେଶ୍ୱର,୧୮/୦୭: ପତ୍ନୀଙ୍କ ଜନ୍ମଦିନ ପାଇଁ ଭୁବନେଶ୍ୱରରୁ ବାଲେଶ୍ୱର ଆସିଥିଲେ । ଧୁମ୍‌ଧାମରେ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ସେଲିବ୍ରେସନ୍ । ମାତ୍ର ପରେ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସମସ୍ତଙ୍କୁ ଚକିତ କଲା ଭଳି ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ନିକଟସ୍ଥ ବିଜୁ ପଟ୍ଟନାୟକ କଲୋନୀରେ ଘଟିଛି । ମୃତକ ହେଲେ ରଶ୍ମିରଞ୍ଜନ ସେଠୀ(୩୮) । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ଥାନା ଅନ୍ତର୍ଗତ ଅଁଳା ଗ୍ରାମରେ । ରଶ୍ମିରଞ୍ଜନ କଟକ ଡିଭିଜନ୍ ଅନ୍ତର୍ଗତ ଆର୍ ଆଣ୍ଡ ବି ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେ ଭୁବନେଶ୍ୱରରେ ରହୁଥିଲେ । ଅନ୍ୟପଟେ ଜନ୍ମଦିନ ପାଳନ ପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ହେଲେ ମେଡିକାଲ୍‌ରେ ମୃତଦେହ ଛାଡ଼ି ପତ୍ନୀ ସମେତ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ ସୂଚନା ମୁତାବକ, ଗତ ବୁଧବାର ସେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲୋନୀରେ ରହୁଥିବା ପତ୍ନୀ ରଶ୍ମିରେଖା ଭୂୟାଁ(୩୦)ଙ୍କୁ ଭେଟିବା ପାଇଁ ଆସିଥିଲେ । ରଶ୍ମିରେଖା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍ଏଚ୍ଏମ୍‌ରେ କାର୍ଯ୍ୟ କରୁଛନ୍ତି । ଗୁରୁବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରଶ୍ମିରେଖାଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ରଶ୍ମିରଞ୍ଜନଙ୍କ ମୃତ୍ୟୁ ହୋଇଥିବା ରଶ୍ମିରେଖାଙ୍କ ଭାଇ କିଶାନ ଭୂୟାଁ ଫୋନ୍ କରି ଜଣାଇଥିବା ପରିବାର ଲୋକେ କହିଛନ୍ତି । ସେ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ହେଲେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାରର ଅଭିଯୋଗ ଅନୁସାରେ, ରଶ୍ମିରେଖା ପୂର୍ବରୁ କରଞ୍ଜିଆରେ ଚାକିରି କରୁଥିଲେ । ସେଠାରେ ସେହି ବିଭାଗରେ କାର୍ଯ୍ୟରତ ଦେବାଶିଷ ସ୍ୱାଇଁ ନାମକ ଜଣେ ପୁରୁଷ ବନ୍ଧୁଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ଥିଲା। ଏହାକୁ ବିରୋଧ କରିବାରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହି ଘଟଣା ନେଇ ଚୁପ୍ ରହିବାକୁ ରଶ୍ମିରଞ୍ଜନଙ୍କୁ ଧମକ ଦିଆଯାଇଥିଲା । ପରିବାର ଏହା ଜାଣିବା ପରେ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା ନ କରିବା ପାଇଁ ରଶ୍ମିରେଖାଙ୍କୁ କହିଥିଲେ । ପ୍ରାୟ ୬ ମାସ ପୂର୍ବରୁ ରଶ୍ମିରେଖା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବଦଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସଙ୍ଗରେ ହୋଇଥିଲା । ରଶ୍ମିରଞ୍ଜନଙ୍କୁ ଏ କଥା ମଧ୍ୟ ଜଣାଇ ନ ଥିଲେ ରଶ୍ମିରେଖା । ତେବେ ରଶ୍ମିରେଖାଙ୍କ ଜନ୍ମଦିନ ଥିବାରୁ ରଶ୍ମିରଞ୍ଜନ ବାଲେଶ୍ୱର ଆସିଥିଲେ ।

ଜନ୍ମଦିନ ପାଳନ ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ରଶ୍ମିରଞ୍ଜନଙ୍କ ହତ୍ୟା ପଛରେ ପତ୍ନୀ ରଶ୍ମିରେଖା, ପୁରୁଷ ବନ୍ଧୁ ଦେବାଶିଷ, ଦେବାଶିଷଙ୍କ ପେଟ୍ରୋଲ ପମ୍ପ୍‌ରେ କାର୍ଯ୍ୟରତ ପ୍ରଶାନ୍ତ ନାମକ ଯୁବକ ଓ ଅନ୍ୟ ସହଯୋଗୀଙ୍କୁ ଦାୟୀ କରିଛନ୍ତି । ତାଙ୍କୁ କେଉଁମାନେ ଡାକ୍ତରଖାନା ଆଣିଲେ³ ପରିବାର ଲୋକେ ଆସିବା ବେଳେ ରଶ୍ମି ରେଖାଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟମାନେ କାହିଁକି ଫେରାର ହୋଇଗଲେ ତାହାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ :-  ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି; ଆଶୁ ଆରୋଗ୍ୟ କାମନା କଲେ ନବୀନ

ଅପରପକ୍ଷରେ ଏନେଇ ସହଦେବଖୁଣ୍ଟା ଥାନା ଅଧିକାରୀ ଆଲୋକ କୁମାର ବେହେରା କହିଛନ୍ତି, ମୃତଦେହକୁ ଆମେ ହସ୍ପିଟାଲରୁ ଠାବ କରିଥିଲୁ । ପୁଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରଶ୍ମିରଞ୍ଜନଙ୍କୁ କେତେକ ଲୋକେ ହସ୍ପିଟାଲ ଆଣିଥିବା ଜଣାପଡ଼ିଛି । ରଶ୍ମିରଞ୍ଜନଙ୍କ କକା ଲକ୍ଷ୍ମୀଧର ସେଠୀଙ୍କ ଲିଖିତ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଘଟଣାରେ ପୁଲିସ୍ ଦୁଇରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ୨୦୨୩ରେ ରଶ୍ମିରଞ୍ଜନ ହଂସପାଳ ଅଞ୍ଚଳର ରଶ୍ମି ରେଖାଙ୍କୁ ପ୍ରେମ ବିବାହ କରିଥିଲେ । ଏହି ଘଟଣା ପରେ ରଶ୍ମିରେଖା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଛି । ସେମାନେ ଫେରାର ଥିବା ସନ୍ଦେହ କରାଯାଉଛି ।