ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ(ଆଇଆଇଏମ) କଲିକତା ଗୁରୁବାର ସନ୍ଧ୍ୟାରେ କମନ୍ ଆଡମିଶନ ଟେଷ୍ଟ (CAT) ୨୦୨୪ର ଫଳାଫଳ ଘୋଷଣା କରିଛି। ଆଶାୟୀ ଛାତ୍ରମାନେ ସେମାନଙ୍କର ଆବେଦନ ପ୍ରମାଣପତ୍ର ବ୍ୟବହାର କରି CAT ଅଫିସିଆଲ୍ ୱେବସାଇଟରେ ଲଗ୍ ଇନ କରି ସେମାନଙ୍କର ସ୍କୋରକାର୍ଡ ଦେଖି ପାରିବେ।
ଏହି ପରିକ୍ଷା ଦେବା ପାଇଁ ୩.୨୯ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୨.୯୩ ଲକ୍ଷ ଛାତ୍ର ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ। ଏହି ପରିକ୍ଷାରେ ଇଞ୍ଜିନିୟରିଂ ପଢୁଥିବା ପୁଅପିଲାମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଅର୍ଥାତ ସମ୍ପୂର୍ଣ୍ଣ ଶତପ୍ରତିଶତ ମାର୍କ ଆଣିଥିବା ୧୪ ଜଣ ଛାତ୍ରଙ୍କ ମଧ୍ୟରୁ ୧୩ ଜଣ ଛାତ୍ର ଇଞ୍ଜିନିୟର ଅଟନ୍ତି| ତେବେ ଲିଙ୍ଗ ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରି ମାନଙ୍କ ମଧ୍ୟରେ ୧୩ ଜଣ ଛାତ୍ର ଏବଂ ଜଣେ ଛାତ୍ରୀ ରହିଛନ୍ତି|
ଏଥିସହ, ୨୯ ଜଣ ପ୍ରାର୍ଥୀ ୯୯.୯୯ ପ୍ରତିଶତ ହାସଲ କରିଛନ୍ତି। ଏଥି ମଧ୍ୟରୁ ୨୫ ଜଣ ଇଞ୍ଜିନିୟର ଛାତ୍ର ଥିଲାବେଳେ ଏବଂ ଚାରିଜଣ ଅଣ-ଇଞ୍ଜିନିୟରିଂ ପୃଷ୍ଠଭୂମିରୁ ଆସିଛନ୍ତି। ଏହି ୨୯ ଜଣଙ୍କ ମଧ୍ୟରେ ୨୭ ଜଣ ଛାତ୍ର ଥିବାବେଳେ କେବଳ ଦୁଇଜଣ ଛାତ୍ରୀ ରହିଛନ୍ତି। ଅନ୍ୟପଟେ ଏହି ପରିକ୍ଷାରେ ତିରିଶ ଜଣ ଛାତ୍ର ୯୯.୯୮ ପ୍ରତିଶତ ମାର୍କ ହାସଲ କରିଛନ୍ତି।
ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମେଣ୍ଟ(ଆଇଆଇଏମ) ଖୁବ୍ ଶୀଘ୍ର ଆଡମିଶନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ସର୍ଟଲିଷ୍ଟ ପ୍ରକାଶ କରିବ। ଆଇଆଇଏମ ସହିତ, ୮୬ଟି ଅଣ-ଆଇଆଇଏମ ଅନୁଷ୍ଠାନ ମଧ୍ୟ ସେମାନଙ୍କର ଆଡମିଶନ ପାଇଁ CAT ୨୦୨୪ର ପରୀକ୍ଷାଫଳକୁ ଗ୍ରହଣ କରିବେ। ପ୍ରାର୍ଥୀମାନେ ଆଇଆଇଏମରେ ପ୍ରବେଶ ପାଇଁ ଆବେଦନ କରିବା ପୂର୍ବରୁ CAT ୱେବସାଇଟରେ ଅନୁଷ୍ଠାନର ପଞ୍ଜୀକରଣ ସ୍ଥିତି ଯାଞ୍ଚ କରିବାକୁ ଆଇଆଇଏମ ପକ୍ଷରୁ ପରାମର୍ଶ ଦିଆଯାଇଛି।