ପୁରୀ,୨୬/୬ : ବୁଧବାର ରଥରେ ଠେକରା ବାଡ଼ ବୁଲିବା ସହ ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇଛି ଶ୍ରୀବିଗ୍ରହଙ୍କ ରଥତ୍ରୟ । ଏବେ ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ସହ ଅଳଙ୍କରଣ କାର୍ଯ୍ୟ ପ୍ରାୟ ଶେଷ । ଗୁରୁବାର ତିନି ରଥରେ ପ୍ରଭା ସ୍ଥାପନ ହେବ । ପ୍ରଶାସନିକ ନୀତି ନିର୍ଘଣ୍ଟ ଅନୁସାରେ ଗୁରୁବାର ଅପରାହ୍ନ ୪ଟା୧୦ମିନିଟ୍ରେ ଠାକୁରଙ୍କ ଆଜ୍ଞାମାଳ ବିଜେ ହେବ ରଥଖଳାକୁ । ଏହାପରେ ରଥତ୍ରୟକୁ ଟାଣି ନେଇ ସିଂହଦ୍ୱାରରେ ପହଞ୍ଚାଯିବ । ସିଂହଦ୍ୱାରେ ମୁଖ୍ୟ ବିଶ୍ୱକର୍ମାଙ୍କ ପରାମର୍ଶକ୍ରମେ ଚକା ସିଂହାସନ ରଥରେ ସ୍ଥାପନ କରାଯିବ ।
ନିର୍ମାଣକାରୀ ରଥ ଚାରିପଟେ ଠେକରା ବାଡ଼ ଲଗାଇଛନ୍ତି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି । ରବର ପ୍ଲେଟ୍ ଲାଗି ରଥର ବ୍ରେକ୍ ତିଆରି ହୋଇ ରଙ୍ଗ ଦିଆ ସରିଛି । ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକର । ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ଭୋଇ ସେବକମାନେ ପ୍ରଭା ରଖିବେ । ପରେ ପ୍ରଭା କଣ୍ଟା ପଡ଼ିବ । ଶେଷରେ ପଟା ପଡ଼ି ଚକା ରଖାଯିବ । ବୁଧବାର ବିଜେ ଚକାରେ ବିନ୍ଧ ସହ ଖିଲ ନିର୍ମାଣ ଶେଷ ହୋଇଛି । ରଥଯାତ୍ରା ଅବସରରେ ଚକାବେଦିରେ ଠାକୁରେ ବସିବେ।
ସିଂହାସନରେ ଚକା ବସାଇବା ପରେ ରଥ ନିର୍ମାଣ ଶେଷ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ହୋଇଛି । କନକମୁଣ୍ଡିରେ ପିତଳ ଚାଦର ବୁଲିଛି । ରଥରେ ପିତ୍ତଳର ଅଳଙ୍କାରମାନ ଲଗାଯାଉଛି । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗୁଛି । ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ । ଏହାପରେ ରଥଖଳାରୁ ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ । ଚଳିତ ବର୍ଷ ପ୍ରଥମ କରି ରଥରେ ଚଢ଼ି ଚେକିଂ କରିଛନ୍ତି ବମ୍ ସ୍କ୍ୱାର୍ଡ଼ । କୌଣସି ବିପଦର ଆଶଙ୍କା କରି ବମ୍ ସ୍କ୍ୱାର୍ଡ଼ ରଥ ଉପରେ ବୁଲି ରଥର ପ୍ରତି କୋଣ ତଥା ବିଭିନ୍ନ ରଥାଂଶକୁ ତନ୍ନ ତନ୍ନ କରି ପରଖିଥିଲେ । ରଥର ସୁରକ୍ଷା ଦୃଷ୍ଟିରୁ ସୁରକ୍ଷା ବାହିନୀ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି ।