ମୁମ୍ବାଇ ୧୦/୦୩: ଭିକ୍କି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଛାବା’ ଆୟ ମାମଲାରେ ବଡ଼ ରେକର୍ଡ କରିଛି । ଭାରତୀୟ ବକ୍ସ ଅଫିସ୍‌ରେ ଅଦ୍ୟାବଧି ଏହା ୫୦୦ କୋଟି ପରିସଂଖ୍ୟାନ  ଟପି ସାରିଛି । ଚଳିତବର୍ଷର ପ୍ରଥମ ଫିଲ୍ମ ଭାବେ ଏହି ଉପଲବ୍ଧି ହାସଲ କରିଛି ‘ଛାବା’ ।  ସାରା ବିଶ୍ୱର କଥା କହିବାକୁ ଗଲେ ଏହା ମୋଟ ୬୯୧  କୋଟି ଆୟ କରିଛି ।

ରିପୋର୍ଟ ଅନୁସାରେ, ‘ଛାବା’ର ହିନ୍ଦୀ  ସଂସ୍କରଣ ୫୦୩.୩ କୋଟି ରୋଜଗାର କରିଛି । ତେଲଗୁ ଡବ୍‌ ଭର୍ସନ୍‌କୁ ୫.୫ କୋଟି ମିଳିଛି । ଅର୍ଥାତ୍‌ ମୋଟ ଉପରେ ଭାରତୀୟ ବକ୍ସ ଅଫିସ୍‌ରେ ଫିଲ୍ମଟି  ୫୦୮.୦୮ କୋଟି ଟଙ୍କାର ବ୍ୟବସାୟ  କରିଛି । ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବସିତ ଏହି  ଫିଲ୍ମକୁ ଲକ୍ଷ୍ମଣ ଉତେକର ନିର୍ଦ୍ଦେଶନା  ଦେଇଛନ୍ତି । 

ଫେବ୍ରୁଆରୀ ୧୪ରେ  ଏହା ରିଲିଜ୍‌ ହୋଇଥିଲା । ପ୍ରଥମ ସପ୍ତାହରେ ଫିଲ୍ମଟି  ୨୧୯.୨୫ କୋଟି, ଦ୍ୱିତୀୟ  ସପ୍ତାହରେ ୧୮୦.୨୫  କୋଟି ଓ ତୃତୀୟ ସପ୍ତାହରେ  ୮୪.୦୫ କୋଟି ରୋଜଗାର  କରିଥିଲା । ସପ୍ତାହନ୍ତରେ  ଏହାର ରୋଜଗାର ବଢ଼ିବା  ପରେ ଫିଲ୍ମଟି ୫୦୦ କୋଟି  କ୍ଲବ୍‌ରେ ସାମିଲ ହୋଇଛି ।  ‘ଛାବା’ ପୂର୍ବରୁ ‘ପୁଷ୍ପା-୨’(ହିନ୍ଦୀ  ଭର୍ସନ୍‌), ‘ଯୱାନ’, ‘ସ୍ତ୍ରୀ-୨’,  ‘ଗଦର-୨’, ‘ପଠାନ୍‌’,  ‘ବାହୁବଳୀ-୨’(ହିନ୍ଦୀ ଭର୍ସନ) ଓ ‘ଆନିମଲ୍‌’  ଭଳି ଫିଲ୍ମ ୫୦୦ କୋଟି  ରୋଜଗାର କରିଥିଲା ।