ଭୁବନେଶ୍ୱର, ୧୩।୧ : ଆଗାମୀ ୨୦୨୬ ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ୬ ମାସ ପୂର୍ବରୁ ସବୁ ବିଭାଗକୁ ପ୍ରସ୍ତୁତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ପ୍ରତି ମାସରେ ସମୀକ୍ଷା ହେବ ରଥ ଯାତ୍ରା ପ୍ରସ୍ତୁତି। ବିଗତ ଦିନରେ ହୋଇଥିବା ତ୍ରୁଟିକୁ ଚିହ୍ନଟ ସହ କେମିତି ସୁଧାରି ହେବ ଏବଂ ଆଉ କଣ ଆବଶ୍ୟକୀୟ ପଦକ୍ଷେପ ହାତକୁ ନିଆଯିବ ସେନେଇ ରିପୋର୍ଟରେ ଉଲ୍ଲେଖ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ରଥଯାତ୍ରା ପାଇଁ ରଥ କାଠ ସଂଗ୍ରହ ଠାରୁ ଆରମ୍ଭ କରି ରଥ ନିର୍ମାଣ ଏବଂ ରଥ ଟଣା ପର୍ଯ୍ୟନ୍ତ ଏହି ଭିତରେ ବହୁ କାର୍ଯ୍ୟ ଓ ରୀତି ନୀତି ରହିଛି । ରଥଯାତ୍ରାରେ ପୁରୀରେ ପ୍ରତି ବର୍ଷ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମ ହେଉଥିବାରୁ ଶୃଙ୍ଖଳିତ ରଥଯାତ୍ରା ନେଇ ବିଭିନ୍ନ ପ୍ରସ୍ତୁତି ପାଇଁ ସମନ୍ୱୟର ଆବଶ୍ୟକତା ରହିଛି । ରଥଯାତ୍ରା ଆହୁରି ୬ ମାସ ପରେ ଅନୁଷ୍ଠିତ ହେଉଥିବାରୁ ରଥଯାତ୍ରା ପରିଚାଳନାକୁ ତ୍ରୁଟି ଶୂନ୍ୟ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଏ ନେଇ ଆଗୁଆ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଯୋଗଦେଇ ରଥଯାତ୍ରା ପରିପ୍ରେକ୍ଷୀରେ ପ୍ରସ୍ତୁତି, ଆଇନ୍ ଶୃଙ୍ଖଳା, ଭିଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପୁଲିସ ମୁତୟନ ସଂପର୍କରେ ସୂଚନା ଉପସ୍ଥାପନ କରିଥିଲେ । ବିଶେଷ କରି ରଥ ଟଣା ସମୟରେ ରଥ ସମ୍ମୁଖରେ ଅଧିକ ଭିଡ ନିୟନ୍ତ୍ରଣକୁ ନେଇ ଆଲୋଚନା କରାଯାଇଥିଲା । ରଥ ଟଣା ସମୟରେ ଯେପରି ରଥ ପାଖାପାଖି ଅଂଚଳରେ ଅଧିକ ସଂଖ୍ୟକ ଭକ୍ତଙ୍କ ଭିଡ ନହେବ, ସେଥିପାଇଁ ଭକ୍ତ ତଥା ଜନସାଧାରଣଙ୍କ ସୂଚନା ନିମନ୍ତେ ବଡ ଦାଣ୍ଡରେ ଅଧିକ ସଂଖ୍ୟକ ଏଲଇଡି ଟିଭି ଲଗାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିୟମିତ ପ୍ରସ୍ତୁତି ଓ ଚଳିତ ରଥଯାତ୍ରା ପାଇଁ ଅଧିକ ପ୍ରସ୍ତୁତି ନେଇ ବିଭାଗର କମିଶନର ତଥା ଶାସନ ସଚିବ ସୂଚନା ଦେଇଥିଲେ । ବଡ ଦାଣ୍ଡ ପାର୍ଶ୍ୱ ଅଂଚଳର ସ୍ୱଚ୍ଛତା ରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନମାନେ ଉପଯୁକ୍ତ ବ୍ୟବସ୍ଥା କରି ନ କରି ମାଗଣା ରନ୍ଧା ଖାଦ୍ୟ ବିକ୍ରୟ କରିପାରିବେ ନାହିଁ । ଏଥି ପାଇଁ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ ହେବ ।
ଚଳିତ ବର୍ଷ ଅଧିକ ସଂଖ୍ୟାରେ ପୁଲିସ ମୁତୟନ ପାଇଁ ପୁଲିସ ମହାନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ । ପୁଲିସ ଅଧିକାରୀ ଓ ଷ୍ଟାଫ ମାନଙ୍କ ରହଣି ପାଇଁ ଅଧିକ ଶୌଚାଳୟ ବ୍ୟବସ୍ଥା ଓ ଆନୁଷଙ୍ଗିକ ସୁବିଧା ପାଇଁ ପୁରୀ ଏସପି ଅନୁରୋଧ କରିଥିଲେ । ପୁରୀ ବଡଦାଣ୍ଡର ଅସୁରକ୍ଷିତ କୋଠା ଯାଞ୍ଚ କରି ଏହାକୁ ବ୍ୟବହାର ନକରିବାକୁ ବିଜ୍ଞପ୍ତି କରାଯିବ । ପୁରୀର ତାଳ ବଣିଆ ସମେତ ବିଭିନ୍ନ ସ୍ଥାନରେ ପାର୍କିଂସ୍ଥଳ ସହିତ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଉତ୍ତରା ଛକରୁ ପୁରୀ ମଧ୍ୟରେ ୫୦୦ ଟି ପାର୍କିଂ ସ୍ଥଳ ଉପଯୁକ୍ତ ଆଲୋକ ବ୍ୟବସ୍ଥା କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପାର୍କିଂ ସମେତ ବିଭିନ୍ନ ସୁବିଧା ପାଇଁ ଆଗୁଆ ସମନ୍ୱୟ ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ମଧ୍ୟରେ ଓବିସିସି ତରଫରୁ ଯେଉଁସବୁ ପ୍ରକଳ୍ପ ହାତକୁ ନିଆଯାଇଛି, ସେଗୁଡିକୁ ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଶାସନ ସଚିବ ମଧ୍ୟ ଶ୍ରୀମନ୍ଦିର ନିକଟସ୍ଥ ଜେବିପିସି ଏବଂ ମଶାଣୀ ଚଣ୍ଡୀ ଠାରେ ନିର୍ମାଣାଧିନ ପ୍ରକଳ୍ପଗୁଡ଼ିକୁ ମାର୍ଚ୍ଚ ମାସ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ସେବା ବିଭାଗ ଡିଜିପି ଡଃ. ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ, ଶିଳ୍ପ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ହେମନ୍ତ ଶର୍ମା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।