ପାଟଣାଗଡ଼,୬/୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ଏକ ଗ୍ରାମରେ ଶୁକ୍ରବାର ଜନୈକା ନାବାଳିକାଙ୍କ ଦିନ ସମୟରେ ବାହାଘର ଚାଲିଥିଲା। ବାହାବେଦୀ ସଜାଯିବା ସହ ନାବାଳିକାର ହଳଦୀ ମଖା ପ୍ରଥା ମଧ୍ୟ ସରିଯାଇଥିଲା । କିଛି ସମୟ ପରେ ନାବାଳିକାକୁ ବିଦା କରିଥାନ୍ତେ । ଏହି ସମୟରେ କୌଣସି ସୂତ୍ରରୁ ଖବରପାଇ ପାଟଣାଗଡ଼ ସିଡ଼ିପିଓ ପ୍ରଭାମୟୀ ନାଏକଙ୍କ ନେତୃତ୍ୱରେ ଚାଇଲ୍ଡ ହେଲ୍ପ ଲାଇନର ସଦସ୍ୟ ଓ ପୁଲିସ ମିଳିତ ଚଢ଼ଉ କରିଥିଲେ।

ତଦନ୍ତ ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ନାବାଳିକାର ବାପା ପ୍ରଶାସନକୁ କୁଣାବରା ଉତ୍ସବ ହେଉଛି କହି ଭଣ୍ଡାଇ ଦେଇଥିଲା । ପ୍ରଶାସନ କେବଳ ନାବାଳିକାଙ୍କ ବାପାଙ୍କ କଥାରେ ପଡ଼ି ପାଖ ପଡ଼ୋଶୀଙ୍କୁ ଓ ଗାଁରେ ତଦନ୍ତ ନ କରି ଏକ ତରଫା ଭାବେ ନାବାଳିକାଙ୍କ ବାପାଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖାଇ ନେଇ ମାମଲାକୁ ରଫାଦଫା କରି ଫେରି ଆସିଥିଲା । ଯାହାକୁ ନେଇ ପ୍ରଶାସନର ତଦନ୍ତ ଭେଳିକି ବୋଲି କହିବା ସହ ପରୋକ୍ଷରେ ଏଭଳି ଏକ ବେଆଇନ ପ୍ରଥାକୁ ଚାଇଲ୍ଡ ହେଲ୍ପ ଲାଇନ ଓ ପୁଲିସ ସମର୍ଥନ ଜଣାଇଛି ବୋଲି ଅଭିଯୋଗ ଉଠିଛି ।

ଅନ୍ୟପଟେ ପ୍ରଶାସନ ଫେରିଗଲା ପରେ ପୁଣି ସାମାଜିକ ରୀତିନୀତିରେ ଉକ୍ତ ନାବାଳିକାଙ୍କ ବାହାଘର ସମ୍ପର୍ଣ୍ଣ ହୋଇଯାଇଥିବା ଜଣାପଡିଛି । ତେବେ ବାହାଘର ରୀତିନୀତି ଅନୁସାରେ ହୋଇଥିବା ନାବାଳିକାଙ୍କ ହଳଦୀ ମଖା ଫୋଟୋ ସବୁ "ପ୍ରମେୟ" ହାତରେ ଲାଗିଛି । ତେବେ ପ୍ରଶାସନ କିଭଳି ତଦନ୍ତ କରି ଫେରିଛି ଓ ଏଭଳି ଏକ ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ କେଉଁ ଉଦ୍ଦେଶ୍ୟରେ ପରୋକ୍ଷରେ ସମର୍ଥନ ଜଣାଇଛି ତାହା ତଦନ୍ତ ସାପେକ୍ଷ । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ନାବାଳିକା ଜଣଙ୍କ ତା ବାପାର ଦ୍ଵିତୀୟ ସ୍ତ୍ରୀଙ୍କ ଝିଅ। ଗତ ୧୪ ବର୍ଷ ପୂର୍ବେ ବରଗଡ଼ ଜିଲ୍ଲା ନଅଗାଁ ଅଞ୍ଚଳରେ ନାବାଳିକାଙ୍କ ମା’କୁ ବାପା କିଛି ଟଙ୍କା ପାଇଁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।ସେଥିପାଇଁ ନାବାଳିକାକୁ ବାପା ନିର୍ଯାତନା ଦେଇଆସୁଥିବା ମଧ୍ୟ ଅଭିଯୋଗ ଉଠିଛି।

ବାପାଙ୍କ ଭୟରେ ନାବାଳିକା ଜଣକ ମୁହଁ ଖୋଲିପାରୁନଥିବା କିଛି ପାଖ ପଡୋଶୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଥିସହ ବାହା ହୋଇଥିବା ପୁଅ ଜଣଙ୍କର ଏହା ହେଉଛି ତୃତୀୟ ବିବାହ । ତେବେ ନାବାଳିକା ଝିଅକୁ ଏକ କୁଆଁରୀ ପୁଅ ସହ ବାହା ଦେବା ବଦଳରେ ନାବାଳିକାର ବାପା ତୃତୀୟ ବିବାହ କରୁଥିବା ପୁଅ ଘର ଠାରୁ ଏକ ଲକ୍ଷ ଟଙ୍କା ଆଣି ନାବାଳିକା ଝିଅର ଜୀବନ ସହ ଖେଳ ଖେଳୁଥିବା ଭଳି ଗୁରୁତର ଅଭିଯୋଗ ଉଠିଛି । ତେବେ ପ୍ରଶାସନ ବାଲ୍ୟ ବିବାହ ପ୍ରଥା ରୋକିବା ପାଇଁ ସଚେତନତା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦଶ ଦେଇଥିବାବେଳେ ତାହା ପାଟଣାଗଡ଼ ଅଞ୍ଚଳରେ ସମ୍ପୂର୍ଣ୍ଣ ଫେଲ ମାରିଥିବା ଦେଖିବାକୁ ମିଳିଛି।ଏ ବିଷୟରେ ସିଡ଼ିପିଓ ପ୍ରଭାମୟୀ ନାୟକଙ୍କୁ ପଚାରିବାରୁ ଅଭିଯୋଗ ପାଇ ପୁଲିସ ସହ ନାବାଳିକାଙ୍କ ଘରକୁ ଯାଇଥିଲୁ । ନାବାଳିକାର ବାପାଠାରୁ ଅଣ୍ଡରଟେକିଂ ଲେଖାଇ ପଳାଇ ଆସିଲୁ ବୋଲି ସଫେଇ ଦେଇଥିଲେ । ତେବେ ବାହା ବେଦି କାହିଁକି ହୋଇଥିଲା ଓ ପ୍ରଶାସନ ଫେରି ଆସିଲା ପରେ ହୋଇଥିବା ବାହାଘର କଥା ପଚାରିବାରୁ ମୁଁ ବାହାବେଦୀ ଦେଖିପାରିଲି ନାହିଁ ଓ ଯଦି ସେମିତି ହୋଇଛି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ଏ ଘଟଣାରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।