ନୂଆଦିଲ୍ଲୀ ୦୨/୦୭: ନ୍ୟୁକ୍ଲିୟର ଫ୍ୟୁଜନ୍ ଟେକ୍ନୋଲୋଜିରେ ବଡ଼ ସଫଳତା ହାସଲ କରିଛି ଚୀନ୍ । ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ନିମନ୍ତେ ବିଶ୍ୱର ସର୍ବବୃହତ ସୁପରକଣ୍ଡକ୍ଟିଂ ଚୁମ୍ବକ ନିର୍ମାଣ କରିଛନ୍ତି । ଏହାର ସଫଳ ପରୀକ୍ଷଣ ମଧ୍ୟ ସମ୍ପନ୍ନ ହୋଇଛି । ବୈଜ୍ଞାନିକଙ୍କ ଅନୁସାରେ, ଏହା ଭବିଷ୍ୟତରେ ଫ୍ୟୁଜନ୍ ଉର୍ଜ୍ଜା ବିକାଶ ଦିଗରେ ସହାୟକ ହେବ । କୃତ୍ରିମ ସୂର୍ଯ୍ୟ ଏଭଳି ଏକ ମେସିନ୍ ଯେଉଁଥିରେ ସୂର୍ଯ୍ୟ ଭଳି ଶକ୍ତି ଉତ୍ପନ୍ନ କରିବାକୁ ଚେଷ୍ଟା କରାଯାଏ । ଏଥିରେ ପ୍ଲାଜ୍ମା ଉତ୍ପନ୍ନ ହୁଏ । ଉର୍ଜ୍ଜା ଉତ୍ପନ୍ନ ଲାଗି ପ୍ଲାଜ୍ମାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଏ । ଏହି ଟେକ୍ନୋଲୋଜିକୁ ନ୍ୟୁକ୍ଲିୟର ଫ୍ୟୁଜନ୍ କୁହାଯାଏ । ବୈଜ୍ଞାନିକଙ୍କ ଅନୁସାରେ, ଏହି ଟେକ୍ନୋଲୋଜି ସଫଳ ହେଲେ, ଭବିଷ୍ୟତରେ ଏଥିରୁ ବ୍ୟାପକ ମାତ୍ରାରେ ସ୍ୱଚ୍ଛ ଶକ୍ତି ଉତ୍ପନ କରାଯାଇ ପାରିବ ।
ଏହି ମେସିନ୍ ପାଇଁ ଚୀନ୍ ନିର୍ମାଣ କରିଥିବା ସବୁଠୁ ବଡ଼ ସୁପରକଣ୍ଡକ୍ଟିଂ ଚୁମ୍ବକର ଓଜନ ୫୮୨ ଟନ୍ । ଲମ୍ବ ୨୧ ମିଟର, ପ୍ରସ୍ଥ ୧୨ ମିଟର ଏବଂ ଉଚ୍ଚତା ୩.୩ ମିଟର । ଚୁମ୍ବକର କାମ ହେଉଛି ମେସିନ୍ ଭିତରେ ଥିବା ଉତ୍ତପ୍ତ ପ୍ଲାଜ୍ମାକୁ ଗୋଟିଏ ସ୍ଥାନରେ ବାନ୍ଧି ରଖିବା, ଯଦ୍ଦ୍ୱାରା ମେସିନ୍ର ପ୍ରାଚୀର ସହ ଏହା ଧକ୍କା ହେବ ନାହିଁ । ଅନ୍ୟଥା ଉର୍ଜ୍ଜା ଉତ୍ପନ୍ନ ପ୍ରକ୍ରିୟା ଅଟକି ଯାଇପାରେ । ଏହି ଚୁମ୍ବକ ଅନ୍ତର୍ଜାତୀୟ ଫ୍ୟୁଜନ୍ ପ୍ରୋଜେକ୍ଟ ଆଇଟିଇଆର୍ରେ ଉପଯୋଗ ଚୁମ୍ବକଠୁ ପ୍ରାୟ ୧.୩ ଗୁଣ ବଡ଼ । ଏଥିରେ ୩ ଗୁଣ ଅଧିକ ଉର୍ଜ୍ଜା ଜମା କରାଯାଇପାରେ ।
ଆହୁରି ପଢ଼ନ୍ତୁ...Poverty Crisis : ୟୁଏନ୍ଡିପି ରିପୋର୍ଟ; ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ଆଣିବ ବଡ଼ ବିପଦ, ଦାରିଦ୍ର୍ୟ ସଙ୍କଟରେ ପଡିପାରନ୍ତି ୪୫ ମିଲିୟନ୍ ଲୋକ
ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ସୁପରକଣ୍ଡକ୍ଟିଂ କଏଲ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏହାର କାମ ଫ୍ୟୁଜନ୍ ପ୍ରକ୍ରିୟା ଆରମ୍ଭ କରିବା ଏବଂ ପ୍ଲାଜ୍ମାକୁ ସର୍ବଦା ଠିକ୍ ସ୍ଥାନରେ ଧରି ରଖିବା । ପରୀକ୍ଷଣରେ ଏହି କଏଲ ୬୦ କିଲୋଏମ୍ପିୟର କରେଣ୍ଟ ଓ ୬.୦୩ ମେଗାଜୁଲ ଉର୍ଜ୍ଜା ସମ୍ଭାଳିବାର କ୍ଷମତା ପ୍ରଦର୍ଶନ କଲା । ଏହା ଦ୍ୱାରା ଦୀର୍ଘ ସମୟ ଧରି ରିଆକ୍ଟରକୁ ଚଲାଇବା ସମ୍ଭବ ହେବ ।