- କାହିଁକି ଜଗନ୍ନାଥଙ୍କର ପାପୁଲି ନାହିଁ?
- ହାତ ଅଛି, ହେଲେ କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି?
- ଅଧାଗଢା କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ?
- ବ୍ରହ୍ମାଣ୍ଡପତିଙ୍କର ଅଧାଗଢ଼ା ମୂର୍ତ୍ତି ପଛର ଅଲୌକିକ କାହାଣୀ କଣ?
- ଆସନ୍ତୁ ଜାଣିବା କଳାଠାକୁରଙ୍କୁ ନେଇ ଏକ ରହସ୍ୟମୟ କାହାଣୀ...
ଜୟ ଜଗନ୍ନାଥ...
ତ୍ରେତୟା ଯୁଗର କଥା । କିସ୍କିନ୍ଦ୍ୟାର ରାଜା ବାଳିଙ୍କୁ ବଦ୍ଧ କଲେ ପ୍ରଭୁ ଶ୍ରୀରାମ । ନିଜର ପରମ ମିତ୍ର ବନ୍ଧୁ ସୁଗ୍ରୀବଙ୍କୁ ରାଜା ଭାବରେ ଅଭିଷେକ କରାଇଥିଲେ । ବନ୍ଧୁ ସୁଗ୍ରୀବଙ୍କୁ କଥା ଦେଇ କଥା ରଖିଲେ ପ୍ରଭୁ ଶ୍ରୀରାମଚନ୍ଦ୍ର । ଏଥିପାଇଁ ପରାକ୍ରମୀ ବାଳିଙ୍କୁ ଛଳନା କରି ମାରିଥିଲେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ବାଳି ଏବଂ ସୁଗ୍ରୀବ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଏକ ଗଛ ଆଢୁଆଳରେ ରହି ରଘୁନାଥ ବାଳିଙ୍କ ଉପରକୁ ଶର ମାରିଥିଲେ । ବାଳି ସେହିଠାରେ ହିଁ ଲୋଟି ପଡ଼ିଲେ । ଏ ଘଟଣା ପରେ ମର୍ମାହତ ହେଲେ ଶ୍ରୀରାମ । ବାଳିଙ୍କୁ କହିଲେ, କଣ ତୁମର ମନସ୍କାମନା ଅଛି? ମୃତ୍ୟୁ ପୂର୍ବରୁ ଯଦି କିଛି ବର ମାଗିବାକୁ ଚାହୁଁଛ ତେବେ ମାଗିପାର । ଯନ୍ତ୍ରଶାରେ ଛଟପଟ ବାଳି କହିଲେ, ହେ ପ୍ରଭୁ ଆପଣ ମର୍ଯ୍ୟାଦାପୁରୁଷ । ଆପଣ ନାରାୟଣଙ୍କ ଅବତାର ହୋଇ ମଧ୍ୟ ମୋତେ କପଟ କରି ହତ୍ୟା କଲେ । ମୁଁ ଆପଣଙ୍କୁ ଏ ବର ମାଗୁଛି ଯେ ଆପଣ ଯେଉଁ ପାପୁଲିରେ ଶରବିଦ୍ଧ କରିଛନ୍ତି, ସେହି ହାତର ପାପୁଲି ଆପଣଙ୍କର ନ ରହୁ ।
ବାଳିଙ୍କର ଏହି କଥା ଶୁଣି ଶ୍ରୀରାମ ମଧ୍ୟ କାନ୍ଦି ପକାଇଥିଲେ । ପ୍ରଭୁ କହିଲେ, ହେ ପରାକ୍ରମୀ ବାଳି, ତୁମର ଏହି ଅଭିଶାପକୁ ମୁଁ ଏହି ଜନ୍ମରେ ପୂରଣ କରିପାରିବି ନାହିଁ । କଳିଯୁଗରେ ମୁଁ ଯେବେ ଜନ୍ମ ନେବି, ଆପଣଙ୍କୁ ଦେଇଥିବା ବର ଅନୁସାରେ ମୋର ହାତ ରହିବ, ହେଲେ ପାପୁଲି ନଥିବ । ଅଧାଗଢା ହୋଇ ମୁଁ ଶ୍ରୀଜଗନ୍ନାଥ ରୂପରେ ଅବତାର ନେବି । ସେତେବେଳେ ମୋ ପାଖରେ ପାପୁଲି ନଥିବ । ମୁଁ କାହାକୁ ଛଳନା କରି ହତ୍ୟା କରିପାରିବି ନାହିଁ । ଏତିକି ଶୁଣିବା ପରେ ବାଳି ଶ୍ରୀରାମଙ୍କ କୋଳରେ ପ୍ରାଣତ୍ୟାଗ କରିଥିଲେ । ତେଣୁ ତ୍ରେତୟା ଯୁଗରେ ବାଳିଙ୍କୁ ଦେଇଥିବା ବରଦାନ ଏବଂ ପ୍ରତିଜ୍ଞା ଯୋଗୁଁ କଳି ଯୁଗରେ ଅଧାଗଢା ହୋଇ ରହିଛନ୍ତି ପ୍ରଭୁ ନାରାୟଣଙ୍କ ଅବତାର ଶ୍ରୀଜଗନ୍ନାଥ ।
ପୁରାଣ କହୁଛି, ବାଳି କାଳେ ରଘୁକୁଳ ତିଳକ ଶ୍ରୀରାମଙ୍କୁ କହିଲେ, ପ୍ରଭୁ ମୁଁ ହେଉଛି ଏହି ରାଜ୍ୟର ରାଜା । ଏହି ରାଜ୍ୟରେ ସମସ୍ତ ବାନର ସହ ଯେତେ ଗଛ ଲତା ପଶୁ ପକ୍ଷୀ ଅଛନ୍ତି ସେ ସବୁ ମୋର । ହେଲେ ଯେଉଁ ଗଛ ପଛରେ ଆପଣ ଲୁଚି ଯାଇ ମୋତେ ଆକ୍ରମଣ କଲେ ସେହି ଗଛ ବେଇମାନ୍ । ରାଜ୍ୟର ରାଜାଙ୍କ ସହ ଏ ନିମ୍ବ ଗଛ ବିଶ୍ୱାସଘାତକତା କରିଛି । । ଆଜିଠୁ ପ୍ରଭୁ ଏ ଗଛକୁ ଏମିତି କରିଦିଅନ୍ତୁ ଯେମିତି ତାର ଫଳ, ପତ୍ରକୁ ଯିଏ ବି ପାଟିରେ ଦେବେ ଥୁ ଥୁ କରିବ । ପ୍ରଭୁ କହିଲେ ତଥାସ୍ତୁ । ନିମ୍ବ ବୃକ୍ଷ ପ୍ରଭୁଙ୍କ ପାତ ତଳେ ପଡିଯାଇ କହିଲା, ଆପଣ ପ୍ରଭୁ କେତେ ସ୍ୱାର୍ଥପର? ନିଜର ପତ୍ନୀଙ୍କୁ ଉଦ୍ଧାର କରିବାକୁ ସୁଗ୍ରୀବଙ୍କ ସହ ବନ୍ଧୁତା କଲେ । ବାଳୀକୁ ମାରିବାକୁ ମୋ ଉହାଡ଼କୁ ବାଛିଲେ । ମୋତେ ପୁଣି ଆପଣ ବାଳୀର କହିବା ଅନୁସାରେ ଅଭିଶାପ ଦେଇ ଯାଉଛନ୍ତି । ପ୍ରଭୁ ହସି ହସି କହିଲେ, ହେ ବୃକ୍ଷ ଦେବତା । ତୁମ ପାପର ଭାର ଆଜିଠୁ ମୋର । ତୁମର ଦେହରେ ମୋର ଶରୀର ଗଢ଼ା ହେବ । ନିମ୍ବଦାରୁରେ ହିଁ ମୋ ବିଗ୍ରହ ତିଆରି ହେବ । ମୁଁ ଜଗନ୍ନାଥ ରୂପରେ ପୂଜା ପାଇବି । ସେଥିଲାଗି କାଳେ ମହାପ୍ରଭୁଙ୍କ ବିଗ୍ରହ ନିମ୍ବ କାଠରେ ତିଆରି । ଏହା ବି କୁହାଯାଏ ଯେ, ବିଶ୍ୱକର୍ମା ଶ୍ରୀଜିଉଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ସର୍ତ୍ତ ଖିଲାପ କଲେ । ଦିଅଁ ଗଢ଼ୁଥିବା ବିଶ୍ୱକର୍ମାଙ୍କ ନିହଣ ଶବ୍ଦ ନଶୁଭିବାରୁ ଶଙ୍କାଗ୍ରସ୍ତ ହୋଇ ନିବଜୁ କବାଟ ଭାଙ୍ଗିଦେଲେ । ଅନ୍ତର୍ଦ୍ଧାନ ହୋଇଗଲେ ବିଶ୍ୱକର୍ମାୀ । ଅଧାଗଢା ହୋଇ ରହିଗଲେ ଦିଅଁ । ମହାପ୍ରଭୁଙ୍କର ଏହା ତ ହେଉଛି ମହାଲୀଳା ।