ଭୁବନେଶ୍ୱର,୧୦/୦୧: ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ଏନେଇ ପ୍ରସ୍ତୁତି ଜୋରଦାର କରାଯାଉଛି । ତ୍ରୁଟିଶୂନ୍ୟ ଓ ଶୃଙ୍ଖଳିତ  ପରୀକ୍ଷା କରିବା ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  (ସିଏଚ୍‌ଏସ୍‌ଇ) । ଅନ୍ୟପଟେ କପି ରୋକିବା ପାଇଁ ଚଳିତ ବର୍ଷରୁ ଆରମ୍ଭ ହେବ  ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା । ପ୍ରତି ଜିଲ୍ଲାରେ ପରୀକ୍ଷା ପରିଚାଳନା ହବ୍‌ ସହ ସ୍କ୍ୱାଡ୍‌  ଡିପୋ କରାଯିବ । ଗୋଟିଏ ଟିମ୍‌ରେ ୩ଜଣ ଲେଖାଏଁ ଅଧିକାରୀ ରହିବେ । ଛୋଟ  ଜିଲ୍ଲା ପାଇଁ ଗୋଟିଏ ଟିମ୍‌ ଓ ବଡ଼ ଜିଲ୍ଲା ପାଇଁ ୨ଟି ଟିମ୍‌ ଗଠନ ହେବ । ସେମାନେ  ପରୀକ୍ଷା ସରିବା ଯାଏ ଡିପୋରେ ରହିବେ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ  ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି । 

ଡ. ପରିଡ଼ା କହିଛନ୍ତି, ପ୍ରତିବର୍ଷ ରାଜ୍ୟସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା କରାଯାଏ ।  ହେଲେ ଏହି ଟିମ୍‌ ସବୁ ଜିଲ୍ଲାକୁ ଯାଇ ନିୟମିତ ବ୍ୟବଧାନରେ କପି ଯାଞ୍ଚ  କରିବା କଷ୍ଟକର ହେଉଥିଲା । କିନ୍ତୁ ଚଳିତ ବର୍ଷରୁ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା  କରାଯିବ । ସେମାନେ ନିକଟସ୍ଥ କଲେଜର ଅତିଥି ଭବନରେ ରହିବେ । ସେହି  ସ୍ଥାନକୁ ସ୍କ୍ୱାଡ୍‌ ଡିପୋ କରାଯିବ । ଗତବର୍ଷ ପରୀକ୍ଷାମୂଳକ ଭାବେ କୋରାପୁଟ,  ଅନୁଗୁଳ ଓ କେନ୍ଦୁଝର ଆଦି ୩ଟି ଜିଲ୍ଲାରେ ଏହି ଜିଲ୍ଲାସ୍ତରୀୟ ସ୍କ୍ୱାଡ୍‌ର ବ୍ୟବସ୍ଥା  ହୋଇଥିଲା । ଏହା ସଫଳ ହୋଇଥିବାରୁ ପ୍ରତିଜିଲ୍ଲାରେ ଏହାକୁ ଲାଗୁ କରାଯିବାକୁ  ଯୋଜନା ହେଉଛି । 

 ଏହି ସ୍କ୍ୱାଡ୍‌ ଟିମ୍‌ରେ ଜିଲ୍ଲା ବାହାର ଅଧ୍ୟାପକକୁ ସାମିଲ କରାଯିବ । ଟିମ୍‌ ବିଭିନ୍ନ  ପରୀକ୍ଷା କେନ୍ଦ୍ରକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ । ସେମାନଙ୍କ ରହଣିଠୁ ଆରମ୍ଭ  କରି ଖାଇବା ଓ ଗସ୍ତ ଖର୍ଚ୍ଚ ବହନ କରିବ ସିଏଚ୍‌ଏସ୍‌ଇ । ଏଥିସହ ପରିଷଦ ପକ୍ଷରୁ  ଜୋନ୍‌ସ୍ତରୀୟ, ହବ୍‌ ନିରୀକ୍ଷକ ଓ ଜିଲ୍ଲାପାଳଙ୍କ ପ୍ରତିନିଧିକୁ ନେଇ ସ୍କ୍ୱାଡ୍‌ ଗଠନ ହେବ ।