ଭାରତୀୟ ସଂସ୍କୃତି କେତେ ଉନ୍ନତ ଓ ଉତ୍କୃଷ୍ଟ । ଆମ ସଂସ୍କୃତି ହେଉଛି ପ୍ରେମ, ତ୍ୟାଗ, ସେବା, ଭକ୍ତିର ସଂସ୍କୃତି । ସଂସ୍କୃତି ହେଉଛି ସମାଜିକ ଚେତନାର ନୈତିକ ଭିତ୍ତି ଓ ବ୍ୟକ୍ତିଗତ ମାନବିକତାର ଆଧାର । ଏହା ସ୍ୱାଧୀନ, ନ୍ୟାୟ ଅନ୍ୟାୟର ଊଦ୍ଧ୍ୱର୍ରେ । ଏହା କଳାର ଉତ୍କର୍ଷତାକୁ ଆହୁରି ବର୍ଦ୍ଧନ କରାଇବାର ମାର୍ଗ । ସଂସ୍କୃତି ଏକ ଦେଶର କିମ୍ବା ସମାଜର ସମସ୍ତ କଳା, ଚଳଣି, ଧର୍ମ, ମୂଲ୍ୟବୋଧ, ପ୍ରଥା, ପରମ୍ପରା, ବ୍ୟବହାର, ବିଶ୍ୱାସ, ଶୃଙ୍ଖଳା, ଅଭ୍ୟାସ, ଉପାସନା, ଆଇନ, ଆଦର୍ଶ, କ୍ଷମତାର ସମାରୋହ । ଏହା ସବୁ ମଣିଷର ଜ୍ଞାନ ଓ ବୁଦ୍ଧିରହିତ । ସଂସ୍କୃତି ଦ୍ୱାରା ସମାଜ ବ୍ୟକ୍ତିର ଦିଗନ୍ତକୁ ପରିବ୍ୟାପ୍ତ କରେ । ମଣିଷ ଜ୍ଞାନର ପରିପକ୍ୱତା ସଂସ୍କୃତିକୁ ରକ୍ଷାକରେ ଓ ଉତ୍କୃଷ୍ଟ କରେ । ସଂସ୍କୃତି ଜାତୀୟ ପ୍ରେମ ଓ ରାଷ୍ଟ୍ରଚେତନା ଜାଗ୍ରତ କରେ । ସାଂସ୍କୃତିକ ସମସ୍ତ ଉପାଦାନ ଯୁଗ ଯୁଗ ଧରି, ପିଢ଼ି ପରେ ପିଢ଼ି ମଣିଷ ସଂଗ୍ରହ କରିଥାଏ । କିନ୍ତୁ ଆମ ସଂସ୍କୃତି ଆଜି କେବଳ ଔପଚାରିତାରେ (ପୂଜା, ପର୍ବ) ବନ୍ଧା । ଆଜି ଆଧୁନିକୀକରଣର ମହାପ୍ରବାହରେ ସମସ୍ତେ ନିମଗ୍ନ । ଅଧିକ ଶକ୍ତି ସାମର୍ଥ୍ୟ/ଯୋଗ୍ୟତା ଥାଉ କି ନଥାଉ ଅଧିକ ଉପାର୍ଜନ କରିବା, ଅଧିକ ଉପାର୍ଜନ ଥାଉ କି ନଥାଉ ଅଧିକ କ୍ରୟ, ଅଧିକ ଉପଭୋଗ କରିବା ଲାଳସାରେ ସମସ୍ତେ ଧାଉଁଛୁ । ସହରୀକରଣ ସାଜିଛି ଭୋଗବାଦୀ ଓ ବସ୍ତୁବାଦୀ ଦୁନିଆର ପେଣ୍ଠସ୍ଥଳୀ । ବସ୍ତୁବାଦର କୁହେଳିକା ଭିତରେ କିଛି ଝାମ୍ପି ନେବାକୁ ନିଜ ନିଜ ସ୍ତରରେ ସମସ୍ତେ ବ୍ୟଗ୍ର ଓ ଉଦ୍ୟମରତ । ସମସ୍ତେ ପ୍ରତିଯୋଗିତାପ୍ରବଣ ହୋଇପଡ଼ିଛନ୍ତି । ଏହାଦ୍ୱାରା ସମାଜରେ ହୀନମନ୍ୟତା ଓ ବିକୃତ ମାନସିକତା ପ୍ରଚଣ୍ଡ ଭାବେ ବ୍ୟାପୁଛି । ଏହା ସାଥିରେ ସାମାଜିକ ମୂଲ୍ୟବୋଧର ଓ ମାନବୀୟ ଚେତନାର କ୍ଷିପ୍ର ଅବକ୍ଷୟ ଘଟୁଛି ।
ସଂସ୍କୃତି ବଦଳରେ ନଗ୍ନ ସଭ୍ୟତାର ପ୍ରସାର ହେଉଛି । ସଭ୍ୟତା ଆଜି ବାହ୍ୟ ଚାକଚକ୍ୟରେ ବନ୍ଧାପଡ଼ିଛି । ଆଧୁନିକ ସଭ୍ୟତା ମଣିଷର ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରସାରିତ ଓ କବଳିତ । ରାବଣ ଥିଲେ ଖୁବ୍ ସଭ୍ୟ ଓ ମହାଜ୍ଞାନୀ । ତାଙ୍କର ସାମ୍ରାଜ୍ୟ ସଭ୍ୟତା ଓ ଆଧୁନିକତାର ଶୀର୍ଷରେ ପହଞ୍ଚିଥିଲା । କିନ୍ତୁ ରାମ ଥିଲେ ଖୁବ୍ ସଂସ୍କୃତିସମ୍ପନ୍ନ । ଭଲ ସଂସ୍କୃତି ଉନ୍ନତ ସଭ୍ୟତାକୁ ହିଁ ବୁଝାଏ । କିନ୍ତୁ ଉନ୍ନତ ସଭ୍ୟତା ଉତ୍କୃଷ୍ଟ ସଂସ୍କୃତିକୁ ବୁଝାଏନାହିଁ । ଜ୍ଞାନର ଆଲୋକରେ ଉଦ୍ଭାସିତ ବିଜ୍ଞାନ ଜଗତରେ ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ବୃଦ୍ଧିପାଉଛି । ଶିକ୍ଷିତ ବର୍ଗଙ୍କ ଭିତରେ ମିଥ୍ୟା, ଛଳନା, ପ୍ରତାରଣା, ପ୍ରବଞ୍ଚନା, ହିଂସା, ସନ୍ଦେହ, ଦ୍ୱେଷ, ଆଳସ୍ୟ, ଅୟସଖୋର ମନୋଭାବ, ଜିନିଷପତ୍ର ନଷ୍ଟ କରିବା ମାନସିକତା ଓ ଅହଂଭାବ ସବୁକିଛି କ୍ରମାଗତ ଭାବେ ବଢ଼ିଚାଲିଛି । ଆତ୍ମହତ୍ୟା ପ୍ରବଣତା ସହ ଯୁଦ୍ଧ ପ୍ରକୋପ ବୃଦ୍ଧିପାଉଛି । ଏସବୁ ହିଁ ସାମାଜିକ ବ୍ୟାଧି ଓ ଭୋଗବାଦର ପରିଣତି । ଏହା କୌଣସି ସୁସ୍ଥ ସମାଜର ଲକ୍ଷଣ ଆଦୌ ନୁହେଁ । ଆଜି ଯଦି କିଏ ମଣିଷକୁ ଶାସନ କରୁଥାଏ ତାହା ହେଉଛି କେବଳ ଟଙ୍କା, କୃତ୍ରିମତା ଓ ଅହଂକାର । ଆଜି ଯଦି କିଛି ବୈଷମ୍ୟ ସୃଷ୍ଟିକରୁଥାଏ ତାହା ହେଉଛି କଳା ଧନ । ପ୍ରେମ, ଶାନ୍ତି, ବିଶ୍ୱାସ ଓ ସୁରକ୍ଷାର ଅଭାବ ସବୁଆଡ଼େ । ସମାଜ ଆମର ପାଲଟିଛି କୃତ୍ରିମ ଓ ରୁଗ୍ଣ । ତେଣୁ ଏ ପରିପ୍ରେକ୍ଷୀରେ ସାହିତ୍ୟର ଦାୟିତ୍ୱ ହେଉଛି ସମାଜକୁ ସୁସ୍ଥ ରଖିବା, ସମାଜକୁ ଓ ବ୍ୟକ୍ତିବିଶେଷକୁ ଠିକ୍ ମାର୍ଗରେ ଅଗ୍ରସର କରିବାକୁ ଇଙ୍ଗିତ ଦେବା । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା ସତ, କିନ୍ତୁ ଆମର ଓଡ଼ିଆ ଭାଷା ପ୍ରତି ଓଡ଼ିଶାର ଉଚ୍ଚଶିକ୍ଷିତ ଗୋଷ୍ଠୀଙ୍କର ବିମୁଖତା ଖୁବ୍ ବୃଦ୍ଧିପାଉଛି । ଚାକିରିଆ ମନୋବୃତ୍ତି ଆମକୁ ଇଂରାଜୀ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରୁଛି ।
ଶିକ୍ଷାର ଗୁଣାତ୍ମକ ମାନ ଆଦୌ ବଢ଼ୁନାହିଁ । ଏ ପ୍ରକାର ପାଠପଢ଼ା ବ୍ୟବସ୍ଥା ଦ୍ୱାରା, ଶିକ୍ଷିତ ବ୍ୟକ୍ତିର ସାମାଜିକ ସମ୍ପୃକ୍ତି କମିକମି ଯାଉଛି । ପିଲାମାନଙ୍କ ଶୈଶବର ଆନନ୍ଦ ହଜିଗଲାଣି । ବାଲ୍ୟାବସ୍ଥାକୁ ଅଧିକ ଉପଭୋଗମୟ କରିବା ପରିବର୍ତ୍ତେ ମାନସିକ ଚାପ ବୃଦ୍ଧିପାଉଛି । ସେମାନଙ୍କ ମେଧାଶକ୍ତି ଅତିରିକ୍ତ ପାଠପଢ଼ା ଚାପରେ ନଷ୍ଟ ହୋଇଯାଉଛି । ଘରୋଇକରଣ ଓ ଉଦାରୀକରଣ ପନ୍ଥା ଆଦରି ନେଲୁ । ଶିକ୍ଷା ଆଉ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଜାରୀକରଣ କରିଦେଇଛୁ । ଯୁକ୍ତି ବାଢ଼ିଲୁ ପ୍ରତିଯୋଗିତା ବୃଦ୍ଧିପାଇଲେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ପ୍ରସାର ହେବ । ଶିକ୍ଷା ଆଉ ସ୍ୱାସ୍ଥ୍ୟ ବଜାରର କିଣାବିକା ବସ୍ତୁ ହୋଇଯାଇଛି । ନୂଆ ଇଂରାଜୀ ମାଧ୍ୟମ ଶିକ୍ଷାବ୍ୟବସ୍ଥା ପିଲାଙ୍କ ସୃଜନୀଶକ୍ତିର ବିକାଶ କରିବାର ବାହାନା କରୁଛି ମାତ୍ର । ପିଲାମାନଙ୍କର ଚାତୁର୍ଯ୍ୟ ଓ ଆଇକ୍ୟୁ ବୃଦ୍ଧିପାଉଛି ସତ, କିନ୍ତୁ ସେମାନଙ୍କର ସିକ୍ୟୁ(କଲ୍ଚରାଲ କୋସେଣ୍ଟ) ଇକ୍ୟୁ (ଇମୋସ୍ନାଲ କୋସେଣ୍ଟ) ଆଉ ଏକ୍ୟୁ (ଆଡ୍ଭର୍ସିଟି କୋସେଣ୍ଟ) ରେ ହ୍ରାସ ଘଟୁଛି । ସେମାନେ ପୂରା ଛାତ୍ର ହୋଇପାରନ୍ତି, କିନ୍ତୁ ସଂସ୍କୃତି ଦିଗରେ ବିକଳାଙ୍ଗ ଓ ଆଧ୍ୟାତ୍ମିକତା ଦିଗରେ ଦେବାଳିଆ । ସଂସ୍କାରବିହୀନ ଜୀବନଚର୍ଯ୍ୟା ଘରେ ଘରେ । ସଂସ୍କାର ବିନା ସଂସ୍କୃତି ଅସମୀଚୀନ । ଇଂରାଜୀରେ ପାଠ ପଢ଼ିବା ଆଦୌ ଦୋଷାବହ ନୁହେଁ । କିନ୍ତୁ ଇଂରାଜୀ ସାମ୍ରାଜ୍ୟବାଦର ଅହମିକା ଓ ବିଦେଶୀ-ଅନୁକରଣ ମାନସିକତା ଯୁବପିଢ଼ିକୁ ଗ୍ରାସ କରିବା ଖୁବ୍ ବିପଦଜନକ ।
ସମସ୍ତେ ସଫଳତା ପାଇଁ ଆତ୍ମକୈନ୍ଦ୍ରିକ ହୋଇଉଠୁଛନ୍ତି । ମନୁଷ୍ୟ ଅର୍ଥ, ପଦ, କ୍ଷମତା ଭିତରେ ସଫଳତା ସହ ଖୁବ୍ ପ୍ରଶଂସିତ ହେଲେ ବି ଜୀବନରେ ଶାନ୍ତି ଓ ଆନନ୍ଦର ଅଭାବ ପରିଲକ୍ଷିତ ହେଉଛି । ଯେବେଠୁଁ ସୁଖଠାରୁ ଆନନ୍ଦ, ଆଉ ଜୀବିକାଠାରୁ ଜୀବନ, ଧର୍ମଠାରୁ ଆଧ୍ୟାତ୍ମିକତା, ସଭ୍ୟତାଠାରୁ ସଂସ୍କୃତି ଅଲଗା ହେଇଯାଇଛି । ପ୍ରାକୃତିକତାଠାରୁ କୃତିମତାର ଦୂରତ୍ୱ, ସଭ୍ୟତାଠାରୁ ସଂସ୍କୃତି ଦୂରତ୍ୱ ସେତିକି ବଢ଼ିଛି । ନଦୀ ସହ ସମୁଦ୍ରର, ଜହ୍ନ ସହ ଜ୍ୟୋତ୍ସ୍ନାର, ନକ୍ଷତ୍ର ସହ ଆକାଶର ଯେତିକି ନିବିଡ଼ ସଂପର୍କ, ସଂସ୍କୃତି ସହ ଜୀବନର ସଂପର୍କ ସେତିକି ନିବିଡ଼ । ଭୋଗବାଦୀ ସଭ୍ୟତା ମଣିଷକୁ ଲୋଭଗ୍ରସ୍ତ ଓ ଅୟସଖୋର କରିଦେଇଛି । ଶିକ୍ଷିତ, ଧନୀ ଓ ସଫଳ ଲୋକେ ଅଧିକ ସ୍ୱାର୍ଥପରତାରେ ଜଡ଼ିତ, ଯଦିଓ ସେମାନଙ୍କ ମଧ୍ୟରୁ କିଛି ସାଧୁ ଓ ଅଧିକ କର୍ମଠ ହେଇପାରନ୍ତି । ପେସା, ପଇସା, ଚାକିରି, ପ୍ରତିଷ୍ଠା, ସମ୍ମାନ ପଛରେ ଆଖିବୁଜି ସମସ୍ତେ ଧାଉଛନ୍ତି । ଯଦି ଆମେ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ହେଳା କରୁଛୁ, ନିଜର କର୍ତ୍ତବ୍ୟ ଠିକ ଭାବେ ତୁଲାଉଛୁ ବୋଲି ଗର୍ବ କରିବାରେ କିଛି ମାନେ ହୁଏନା । ସାମାଜିକ ଭୂମିକା, ସାମାଜିକ ମୂଲ୍ୟବୋଧର କ୍ଷୟ ଆଜି ଛତ୍ରେଛତ୍ରେ । ତେଣୁ ଚୋର ଓ ସଚ୍ଚୋଟ ମଧ୍ୟରେ ଯାହା ପାର୍ଥକ୍ୟ ଥିଲେ ବି ଗୋଟିଏ କ୍ଷେତ୍ରରେ ସେମାନେ ସମାନ । ବ୍ୟକ୍ତିଜଣକ ଠକ, ଚୋର ହୋଇପାରେ କିମ୍ବା ନୀତିନିଷ୍ଠ, ସାଧୁ ହୋଇପାରେ । ଚୋର ଅପରାଧୀ ଭାବେ କ୍ଷତି କରେ । ସାଧୁ ନୈତିକତା ଦୃଷ୍ଟିରେ ଶ୍ରେୟ, କିନ୍ତୁ ସମାଜର ମଙ୍ଗଳ କରେନାହିଁ । ଉଭୟଙ୍କର ସମାଜ ଦାୟିତ୍ୱବୋଧର ଅଭାବ । ଚୋର ଦେଖାଯାଏ, କିନ୍ତୁ ସାଧୁ ସମସ୍ୟା ଦେଖାଯାଏନାହିଁ ।
ଆମେ ଯେତେ ଆଧୁନିକ ହୋଇଚାଲିଛେ, ଆମ ସମାଜ ସେତିକି ବେଶି ବସ୍ତୁବାଦୀ ଓ ଭୋଗବାଦୀ ହୋଇଯାଉଛି । ଆଧୁନିକତା ଏ ସଙ୍କଟକୁ ଘନୀଭୂତ କରୁଛି । କାରଣ ଆଧୁନିକତା କୃତ୍ରିମତାରେ ଭରା । ଆଧୁନିକତାର ଭୁଲ୍ ରାସ୍ତାକୁ ଆମେ ଠିକ୍ ରାସ୍ତା ବୋଲି ଯୁକ୍ତି କରୁଛୁ । ସ୍ୱାର୍ଥାନ୍ୱେଷୀ ମଣିଷ ମଣିଷପଣିଆଠୁ ଦୂରେଇଯାଉଛି । ସାମାଜିକ ଅଧୋଗତି ଓ ସାଂସ୍କୃତିକ ସ୍ଖଳନ ଘଟିଚାଲିଛି । ଯୁବପ୍ରାଣରେ ଆଜି ଆଉ ଆବେଗ ନାହିଁ । ସ୍ୱପ୍ନବିହୀନ, ଉଦାସୀନ ଓ ଲକ୍ଷ୍ୟଭ୍ରଷ୍ଟ । ନିଷ୍ଠା, ପ୍ରଚେଷ୍ଟା, ଧୈର୍ଯ୍ୟର ଘୋର ଅଭାବ । ବେଗ, ଆବେଗର ପରିପନ୍ଥୀ ସାଜିଛି, ବୃତ୍ତି ପ୍ରବୃତ୍ତିର ଶତ୍ରୁ ସାଜିଛି । ଯୁବକ ମନରେ ଆଳସ୍ୟଖୋର ସାଙ୍ଗରେ ଅୟସଖୋର ମନୋବୃତ୍ତି ଭରିରହିଛି । ଯୁବପିଢ଼ି ବର୍ତ୍ତମାନ ହତାଶାଗ୍ରସ୍ତ, ଅନ୍ୟପକ୍ଷରେ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ । ସେଥିପାଇଁ ଦେଶର ଭବିଷ୍ୟତ ମଧ୍ୟ ଅନ୍ଧକାର । ବର୍ତ୍ତମାନ ବଜାର ଓ ବୈଷୟିକ ପରିବେଶ ଖୁବ୍ ବିଷାକ୍ତମୟ । ଜୀବନକୈନ୍ଦ୍ରିକ ଶିକ୍ଷା ପରିବର୍ତ୍ତେ ପେସାକୈନ୍ଦ୍ରକ ଶିକ୍ଷା ପ୍ରସାରିତ ହେଉଛି । ଏହା ସମାଜ ପାଇଁ ସବୁଠୁ ବିପଦଜନକ । ସମାଜ କଳୁଷିତ, ସବୁ ସଂପର୍କ ଛଳନାମୟ । ଏଇ ପରିପ୍ରେକ୍ଷୀରେ ଶିକ୍ଷାର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଜୀବନ ସହିତ ସାହିତ୍ୟର ସମ୍ପର୍କ ନିବିଡ଼ ହୋଇଥିବାରୁ ସାହିତ୍ୟର ଉପସ୍ଥିତି ଜୀବନରେ ରହିଲେ ଜୀବନର ମାଧୁରିମା ବଢ଼େ । ନଚେତ୍ ଜୀବନ ଯନ୍ତ୍ରଣାଦାୟକ ପାଲଟିଯିବ । ରୁକ୍ଷତା ଓ କଠୋରତା ଜୀବନରେ ଅଧିକ ପ୍ରକାଶ ପାଉଛି । ହିଂସା, ଦୁର୍ନୀତି, ଅନୀତି, ଶୋଷଣ ସମାଜରେ ବୃଦ୍ଧିପାଉଛି । ସାହିତ୍ୟର ସ୍ପର୍ଶରେ ବ୍ୟକ୍ତିଗତ ଜୀବନ ମଧୁମୟ ହୁଏ । ସାହିତ୍ୟ କେବଳ ଜୀବନ ଜୀବିକା, ସଫଳତାର ସଂଜ୍ଞା ନିରୂପିତ କରେ । ସାହିତ୍ୟ ବେଗ-ଆବେଗ, ପେସା- ନିଶା, ବୃତ୍ତି-ପ୍ରବୃତ୍ତି, ଗତି-ପ୍ରଗତି, ସଭ୍ୟତା-ସଂସ୍କୃତି ପାର୍ଥକ୍ୟ ବୁଝାଏ । ସାହିତ୍ୟ କୁହେ- କ୍ଷୁଦ୍ର ହିଁ ସୁନ୍ଦର, ଜୀବନ ମୂଲ୍ୟବାନ ଓ ମଣିଷ ଜୀବନ ଅର୍ଥପୂର୍ଣ୍ଣ । ସାହିତ୍ୟ ମଣିଷ ଜୀବନକୁ ମୂଲ୍ୟଯୁକ୍ତ କରି ସମାଜକୁ ଉପଯୁକ୍ତ ମାର୍ଗ ଦର୍ଶାଏ ।
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ଖୁବ୍ ଗର୍ବର କଥା । ଦୁଃଖର କଥା ଏବେ ପାଠକ ମରୁଡ଼ି, ସାହିତ୍ୟ ସଭାମାନଙ୍କରେ ଶ୍ରୋତାଙ୍କର ଉପସ୍ଥିତି କମିବାରେ ଲାଗିଛି । ବିଶେଷକରି ଓଡ଼ିଆ ପାଠକମାନଙ୍କର ବହି କିଣିବା ପ୍ରବଣତା ଖୁବ୍ କମି କମି ଯାଉଛି । ପାଠକ ପାଇଁ ଲେଖକ । ପୁସ୍ତକର କୌଣସି ବିକଳ୍ପ ନାହିଁ । ବହି ହିଁ ଜୀବନର ଶ୍ରେଷ୍ଠ ସାଥୀ । ଭରସାଯୋଗ୍ୟ ବନ୍ଧୁ । ବର୍ଷମାନଙ୍କ ସହିତ ଆହୁରି ଜୀବନ ଯୋଡ଼ିବା ପାଇଁ ବହି ଶିଖାଏ । ଜୀବନ ସହିତ ବର୍ଷମାନଙ୍କୁ ଯୋଡ଼ିବା ପାଇଁ ନୁହେଁ । ଉଚ୍ଚମାନର ଜୀବନ ପାଇଁ ଏକ ବୌଦ୍ଧିକ ଉତ୍ତରଣ ପାଇଁ ବହି ଏକ ଉତ୍କୃଷ୍ଟ ମାଧ୍ୟମ । ଚିନ୍ତାଶକ୍ତିକୁ ଉନ୍ନତ କରିବାପାଇଁ ପଠନ ଅଭ୍ୟାସ ଅବଶ୍ୟକ । ଆଧୁନିକୀକରଣର ମହାପ୍ରବାହର ବିକୃତ ଧାରାରେ ଆମେ ସାମିଲ ହୋଇଛୁ । ଏବେ ସାରା ସମାଜ ସାଜିଛି ବଜାରମୁଖୀ । ଆମର ସାଂସ୍କୃତିକ ପୁଞ୍ଜି ଓ ଆମ ସାମାଜିକ ମୂଲ୍ୟବୋଧ ଏବେ ସମ୍ପୂର୍ଣ୍ଣ ଆକ୍ରାନ୍ତ । ବଜାର ବିଜ୍ଞାନ ସାଥିରେ ଚାଲିଥିବାବେଳେ ସମାଜରେ ଅପସଂସ୍କୃତି ଓ ଅନ୍ଧବିଶ୍ୱାସ ଭରିଯାଉଛି । ବୈଜ୍ଞାନିକ ଚିନ୍ତାଚେତନା ବୃଦ୍ଧି ପାଉନାହିଁ । ବିଜ୍ଞାନୀମାନେ ଜୀବନରେ ମଙ୍ଗଳ ଖୋଜିବା ପରିବର୍ତ୍ତେ ମଙ୍ଗଳ ଗ୍ରହରେ ଯାଇ ଜୀବନ ଖୋଜୁଛନ୍ତି । ମଣିଷର ଜ୍ଞାନବିଜ୍ଞାନର ସାମାଜିକ ପ୍ରାସଙ୍ଗିକତା ଓ ସାମାଜିକ ସଂପୃକ୍ତି କମିକମି ଯାଉଛି । ଧର୍ମ ଭିତରେ ଧର୍ମାନ୍ଧତା, ଆଧୁନିକତା ଭିତରେ କୃତ୍ରିମତା ଭରିଯାଉଛି । ଧର୍ମ କେବଳ ପୂଜା, ଉପାସନା, ରୀତିନୀତିରେ ବନ୍ଧା । ଧର୍ମଭାବନା ଅଧ୍ୟାତ୍ମିକତାର ପରିପନ୍ଥୀ ସାଜିଛି । ପରିବାର ଭିତରେ ଆତ୍ମୀୟତା କମୁଛି ଏବଂ ସମାଜରେ ମାନବିକତା ହ୍ରାସପାଉଛି । ବିଜ୍ଞାନ ସମାଜର ସାଥୀ ନହୋଇ ବଜାରର ସାଥୀ ହେବା ହେଉଛି ଏକ ବିଡ଼ମ୍ବନା । ଏହି ଦିଗହରା ବେଳରେ ସଠିକ୍ ବାଟ ଦେଖାଇବ ଏକମାତ୍ର ଶିକ୍ଷା ଓ ସାହିତ୍ୟ । ଯେଉଁଠି ସାହିତ୍ୟର ଗୁଣାତ୍ମକ ଅବକ୍ଷୟ ଘଟେ, ସେଠି ସଭ୍ୟତାର ମଧ୍ୟ ବିନାଶ ଘଟେ । କାରଣ ସାହିତ୍ୟ ବିନା ସଂସ୍କୃତି ପାଲଟେ ବନ୍ଧ୍ୟା । ଏଇ ମର୍ମରେ ଏ ଆଲୋଚନାକୁ ଦୁଇଟି ବିନ୍ଦୁରେ ଏଇଠି ସମାପ୍ତ କରିବା । ପ୍ରଥମେ, ଯେତେବେଳେ ଅର୍ଥନୈତିକ ବୈଷମ୍ୟ ନିରନ୍ତର ଭାବେ ବୃଦ୍ଧିପାଉଛି ଓ ସାମାଜିକ ମୂଲ୍ୟବୋଧ ହ୍ରାସ ଘଟୁଛି³ ଶିକ୍ଷା, ସଂସ୍କୃତି ଓ ସାହିତ୍ୟ ହିଁ ବ୍ୟକ୍ତି ଜୀବନକୁ ସୁନ୍ଦର ଅର୍ଥ ଭୟମୁକ୍ତ, ଚିନ୍ତାମୁକ୍ତ ଓ ଋଣମୁକ୍ତ କରିପାରିବ । ଯେତେବେଳେ ଭୋଗ-ବିଳାସର ମାନସିକ ବ୍ୟାଧି ଭିତରେ ମାନବିକତାର ଘୋର ଅଭାବ ନିରନ୍ତର ଦେଖାଦେଲାଣି, ଶିକ୍ଷାର ସମାଜିକ ଭୂମିକା ଆଜି ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଛି । ଦ୍ୱିତୀୟରେ, ପାଶ୍ଚାତ୍ୟର ସାଂସ୍କୃତିକ ଆକ୍ରମଣରେ ଆମର ସଂସ୍କୃତି ଏବେ ସମ୍ପୂର୍ଣ୍ଣ ଆକ୍ରାନ୍ତ । ତାକୁ କେବଳ ରକ୍ଷା କରିପାରିବ ମାନବିକ ମୂଲ୍ୟବୋଧ ଓ ଆମ ସଂସ୍କୃତି । ଜୀବନକୈନ୍ଦ୍ରିକ ଶିକ୍ଷା ଓ ସାହିତ୍ୟ କେବଳ ସାଂସ୍କୃତିକ ଉତ୍କୃଷ୍ଟତା ବର୍ଦ୍ଧନ କରି ନବଜାଗରଣ କରିବା ଉଚିତ । ଏହାଦ୍ୱାରା ଆମେ ଏକ ସୁସ୍ଥ ସମାଜ ଗଠନ କରିପାରିବା, ଯେଉଁଠି ବୈଷମ୍ୟ, ଶୋଷଣ ଓ ଦୁର୍ନୀତି କ୍ରମାଗତ କମୁଥିବ ।