ଭୁବନେଶ୍ୱର,୦୪/୦୨: ଭୟଙ୍କର ରୂପ ନେଉଛି ସମୁଦ୍ର । ଉପରମୁହାଁ ହୋଇ ଆଗକୁ ମାଡ଼ି ଚାଲିଛି ।  ତାଜା ଆକଳନ ହେଲା- ସମୁଦ୍ର ଜଳପତ୍ତନ ଆଗକୁ ଆହୁରି ଫୁଲିବ । ଆଗାମୀ ୩ ଦଶନ୍ଧି ଭିତରେ ପ୍ରାୟ  ୨ରୁ ୭ ଫୁଟ ଉପରକୁ ଉଠିପାରେ କିଛି ଅଞ୍ଚଳକୁ ।  ଯଦି ଏମିତି ହୁଏ, ତେବେ ସମୁଦ୍ର ଆଁରେ ପଶିଯିବ ଭିତରକନିକା ଜାତୀୟ ଉଦ୍ୟାନ, ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ, ଚନ୍ଦ୍ରଭାଗା ବେଳାଭୂମି ଅଞ୍ଚଳ । 

ଖାଲି ସେତିକି ନୁହେଁ, ବିଶ୍ୱପ୍ରସିଦ୍ଧ ଚିଲିକା  ହ୍ରଦର ଚାରିପାଖ ଅଞ୍ଚଳକୁ ବି ସମୁଦ୍ର ବୁଡ଼ାଇ  ଦେବା ଆଶଙ୍କା ରହିଛି । ଖୋଦ୍‌ ରାଜ୍ୟ ସରକାରଙ୍କ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ରିପୋର୍ଟରେ  ଏଭଳି ଭୟାନକ ଆକଳନ କରାଯାଇଛି ।  

ଆମେରିକାର ନ୍ୟୁ ଜର୍ସିସ୍ଥିତ ବିଜ୍ଞାନ ପତ୍ରିକା  କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌ର ରିପୋର୍ଟରେ ଏଭଳି ଭୟଙ୍କର  ଆକଳନ କରାଯାଇଥିବା ରାଜ୍ୟ ସରକାରଙ୍କ ରିପୋର୍ଟରେ ଦର୍ଶାଯାଇଛି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, ଓଡ଼ିଶାର ପ୍ରାୟ ୨୫.୬%  ବେଳାଭୂମିରେ ସମୁଦ୍ର କୂଳ ଲଂଘୁଛି । ୧୪୦.୭  କିମି ବେଳାଭୂମିରେ ସମୁଦ୍ର ମାଡ଼ିବାରେ ଲାଗିଛି ।  ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନ୍‌ସିସିଆର୍‌)  ରିପୋର୍ଟକୁ ଆଧାର କରି ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି । 

ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି, ରାଜ୍ୟର ୪୮୦  କିଲୋମିଟର ବେଳାଭୂମି ଭିତରୁ ୧୮୭ କିମିରେ ସମୁଦ୍ର  ମାଡ଼ୁଛି । ଉପକୂଳ ଅବକ୍ଷୟରେ ଏହା ପ୍ରଭାବିତ । ୩୯.୩  କିଲୋମିଟର ବେଳାଭୂମି ଅତ୍ୟଧିକ ଓ ପ୍ରାୟ ୫୨ କିମି  ମଧ୍ୟମ ଧରଣର ଅବକ୍ଷୟପ୍ରବଣ ବେଳାଭୂମି ।  

ଗବେଷଣା ଅନୁସାରେ ପ୍ରାୟ ୩୦ ବର୍ଷ ଭିତରେ  ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,  ବାଲେଶ୍ୱର ଜିଲ୍ଲାର ଉପକୂଳ ଅଞ୍ଚଳ ପାଇଁ ସମୁଦ୍ର  ଜଳପ୍ଳାବନର ବଡ଼ ଆଶଙ୍କା ରହିଛି । ଏହା ଲକ୍ଷଲକ୍ଷ  ଲୋକଙ୍କୁ ପ୍ରଭାବିତ କରିବ । କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌  ଦ୍ୱାରା ପ୍ରସ୍ତୁତ ଗବେଷଣା ପତ୍ରିକାରେ ଆକଳନ ହେଲା-୨୦୫୦ ସୁଦ୍ଧା ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ବ୍ୟାପିଥିବା  ସମଗ୍ର ଉପକୂଳ ଓଡ଼ିଶା ପାଇଁ ସମୁଦ୍ର ଜଳପତ୍ତନ ବୃଦ୍ଧି  ଭୟାନକ ରୂପ ନେବା ଆଶଙ୍କା ରହିଛି ।  

କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ  ଓଡ଼ିଶାର ସାତଭାୟା ଅଞ୍ଚଳରେ ସମୁଦ୍ର ୪ ବର୍ଗ କିମି  ବେଳଭୂମିକୁ ଗିଳି ଦେଇଛି । ଅର୍ଥାତ୍‌ ସମୁଦ୍ର କୂଳର  ସମାନ୍ତରାଳ ଭାବେ ୪ କିମି ଖାଇଥିବାବେଳେ ଭିତରକୁ  ପ୍ରାୟ ୧ କିମି ଯାଏଁ ମାଡ଼ି ଯାଇଛି ।  

ପେଣ୍ଠ ଅଞ୍ଚଳରେ ୬ ବର୍ଗ କିମିକୁ ମାଡ଼ି  ଯାଇଛି ସମୁଦ୍ର । ଏହାବାଦ୍‌ ସାତଭାୟା, ବାଲେଶ୍ୱର,  ଧବଳେଶ୍ୱର, ଗଞ୍ଜାମ, ଆର୍ଯ୍ୟପଲ୍ଲୀ, ଗୋଲଡେନ  ବିଚ୍‌ରେ ସମୁଦ୍ର କୂଳ ମାଡ଼ିଯାଇଛି ।  ଏକ ବେସରକାରୀ ରିପୋର୍ଟ ଅନୁସାରେ  କେନ୍ଦ୍ରାପଡ଼ାର ପେଣ୍ଠ ପାଖ ପଦ୍ମନାଭପାଟଣା, ରାଜନଗରର ଜାଉଦିଆ, ଜମ୍ବୁ ପାଖ ସୁନୀତି, ହୁକିଟୋଲା, ହେଟାମୁଣ୍ଡିଆ,  ପାରାଦୀପର ବାଘଡିଆ, ପରମାନନ୍ଦପୁର,  ବାସୁଦେବପୁରର ତାଳପଦା, ଜଗତସିଂହପୁରର  ଢିଙ୍କିଆ, ସାତଭାୟା, କେନ୍ଦ୍ରାପଡ଼ାର ବଡ଼ଗହିରମଥା,  ପୁରୀର ସିପସରୁବାଲି, କୋଣାର୍କ ଓ ଭଦ୍ରକର ହ୍ୱିଲର ଦୀପରେ ସମୁଦ୍ର ବେଶି କୂଳ ଖାଇଛି