ଭୁବନେଶ୍ୱର,୨୮/୧୦: ପାର ଖାଇବା ଲୋଭରେ ଜାଲିରେ ଫସି ନାଗ ସାପ ବେଶ୍‌ କଲବଲ  ହୋଇଛି । ତାକୁ ସ୍ନେକ୍‌ ହେଲ୍ପ ଲାଇନ୍‌ ପକ୍ଷରୁ ଉଦ୍ଧାର କରାଯାଇ ପ୍ରାକୃତିକ ପରିବେଶ ମଧ୍ୟରେ  ଛାଡ଼ି ଦିଆଯାଇଛି । ଏଭଳି ଘଟଣା ଦେଖିବାକୁ  ମିଳିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟି ଅଞ୍ଚଳରେ ।  


ଘଟଣାରୁ ଜଣାଯାଇଛି, ବାଳକାଟି ନିକଟସ୍ଥ ଗଡ଼  ଶ୍ରୀରାମପୁର ଗ୍ରାମର ଚିନ୍ମୟ ପାତ୍ର ଘରେ ବିଭିନ୍ନ ରଙ୍ଗର  ପାରା ପୋଷିଛନ୍ତି । ସେମାନଙ୍କ ପାଇଁ ଏକ ଜାଲି ଘର  କରିଛନ୍ତି । ଆଜି ମଧ୍ୟାହ୍ନରେ ତାଙ୍କ ପୁଅ ପାରାମାନଙ୍କୁ ଦାନା  ଦେବାକୁ ଯିବାବେଳେ ଏକ ୪ ଫୁଟ ଲମ୍ବର ନାଗ ସାପ  ଜାଲିରେ ଫସି ଓହଳି ରହିଛି । ସେ ସେଠାରୁ ଆସି ସ୍ନେକ୍‌  ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ସ୍ନେକ୍‌ ହେଲ୍ପ ଲାଇନ  ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ପହଞ୍ଚି ନାଗ ସାପକୁ  ଉଦ୍ଧାର କରିଥିଲେ । ପରେ ଶ୍ରୀ ଆଚାର୍ଯ୍ୟ ତାକୁ ଉକ୍ତ ଗାଁ  ଠାରୁ ଦୂର ପ୍ରାକୃତିକ ପରିବେଶ ମଧ୍ୟରେ ଛାଡ଼ି ଦେଇଛନ୍ତି ।