ନୂଆଦିଲ୍ଲୀ ୨୩/୦୫: ଭାରତରେ ବ୍ୟଙ୍ଗାତ୍ମକ ଅନ୍ଲାଇନ ରାଜନୈତିକ ଆନ୍ଦୋଳନ ‘କକ୍ରୋଚ ଜନତା ପାର୍ଟି’(ସିଜେପି)କୁ ବିପୁଳ ସମର୍ଥନ ମିଳିବା ପରେ ତାର କ୍ରେଜ୍ ଏବେ ପଡ଼ୋଶୀ ପାକିସ୍ତାନ ଯାଏ ପହଞ୍ଚିଯାଇଛି । ପାକିସ୍ତାନରେ ସମାନ ଶୈଳୀରେ ‘କକ୍ରୋଚ ଆୱାମୀ ପାର୍ଟି’, ‘କକ୍ରୋଚ ଆୱାମୀ ଲିଗ୍’ ଭଳି ଅନେକ ସୋସିଆଲ୍ ମିଡିଆ ପେଜ୍ ସାମ୍ନାକୁ ଆସିଛି । ପ୍ରଥମେ ଇନ୍ଷ୍ଟାଗ୍ରାମରେ ‘କକ୍ରୋଚ ଆୱାମୀ ପାର୍ଟି’ର ପେଜ୍ ସାମ୍ନାକୁ ଆସିଥିଲା । ସେଥିରେ ତାହା ଭାରତୀୟ ଆନ୍ଦୋଳନଠାରୁ ପ୍ରେରିତ ବୋଲି ଖୋଲାଖୋଲି ସ୍ୱୀକାର କରାଯାଇଛି ।
ବାୟୋରେ ଲେଖାଯାଇଛି ଯେ, ହଁ, ଆମେ ନକଲ କରିଛୁ । କିନ୍ତୁ ଆମର ଉଦ୍ଦେଶ୍ୟ ସମାନ । ଆମେ କୌଣସି ବ୍ୟକ୍ତି କିମ୍ବା ଟିମ୍ ସହ ଜଡିତ ନୁହଁ । ପାକିସ୍ତାନର ପୂରା ଜେନ୍-ଜିଙ୍କ ସ୍ୱର ପାଲଟିବାକୁ ଇଚ୍ଛା ରଖିଛୁ । ମାତ୍ର କିଛି ଘଣ୍ଟା ମଧ୍ୟରେ ସେହି ଆକାଉଣ୍ଟକୁ ପ୍ରାୟ ୧୬୦୦ ଲୋକ ଫଲୋ କରୁଛନ୍ତି । ସେହି ଦଳର ଲୋଗୋ ଭାରତୀୟ ପାର୍ଟି ଭଳି ହୋଇଥିବାବେଳେ ରଙ୍ଗକୁ ଧଳା ଏବଂ ସବୁଜ ରଖାଯାଇଛି । ତାହା ନିଜକୁ ଇମ୍ରାନ ଖାନ୍ଙ୍କ ପିଟିଆଇ, ପିଏମ୍ଏଲ୍ଏନ ଏବଂ ପିପିପି ଭଳି ମୁଖ୍ୟଧାରାର ପାର୍ଟିର ବିକଳ୍ପ ଭାବେ ଉପସ୍ଥାପନ କରୁଛି । ଆସନ୍ତା ୨୮ ତାରିଖରେ ନିଜର ଆନୁଷ୍ଠାନିକ ସ୍ଲୋଗାନ୍ ଲଞ୍ଚ କରିବା କଥା ‘କକ୍ରୋଚ ଆୱାମୀ ପାର୍ଟି’ ପ୍ରକାଶ କରିଛି । ଅନ୍ୟପଟେ ‘କକ୍ରୋଚ ଆୱାମୀ ଲିଗ୍’ ‘ସବୁ ସ୍ଥିତିରେ ଜୀବିତ’ ସ୍ଲୋଗାନ୍ ଦେବା ସହ ନିଜକୁ ଯୁବପିଢ଼ିଙ୍କ ପ୍ରତୀକ ଦର୍ଶାଉଛି ।
ଭାରତରେ ଗତ ସପ୍ତାହରେ ସିଜେପିର ଆରମ୍ଭ ହୋଇଥିଲା । ଏହାର ଆଧାର ପ୍ରଧାନ ବିଚାରପତି(ସିଜେଆଇ) ସୂର୍ଯ୍ୟକାନ୍ତଙ୍କର ଏକ ବିବାଦୀୟ ଟିପ୍ପଣୀ ସହ ଜଡିତ । ସେଥିରେ ସେ ଭାରତର ବେକାର ଯୁବଗୋଷ୍ଠୀଙ୍କ ତୁଳନା କକ୍ରୋଚ ବା ଅସରପା ସହ କରିଥିଲେ । ଯଦିଓ ପରବର୍ତ୍ତୀ ସମୟରେ ସିଜେଆଇ ଏହାକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ ତେବେ ତାଙ୍କର ବୟାନକୁ ନେଇ ସୋସିଆଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଥିଲା । ଏହାପରେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ ଦିପ୍କେ ସୋସିଆଲ୍ ମିଡିଆରେ ‘କକ୍ରୋଚ ଜନତା ପାର୍ଟି’ ଅଭିଯାନ ଆରମ୍ଭ କରିଥିଲେ । ଦଳ ନିଜକୁ ଅଳସୁଆ ଏବଂ ବେକାର ଯୁବଗୋଷ୍ଠୀଙ୍କର ସ୍ୱର ଭାବେ ଦର୍ଶାଇବା ସହ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଭଳି ପ୍ରସଙ୍ଗ ଉଠାଇଥିଲା । ସେଥିଯୋଗୁ ଏହା ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା ।
ଆହୁରି ପଢ଼ନ୍ତୁ...Cockroach Janta Party: ଭାରତରେ କାହିଁକି ବ୍ୟାନ୍ ହେଲା 'କକ୍ରୋଚ୍ ଜନତା ପାର୍ଟି' X ହ୍ୟାଣ୍ଡେଲ ? ଇନଷ୍ଟାରେ ବିଜେପି-କଂଗ୍ରେସକୁ ପଛରେ ପକାଇଲା