ଭୁବନେଶ୍ୱର, ୨୭/୦୮ : ଅହମ୍ମଦାବାଦରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ଓଡ଼ିଶାର ମୀନା ସାନ୍ତା (ଏ) ସ୍ୱର୍ଣ୍ଣ ଏବଂ ସ୍ନେହା ସୋରେନ ରୌପ୍ୟ ପଦକ ହାସଲ କରିଛନ୍ତି । ସୋମବାର ପ୍ରୀତିସ୍ମିତା ଭୋଇ ସ୍ୱର୍ଣ୍ଣ ଜିତିଥିଲେ । ଦୁଇ ଦିନରେ ରାଜ୍ୟକୁ ୩ଟି ପଦକ ମିଳିଛି । ମୀନା ଜୁନିୟର ମହିଳା ୫୮ କିଲୋ ଓଜନ ବର୍ଗରେ ଅଂଶ ଗ୍ରହଣ କରିଥିଲେ । ସେ ସ୍ନାଚରେ ୮୪ କିଲୋ ଏବଂ କ୍ଲିନ ଏଣ୍ଡ୍ ଜର୍କରେ ୧୦୧ କିଲୋ ଏପରି ମୋଟ୍ରେ ୧୮୫ କିଲୋ ଉତ୍ତୋଳନ କରି ପ୍ରଥମ ସ୍ଥାନରେ ରହିଥିଲେ । ୧୮ ବର୍ଷୀୟା ମୀନାଙ୍କ ଘର ନବରଙ୍ଗପୁର ଜିଲ୍ଲା । ଏହା ତାଙ୍କର ଚତୁର୍ଥ ଅନ୍ତର୍ଜାତୀୟ ପଦକ । ସେ ଓଡ଼ିଶା ଭାରୋତ୍ତୋଳନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି।
ସେହିପରି ସ୍ନେହା ବରିଷ୍ଠ ମହିଳା ୫୩ କିଲୋ ଓଜନ ବର୍ଗରେ ଭାଗ ନେଇଥିଲେ । ସ୍ନାଚରେ ୮୧ କିଲୋ ଏବଂ କ୍ଲିନ ଏଣ୍ଡ୍ ଜର୍କରେ ୧୦୪ କିଲୋ ସହ ମୋଟ୍ ୧୮୫ କିଲୋ ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସ୍ନେହାଙ୍କ ଘର ମୟୂରଭଞ୍ଜ । ସେ ୨୦୧୭ରେ ଯୁବ ବର୍ଗରେ ସ୍ୱର୍ଣ୍ଣ ଏବଂ ୨୦୧୯ ଜୁନିୟରରେ ରୌପ୍ୟ ପଦକ ଜିତିଥିଲେ । ସେ ଏବେ କଳିଙ୍ଗ ଷ୍ଟାଡିୟମ ଭାରୋତ୍ତୋଳନ ଉଚ୍ଚପ୍ରଦର୍ଶନ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି ।
ସୋମବାର ପ୍ରୀତିସ୍ମିତା ଭୋଇ ଯୁବା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମହିଳା ୪୪ କିଲୋ ବର୍ଗରେ ଭାଗ ନେଇ ସ୍ନାଚରେ ୬୩ କିଲୋ ଏବଂ କ୍ଲିନ୍ ଓ ଜର୍କରେ ୮୭ କିଲୋ ଏପରି ମୋଟରେ ୧୫୦ କିଲୋ ଉତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ପୂର୍ବରୁ ପ୍ରୀତିସ୍ମିତା ଯୁବା ବର୍ଗରେ ବିଶ୍ୱ ଚାମ୍ପିଅନ ହୋଇଥିଲେ ।