ଧର୍ମଶାଳା ୨୨/୦୫: ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର ଗାଡ଼ି। କମ୍ପ୍ରେସରଟି ଓଲଟି ପଡିବାରୁ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ଉଭୟ ଶ୍ରମିକଙ୍କ ପରିଚୟ ମିଳିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ଯାଜପୁର ଧର୍ମଶାଳା ତହସିଲ ଅନ୍ତର୍ଗତ ବେଆଇନ ପଥର ଖନନ କାର୍ଯ୍ୟ ଯାଉଥିବା ବେଳେ କମ୍ପ୍ରେସରଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ଆଜି ସକାଳେ ଜୁଲୁ ସାହୁ ନାମକ ଜଣେ ରେଜିଙ୍ଗ ଠିକାଦାର ରାହାଡ଼ପୁର ପାହାଡ଼ ଉପରେ ଚାଲିଥିବା ବେଆଇନ କଳାପଥର ଖନନ କାର୍ଯ୍ୟରେ ଲଗାଇବା ପାଇଁ ଏକ କମ୍ପ୍ରେସର ନେଇ ଯାଉଥିଲେ। ହଠାତ ପାହାଡ଼ ଉପରୁ କମ୍ପ୍ରେସର ତଳକୁ ଖସିପଡ଼ିଥିଲା। ଗାଡ଼ିରେ ଥିବା ଦୁଇ ଜଣ ଶ୍ରମିକ କମ୍ପ୍ରେସର ତଳେ ଚାପିହୋଇଯାଇଥିଲେ। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଜେନାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶ୍ରମିକର ମୃତ୍ୟକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତାହତଙ୍କ ପରିଚୟ ଜଣାପଡିନାହିଁ। ସେମାନେ ବାହାରର ଶ୍ରମିକ ବୋଲି ଶୁଣିବାକୁ ମିଳିଛି।