ଭୁବନେଶ୍ୱର,୧୪/୦୮: ଆଜି  କଂଗ୍ରେସ ପକ୍ଷରୁ ସମସ୍ତ ଜିଲ୍ଲାରେ ‘ ଭୋଟ୍‌ ଚୋର, ଗାଦି ଛାଡ଼' ମଶାଲ ଶୋଭାଯାତ୍ରା  ହେବ । ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଗତ ୭ ତାରିଖରେ ନିର୍ବାଚନ  ଆୟୋଗଙ୍କ ସହଯୋଗରେ ଭୋଟ୍‌ ଚୋରି ଜରିଆରେ ବିଜେପି କିପରି ଏକାଧିକ ନିର୍ବାଚନ ଜିତିଛି ସେ ବିଷୟରେ ବର୍ଣ୍ଣନା କରି ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲେ । ଏହାପରେ  ରାଜ୍ୟ ଓ ଜିଲ୍ଲା ସ୍ତରରେ ମଧ୍ୟ ତୀବ୍ର ସ୍ୱର ଉଠିଥିଲା । ‘ଭୋଟ ଚୋର, ଗାଦି ଛାଡ଼' ସ୍ଲୋଗାନ  ସହ ଗୁରୁବାର ସନ୍ଧ୍ୟାରେ ପିସିସି ପକ୍ଷରୁ ସମସ୍ତ ଜିଲ୍ଲାରେ ଦୁଇ କିଲୋମିଟରର ମଶାଲ  ଶୋଭାଯାତ୍ରା ଆୟୋଜନ ହେବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

ସେ  କହିଛନ୍ତି, ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ  କଡ଼ା ଜବାବ ଦିଆଯିବ । ଭୋଟ୍‌ ଚୋରି କରି କ୍ଷମତାକୁ ଆସିଥିବା ସରକାରଙ୍କୁ ହଟାଇବା  ଆନ୍ଦୋଳନରେ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହେବାପାଇଁ ଭକ୍ତ ଆହ୍ୱାନ କରିଛନ୍ତି ।