ଭୋପାଳ, ୨୨।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ବିଜେପି କର୍ମୀ ଭୁଲବଶତଃ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ କଂଗ୍ରେସ ବିଧାୟକ ନିଜେ ସାରଥି ସାଜି ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛନ୍ତି । ଶନିବାର ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM) ପକ୍ଷରୁ କଂଗ୍ରେସ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ଜଣେ ବିଜେପି କର୍ମୀ, ଯିଏକି ମାଥାରେ ତିଳକ ଏବଂ ବେକରେ ବିଜେପି ଦଳୀୟ ସ୍ଲଟ୍ ପକାଇଥିଲେ, ସେ ରାସ୍ତା ଭୁଲି କଂଗ୍ରେସର ପ୍ରଦେଶ ମୁଖ୍ୟାଳୟରେ ପହଞ୍ଚି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ଓ ବିଧାୟକ ଆରିଫ୍ ମସୁଦ୍ ଏହା ଦେଖି ହସିବା ସହ ବିଜେପି କର୍ମୀ ଜଣଙ୍କୁ ସ୍ଵାଗତ କରିଥିଲେ । ସେଠାରେ କୌଣସି ପ୍ରକାରର ଯୁକ୍ତିତର୍କ କିମ୍ବା ଗଣ୍ଡଗୋଳ କରିବା ପରିବର୍ତ୍ତେ ବିଧାୟକ ମସୁଦ୍ ମାନବିକତା ଦେଖାଇଥିଲେ ।

ଏହା ବି ପଢ଼ନ୍ତୁ... ଟ୍ରେଣ୍ଡ୍‌ରେ ରାହୁଲଙ୍କ ‘ଜିଉ-ଜିତ୍‌ସୁ’, ଆମେରିକା ସହ ଟ୍ରେଡ୍ ଡିଲ୍ ସହ ଏହାର କ'ଣ ସମ୍ପର୍କ ?

ସ୍କୁଟର ଚଲାଇ ବିରୋଧସ୍ଥଳରେ ଛାଡ଼ିଲେ ବିଧାୟକ:

ସବୁଠାରୁ ରୋଚକ ଦୃଶ୍ୟ ତେବେ ଦେଖିବାକୁ ମିଳିଥିଲା, ଯେତେବେଳେ ବିଧାୟକ ଆରିଫ୍ ମସୁଦ୍ ନିଜେ ସ୍କୁଟର ବାହାର କରିଥିଲେ ଏବଂ ବିଜେପି କର୍ମୀଙ୍କୁ ପଛରେ ବସାଇ ଯେଉଁଠି ବିଜେପିର ବିରୋଧ ପ୍ରଦର୍ଶନ ଚାଲିଥିଲା ସେଠାରେ ନିରାପଦରେ ଛାଡ଼ି ଆସିଥିଲେ । ବିଧାୟକ ତାଙ୍କ ବୟାନରେ କହିଛନ୍ତି, "ସେ ବିଚରା ଭୁଲ୍‌ରେ ଏପଟେ ଚାଲି ଆସିଥିଲା । ମୁଁ ତାକୁ କହିଲି- ପୁଅ, ତୁମେ ଭୁଲ୍ ଜାଗାକୁ ଆସିଯାଇଛ, ତୁମର ସଠିକ୍ ଜାଗାକୁ ଚାଲିଯାଅ । ଏହା କହି ମୁଁ ତାକୁ ତାଙ୍କ ଲୋକଙ୍କ ପାଖରେ ଛାଡ଼ି ଦେଇ ଆସିଲି ।"

ପୂରା ରାଜ୍ୟରେ ବିରୋଧ ପ୍ରଦର୍ଶନ:

ନୂଆଦିଲ୍ଲୀରେ ଯୁବ କଂଗ୍ରେସ ପ୍ରତିବାଦର ଜବାବରେ, ଭାରତୀୟ ଜନତା ଯୁବ ମୋର୍ଚ୍ଚା (BJYM)ର କର୍ମୀମାନେ ଶନିବାର ଭୋପାଳ, ଇନ୍ଦୋର, ଗ୍ୱାଲିୟର ଏବଂ ମଧ୍ୟପ୍ରଦେଶର ଅନ୍ୟାନ୍ୟ ସ୍ଥାନରେ କଂଗ୍ରେସ କାର୍ଯ୍ୟାଳୟ ବାହାରେ ପ୍ରଦର୍ଶନ କରିଥିଲେ । ଇନ୍ଦୋରରେ ପ୍ରତିବାଦ ହିଂସାତ୍ମକ ହୋଇଗଲା, ଉଭୟ ପକ୍ଷ ପରସ୍ପର ଉପରେ ପଥର ମାଡ଼ କଲେ । ପାଖାପାଖି ଅଧ ଡଜନ କଂଗ୍ରେସ କର୍ମୀ, କିଛି ବିଜେପି କର୍ମୀ ଏବଂ ଅନେକ ପୁଲିସ ଆହତ ହୋଇଥିଲେ । ରାଜନୈତିକ ତିକ୍ତତା ମଧ୍ୟରେ ଆରିଫ୍ ମସୁଦଙ୍କ ଏହି କାର୍ଯ୍ୟ ଏବେ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟୁଛି।