ନୂଆଦିଲ୍ଲୀ,୨୪/୦୩: ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ନଗଦ ୧୫ କୋଟି ମିଳିବା ମାମଲା ସାମ୍ନାକୁ ଆସିଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନା ଏହାର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । ଇତିମଧ୍ୟରେ ଜଷ୍ଟିସ୍ ବର୍ମାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେଥିରେ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟଙ୍କ ନିକଟରେ ରଖିଥିବା ଜବାବରେ ବର୍ମା କହିଛନ୍ତି, ତାଙ୍କୁ ଫସାଇବାକୁ ଏହା ଏକ ଷଡ଼ଯନ୍ତ୍ର । ନିଆଁ ତାଙ୍କର ମୁଖ୍ୟ ବଙ୍ଗଳାରେ ନୁହେଁ, ପରିସରରେ ଥିବା ଆଉଟ୍ହାଉସ୍ରେ ଲାଗିଥିଲା । ତାକୁ ଘରର ଅଦରକାରୀ ସାମଗ୍ରୀ ରଖିବାକୁ ଷ୍ଟୋର ରୁମ୍ ଭାବେ ବ୍ୟବହାର କରାଯାଉଥିଲା । ସେ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ସେହି ଷ୍ଟୋରରୁମ୍ରେ କେବେ କୌଣସି ନଗଦ ରଖିନଥିଲେ । ତେଣୁ ଟଙ୍କା ତାଙ୍କର ବୋଲି ଯେଉଁ ପ୍ରଚାର ଚାଲିଛି ତାକୁ ସେ ନିନ୍ଦା କରୁଛନ୍ତି । କେହି ଏମିତି ଖୋଲାଖୋଲି ଷ୍ଟାଫ୍ କ୍ୱାର୍ଟର୍ସ ନିକଟରେ ଷ୍ଟୋର ରୁମ୍ରେ ବା କୌଣସି ଆଉଟହାଉସ୍ରେ ନଗଦ ଗଚ୍ଛିତ ରଖିବା ଅବିଶ୍ୱସନୀୟ । ଟଙ୍କା ମିଳିଥିବା କୋଠରୀ ତାଙ୍କ ରହିବା ସ୍ଥାନଠାରୁ ବିଲକୁଲ୍ ଅଲଗା । ଷ୍ଟୋରରୁମ୍ରେ ତାଲା ପଡିନଥିବାବେଳେ ତା’ ମଧ୍ୟକୁ ଯେ କେହିବି ଯାଇପାରିବେ । ଏପରିସ୍ଥଳେ ମିଡିଆ ତାଙ୍କ ବିରୋଧରେ ଅଭିଯୋଗ ଲଗାଇବା ପୂର୍ବରୁ କିଛି ଯାଞ୍ଚ କରିବାର ଥିଲା । ନୋଟ୍ ଜଳୁଥିବାର ଭିଡିଓ ଓ ଫଟୋ ଦେଖି ସେ ନିଜେ ମଧ୍ୟ ଚକିତ ହୋଇଥିବା ପ୍ରକାଶ କରିଛନ୍ତି ।
ଜଷ୍ଟିସ୍ ବର୍ମାଙ୍କର ଜବାବ ସହିତ ହାଇକୋର୍ଟଙ୍କ ରିପୋର୍ଟ, ଦିଲ୍ଲୀ ପୁଲିସ କମିଶନର ଶେୟାର କରିଥିବା ଫଟୋ ଓ ଭିଡିଓକୁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଶନିବାର ରାତିରେ ଅପଲୋଡ୍ କରାଯାଇଥିଲା । ସେଥିମଧ୍ୟରୁ ୬୫ ସେକେଣ୍ଡର ଏକ ଭିଡିଓରେ ଅଧା ଜଳା ନୋଟ ଭର୍ତ୍ତି ବସ୍ତା ଦେଖିବାକୁ ମିଳୁଛି । ଘଟଣାଟି ମାର୍ଚ୍ଚ ୧୪ ତାରିଖର । ସେଦିନ ବର୍ମାଙ୍କ ବଙ୍ଗଳାରେ ନିଆଁ ଲାଗିବା ପରେ ପରିବାର ଲୋକଙ୍କ ସୂଚନା ଆଧାରରେ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା । ନିଆଁ ଲିଭାଇବା ସମୟରେ ଦମକଳ କର୍ମଚାରୀମାନେ ୪-୫ଟି ଅଧା ଜଳା ବସ୍ତା ପାଇଥିଲେ । ତାହା ନୋଟ୍ ଭର୍ତ୍ତି ଥିଲା । ସୁପ୍ରିମକୋର୍ଟଙ୍କ ୱେବସାଇଟ୍ରେ ଅପଲୋଡ୍ ହୋଇଥିବା ୩ଟି ଯାକ ଫଟୋରେ ମଧ୍ୟ ଅଧାଜଳା ନୋଟ୍ ବଣ୍ଡଲ ଦେଖିବାକୁ ମିଳୁଛି । ଅନ୍ୟପଟେ ବିଚାରପତିଙ୍କ ବଙ୍ଗଳା ବାହାରେ ରବିବାର ସଫେଇ ସମୟରେ ସଫେଇ କର୍ମଚାରୀମାନେ ୫୦୦ ଟଙ୍କିଆ ଅଧା ଜଳିଯାଇଥିବା ନୋଟ୍ ପାଇଛନ୍ତି । ୪-୫ ଦିନ ପୂର୍ବରୁ ମଧ୍ୟ ସେମାନଙ୍କୁ ଏଭଳି ନୋଟ୍ ମିଳିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ନୋଟ୍ ସଫେଇ ସମୟରେ ରାସ୍ତା ଉପରେ ପତ୍ର ସହିତ ପଡିଥିଲା ।