ଭୁବନେଶ୍ୱର, ୨୨/୦୪ : ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଘୋଷଣା କଲେ ସହରାଞ୍ଚଳରେ ୨୫ ଦିନ ଓ ଗ୍ରାମାଞ୍ଚଳରେ ୪୫ ଦିନ ପରେ ବୁକିଂ କରିବା ମାତ୍ରେ ସେମାନଙ୍କୁ ରନ୍ଧନ ଗ୍ୟାସ ମିଳିପାରିବ । ଯଦିବା ସହରାଞ୍ଚଳରେ ଏ ସମସ୍ୟା ସେତେ ଉତ୍କଟ ନାହିଁ, ହେଲେ ଗ୍ରାମାଞ୍ଚଳରେ ଏ ସମସ୍ୟା ରହିଛି । ୪୫ ଦିନ ପରେ ବୁକିଂ କରିବା ସହିତ ପୁଣି ଗ୍ରାହକ ୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଛି । ତଥାପି ନ ମିଳିବା ପରେ ବହୁ ଉପଭୋକ୍ତା ଗ୍ୟାସ୍‌ ଏଜେନ୍ସି ଆଗରେ ଭିଡ଼ ଲଗାଉଛନ୍ତି । ସେମାନେ ଚିହ୍ନା ମୁହଁମାନଙ୍କୁ ସିଲିଣ୍ଡର ପହଞ୍ଚାଉଥିବା ବେଳେ ଅଚିହ୍ନା ଓ ଅଭିଯୋଗ ନ କରି ଚୁପ ରହୁଥିବା ଉପଭୋକ୍ତାମାନଙ୍କୁ ହଇରାଣ କରୁଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳୁଛି । ପ୍ରକୃତ ଉପଭୋକ୍ତାଙ୍କୁ ଠିକ ସମୟରେ ଗ୍ୟାସ୍‌ ମିଳୁନଥିବା ବେଳେ ରନ୍ଧନ ଗ୍ୟାସର କଳାବଜାରି କିନ୍ତୁ ଜାରି ରହିଛି । ଏଥିପାଇଁ ସ୍ୱତନ୍ତ୍ର ରାକେଟ୍‌ କାମ କରୁଛି । ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ଉରୁ ପ୍ରମାଣ ମିଳିଛି । 

ଏ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୨୭୪୬ଟି ସ୍ଥାନରେ ଯାଞ୍ଚ କରାଯାଇଛି । ଏହି ସବୁ ସ୍ଥାନରୁ ୫୩୦୮ଟି ସିଲିଣ୍ଡର ଜବତ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ଅନୁଯାୟୀ ୩୯୭ ମାମଲା ରୁଜୁ କରାଯିବା ସହ ୩୧ଟି ଏତଲା କରାଯାଇଛି । କଳାବଜାରୀ ଓ ବେଆଇନ୍‌ ସିଲିଣ୍ଡର ଗଛିତ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏହି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଯୋଗାଣ ସ୍ୱାଭାବିକ ରହିଛି । ସାରା ରାଜ୍ୟରେ ଅତ୍ୟାବଶ୍ୟକ ଇନ୍ଧନର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ସୂଚନା ଦେଇଛି ଯେ ରାଜ୍ୟ ସାରା ପର୍ଯ୍ୟାପ୍ତ ଏଲପିଜି ଷ୍ଟକ୍‌ ଉପଲବ୍ଧ ରହିଛି । ବର୍ତ୍ତମାନର ବିତରଣ ପାଇଁ ପ୍ରାୟ ୫ରୁ ୬ ଦିନ ପାଇଁ ରହିଛି । ଯାହା ପରିଚାଳନାଗତ ସୀମା ମଧ୍ୟରେ ଅଛି । 

କୃତ୍ରିମ ଅଭାବକୁ ରୋକିବା ପାଇଁ ଡିଜିଟାଲ୍‌ ବୁକିଂ ପଦକ୍ଷେପ ନିଆଯାଇଛି । ପ୍ରାୟ ୮୫ ପ୍ରତିଶତ ଡେଲିଭରି ଓଟିପି-ଆଧାରିତ ହେଉଛି । ଯାହା ଦ୍ୱାରା ଯୋଗାଣ ପ୍ରକୃତ ଗ୍ରାହକଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରୁଛି । ମିଶନ ମୋଡରେ ବାୟୋମେଟ୍ରିକ୍‌ ପ୍ରମାଣ କରାଯାଉଛି । ୬୦ ପ୍ରତିଶତରୁ ଅଧିକ ଗ୍ରାହକ ପୂର୍ବରୁ ପ୍ରମାଣିତ ହୋଇସାରିଛନ୍ତି । ସେହିପରି ପେଟ୍ରୋଲ ଏବଂ ଡିଜେଲରେ ମଧ୍ୟ କୌଣସି ଅଭାବ ନାହିଁ । ଗ୍ରାହକମାନଙ୍କୁ ଆତଙ୍କିତ କିଣା କିମ୍ୱା ଅନାବଶ୍ୟକ ମହଜୁଦ ନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହି ଖବରଟିକୁ ପଢନ୍ତୁ- Census 2027 : ଜନଗଣନା କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ରାଜସ୍ଵ ମନ୍ତ୍ରୀଙ୍କ ଚରମ ବାଣୀ, ଦୋଷୀଙ୍କ ଉପରେ ହେବ କଠୋର ଆକ୍ସନ