ଭୁବନେଶ୍ୱର ପାଲଟିଛି ଅପରାଧର ରାଜଧାନୀ । ଉନ୍ନୟନମୂଳକ କାର୍ଯ୍ୟ ତୁଳନାରେ ଅପରାଧ ଆଇନଶୃଙ୍ଖଳା ପରିସ୍ଥିତି ବଢ଼ି ଚାଲିଛି । ଯାହା ଫଳରେ ଏହା ସୁନାମ କମ ବଦନାମ ବେଶୀ ମୁଣ୍ଡାଉଛି । ରାତି ହେଲେ ଅପରାଧୀଙ୍କ କବଜାକୁ ଚାଲିଯାଉଛି ସ୍ମାର୍ଟ ସିଟି । ଲୁଟତରାଜ, ଛିନତାଇ, ଚୋରି ରାଜଧାନୀରେ ଏବେ ନିତିଦିନିଆ କଥା ପାଲଟିଛି । ସାଧାରଣ ନାଗରିକଙ୍କ କଥା ପଚାରେ କିଏ, ଅପରାଧୀଙ୍କଠାରୁ ପୁଲିସ ବି ନିସ୍ତାର ପାଉନି...
ଅଧରାତିରେ ଖଣ୍ଡାଧାରୀଙ୍କ ଆତଙ୍କ, ୨ ଯୁବକଙ୍କ ସହ ୩ କାର୍କୁ ହାଣି ପକାଇଲେ
ସଞ୍ଜ ନଇଁଲେ ଅପରାଧୀଙ୍କ କବ୍ଜାକୁ ପଳାଉଛି ପୁରା ରାଜଧାନୀ । ରାତି ତମାମ ଆତଙ୍କ ଖେଳାଉଛନ୍ତି । ସତେ ଯେପରି କମିଶନରେଟ୍ ପୁଲିସ ଅପରାଧୀଙ୍କ ଆଗରେ ହାତ ଟେକି ଦେଇଛି । ଗତକାଲି ରାତି ଅଧରେ ତମାଣ୍ଡୋ ଥାନା ଭଗବାନପୁରରେ ଏକ ଫାଷ୍ଟଫୁଡ୍ ସହ ଟେଣ୍ଟ୍ ହାଉସରେ ଆତଙ୍କ ଖେଳାଇଛନ୍ତି । ଟେଣ୍ଟ୍ ହାଉସର ୨ କର୍ମଚାରୀଙ୍କୁ ଖଣ୍ଡାରେ ହାଣି ପକାଇବା ସହ ୩ଟି କାରକୁ ଖଣ୍ଡାରେ ହାଣି ଭାଙ୍ଗିରୁଜି ପକାଇଛନ୍ତି। ପ୍ରାୟ ୧୦ ମିନିଟ୍ ଧରି ଆତଙ୍କ ଖେଳାଇ ୫/୬ ଖଣ୍ଡାଧାରୀ ଚମ୍ପଟ ମାରିଛନ୍ତି । ଆକ୍ରମଣ ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇଛି । ହେଲେ ଆକ୍ରମଣକାରୀଙ୍କ ପତ୍ତା ପାଇନାହିଁ । ସୂଚନା ମୁତାବକ, ଭଗବାନପୁରର କବିରାଜ ଲେଙ୍କା ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି, ତାଙ୍କର ଭଗବାନପୁରରେ ଏକ ଫାଷ୍ଟଫୁଡ୍ ଦୋକାନ ସହ ଟେଣ୍ଟ ହାଉସ୍ ରହିଛି । ଗତକାଲି ରାତି ପ୍ରାୟ ୧୨ଟାରେ ବଣ୍ଟି ନାମକ ଜଣେ ଯୁବକ ୩ଟି ବାଇକ୍ରେ ୫ ସହଯୋଗୀଙ୍କ ସହ ଖଣ୍ଡା ଓ ଭୁଜାଲି ଧରି ତାଙ୍କ ଟେଣ୍ଟହାଉସ୍ ସମ୍ମୁଖରେ ପହଞ୍ଚିଥିଲେ । ଏହି ସମୟରେ କବିରାଜଙ୍କ ପୁଅ ସିସି କ୍ୟାମେରାରେ ସେମାନଙ୍କୁ ଦେଖି କବାଟ ବନ୍ଦ କରିଦେଇଥିଲେ । ଅନ୍ୟମାନେ ବାହାରେ ଛିଡ଼ା ହୋଇଥିଲେ । ବଣ୍ଟି ଓ ସହଯୋଗୀମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ହଠାତ୍ ସେମାନଙ୍କୁ ଆକ୍ରମଣ କରିଥିଲେ । ଖଣ୍ଡାରେ ଗୋପୀନାଥ ଭୂଜବଳଙ୍କ ଗୋଡ଼କୁ ହାଣି ପକାଇଥିବା ବେଳେ ସନିଆ ନାମକ ଜଣେ ଯୁବକଙ୍କ ଦୁଇ ହାତକୁ ହାଣି ପକାଇଥିଲେ । ଜୀବନ ବିକଳରେ ସେମାନଙ୍କ ସହ ଅନ୍ୟମାନେ ସେଠାରୁ ଦୌଡ଼ି ପଳାଇଥିଲେ । ତା’ ପରେ ଆକ୍ରମଣକାରୀମାନେ ସେଠାରେ ଥୁଆ ହୋଇଥିବା ୩ଟି କାରକୁ ଖଣ୍ଡାରେ ହାଣି ପକାଇଥିଲେ । ଆତଙ୍କ ଖେଳାଇ ସେଠାରୁ ସେମାନେ ୩ଟି ବାଇକ୍ରେ ପଳାଇଥିଲେ । ଖବରପାଇ କବିରାଜ ଓ ଅନ୍ୟମାନେ ସେଠାରେ ପହଞ୍ଚି ଦୁଇ ଆହତଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲ ପଠାଇବା ସହ ତମାଣ୍ଡୋ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ସେଠାରେ ପହଞ୍ଚି ଆକ୍ରମଣକାରୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲା । ଟେଣ୍ଟହାଉସରେ ଲାଗିଥିବା ସିସି କ୍ୟାମେରାରେ ଆକ୍ରମଣକାରୀଙ୍କ ଆକ୍ରମଣ ବେଳର ଦୃଶ୍ୟ କଏଦ୍ ହୋଇ ରହିଥିଲା । ପୁଲିସ ଉକ୍ତ ସିସିଟିଭି ଫୁଟେଜକୁ ଜବତ କରିଛି । କବିରାଜଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁକରି ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । ହେଲେ ସେମାନଙ୍କ ପତ୍ତା ପାଇନାହିଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।
ପୁଲିସ ମା'ଙ୍କ ବେକରୁ ସୁନା ଚେନ୍ ଲୁଟ୍
ପୁଅ ପୁଲିସ ଅଧିକାରୀ । କେତେ କେତେ ଲୁଟେରାଙ୍କୁ ସାବାଡ୍ କରୁଛନ୍ତି । ହେଲେ ତାଙ୍କ ବୃଦ୍ଧ ମା’ଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା । ଏମିତି ଘଟଣା ଆଜି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଛି । ମର୍ଣ୍ଣିୱାକରୁ ଫେରିବା ବେଳେ ସ୍କୁଟିରେ ପଛ ପଟୁ ଆସି ଏହି ଲୁଟ୍ କରିଛନ୍ତି ଦୁଇ ଲୁଟେରା । ଲୁଟ୍ ସମୟର ଏହି ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସୂଚନା ଅନୁସାରେ ଶୈଳଶ୍ରୀ ବିହାର ଜିଏ ପ୍ଲଟ୍ ରେ ରୁହନ୍ତି ଶକୁନ୍ତଳା ମହାନ୍ତି । ଆଜି ସକାଳୁ ସେ ପ୍ରାତଃ ଭ୍ରମଣରେ ଯାଇଥିଲେ । ସକାଳ ୯ଟାରେ ସେ ଶୈଳଶ୍ରୀବିହାର ଦୁର୍ଗା ମଣ୍ଡପ ରାସ୍ତା ଦେଇ ଘରକୁ ଫେରୁଥିଲେ । ଦୁଇଜଣ ଦୁର୍ବୃତ୍ତ ଏକ ସ୍କୁଟରରେ ଆସି ତାଙ୍କ ପଛପଟୁ ଚେନ୍ ଝାମ୍ପି ନେଇ ପଳାଇ ଯାଇଥିଲେ । ଯାହାର ଓଜନ ପ୍ରାୟ ୨ ଭରି ହେବ । ମହିଳା ଜଣକ କାହାକୁ କିଛି ନକହି ଘରକୁ ଫୋନ୍ କରି ଜଣାଇଥିଲେ । ପରିବାର ଲୋକ ପହଞ୍ଚି ମହିଳାଙ୍କୁ ଘରକୁ ନେଇଥିଲେ । ପରେ ଥାନାକୁ ଫୋନ୍ କରି ଜଣାଇଥିଲେ । ଏନେଇ ଶକୁନ୍ତଳା କହିଛନ୍ତି ଯେ ଗତ ୬ ବର୍ଷ ହେବ ମୁଁ ସୁନା ଚେନଟି ପିନ୍ଧିଥିଲି । ହେଲେ କେବେ ଭାବି ନଥିଲି ମୋଠୁ ଏମିତି ଲୁଟ୍ ହେବ । ଲୁଟ୍ ହେବା ପରେ କାହାକୁ ଡାକିଲେ କାଳେ ଲୁଟେରାମାନେ ମୋତେ ଆକ୍ରମଣ କରିବେ, ସେଥିପାଇଁ ଚୁପଚାପ୍ ରହିଗଲି । ଦିନ ଦ୍ୱିପହରରେ ବାହାରକୁ ଯିବାକୁ ଏବେ ଭୟ ଲାଗିଲାଣି । ତାଙ୍କ ବୋହୂଙ୍କଠୁ ଦୁଇ ବର୍ଷ ପୂର୍ବେ ଲୁଟ୍ ଉଦ୍ୟମ ହୋଇଥିଲା । ସେ ଗାଡ଼ିରେ ଯାଉଥିବା ସମୟରେ କେୟାର ହସ୍ପିଟାଲ ପାଖରେ ଲୁଟ୍ ଉଦ୍ୟମ ହୋଇଥିବା ସେ କହିଛନ୍ତି । କେବଳ ଏ ଘଟଣା ନୁହେଁ, ଗତ କିଛିଦିନ ହେବ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅପରାଧ, ଲୁଟପାଟ୍ ଓ ଚୋରି ବୃଦ୍ଧି ପାଇଛି । ପୁଲିସ ପାଟ୍ରୋଲିଂ ହେଉନଥିବାରୁ ଏଭଳି ହେଉଛି । ବିଶେଷ କରି ଥାନା ଅଧିକାରୀ ଓ ଲୋକଙ୍କ ମଧ୍ୟରେ ପୂର୍ବ ପରି ସମନ୍ୱୟ ରହୁନଥିବାରୁ ଏଭଳି ଘଟଣା ଘଟୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ଗ୍ରାହକ ହୋଇ ଆସିଲା, ୬ ଲକ୍ଷର ସୁନା ଅଳଙ୍କାର ନେଇଗଲା
ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନରାତି ଚଳାଇଛନ୍ତି ବେଧଡ଼କ ଲୁଟପାଟ୍ । ତମାଣ୍ଡୋ ଥାନା କଳିଙ୍ଗବିହାରରେ ଏକ ଜୁଏଲାରୀ ଦୋକାନୀଙ୍କ ମୁହଁରେ କେମିକାଲ ସ୍ପ୍ରେ କରି ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛି ଜଣେ ଲୁଟେରା । ଲୁଟ୍ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି । ମିଳିଥିବା ଅଭିଯୋଗ ମୁତାବକ, କଳିଙ୍ଗବିହାର କେ-୪ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ସମ୍ମୁଖରେ ବିଜୟ ବାରିକ ‘ଶୁଭମ ଜୁଏଲାରୀ ଆଣ୍ଡ୍ ୱାର୍କସପ’ ନାମରେ ଏକ ଜୁଏଲାରୀ ଦୋକାନ କରିଛନ୍ତି । ଆଜି ଦିନ ସାଢ଼େ ଗୋଟାଏ ବେଳେ ବିଜୟ ଦୋକାନରେ ଥିବା ବେଳେ ଜଣେ ଯୁବକ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଦୋକାନରେ ପହଞ୍ଚିଥିଲା । ଭଉଣୀ ବାହାଘର ପାଇଁ ଗହଣା ଆବଶ୍ୟକ କହି ସୁନାଚେନ୍ ଓ ମୁଦି ଦେଖାଇବାକୁ କହିଥିଲା । ବିଜୟ ସୁନା ଦେଖାଇବା ପରେ ଯୁବକ ଜଣଙ୍କ ୨ଟି ଚେନ୍ ଓ ୨ଟି ମୁଦି ପସନ୍ଦ କରିଥିଲା । କେତେ ଟଙ୍କା ହେବ ବୋଲି ବିଜୟଙ୍କୁ ପଚାରିଥିଲା । ବିଜୟ ହିସାବ କରିବା ସମୟରେ ଯୁବକ ଜଣଙ୍କ ପକେଟରୁ ଏକ ସ୍ପ୍ରେ ବୋତଲ ବାହାର କରି ବିଜୟଙ୍କ ମୁହଁକୁ ସ୍ପ୍ରେ କରି ଦେଇଥିଲା । ବିଜୟଙ୍କ ଆଖି ପୋଡ଼ିବା ସହ ସେ କିଛି ଦେଖି ନ ପାରି ପାଟି କରି ଉଠିଥିଲେ । ଏହି ସମୟରେ ଲୁଟେରା ଜଣଙ୍କ ୨ ସୁନାଚେନ୍ ସହ ୨ଟି ମୁଦି ଧରି ସ୍କୁଟିରେ ସେଠାରୁ ଖସି ପଳାଇଥିଲା । ବିଜୟଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚି ଯାଇଥିଲେ । ଲୁଟ୍ ହୋଇଥିବା ଜାଣି ଲୁଟେରାର ପିଛା କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନଥିଲେ । ଖବରପାଇ ତମାଣ୍ଡୋ ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ଦୋକାନରେ ଲାଗିଥିବା ସିସିଟିଭିରେ ଲୁଟ୍ ବେଳର ଦୃଶ୍ୟ କଏଦ୍ ହୋଇ ରହିଥିଲା । ପୁଲିସ ଉକ୍ତ ସିସିଟିଭି ଫୁଟେଜକୁ ନେଇ ଲୁଟାରାକୁ ଚିହ୍ନଟ କରି ଜଣେ ନାବାଳକକୁ ଗିରଫ କରିଥିବା ଜଣାପଡ଼ିଛି ।
ଯୁବକଙ୍କୁ ହାଣିଲେ, ଲୁଟିଲେ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ କଟୁରୀରେ ହାଣିବା ସହ ତାଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟିନେବା ଅଭିଯୋଗରେ ଜଣକୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା କଟକ ନିଆଳିର ପୁନିଆ ଓରଫ ଶୁଭେନ୍ଦୁ ନାୟକ । ଶୁଭେନ୍ଦୁ ଠାରୁ ଏକ ଆନ୍ନା କଟୁରୀ, ବାଇକ୍ ଓ ମୋବାଇଲ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତମାସ ୨୦ ତାରିଖ ସନ୍ଧ୍ୟାରେ ନୀଳକଣ୍ଠନଗର ମୁଣ୍ଡାସାହି ନିକଟରେ ଅଭିଯୋଗକାରିଣୀଙ୍କ ପୁଅ ରାଜକିଶୋର ଦିଘଲ(୨୦) ଏବଂ ତାଙ୍କ ବନ୍ଧୁ ଅଲି ଆବ୍ରାହମ୍ ଛିଡ଼ା ହୋଇଥିଲେ । ଏହି ସମୟରେ ଶୁଭେନ୍ଦୁ ଓ ତାଙ୍କ ୫/୬ ସହଯୋଗୀ ସେଠାରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଉଭୟଙ୍କୁ ଆନ୍ନା କଟୁରୀରେ ହାଣିଥିଲେ । ଜୀବନ ବିକଳରେ ଆବ୍ରାହମ୍ ସେଠାରୁ ଖସି ପଳାଇଥିବାବେଳେ ଆକ୍ରମଣକାରୀମାନେ ରାଜକିଶୋରଙ୍କ ମୁଣ୍ଡକୁ ହାଣିଥିଲେ । ରକ୍ତାକ୍ତ ହୋଇ ରାଜକିଶୋର ପଡ଼ିଯିବା ପରେ ଆକ୍ରମଣକାରୀମାନେ ତାଙ୍କ ମୋବାଇଲ ସହ ପକେଟରୁ ୫ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ । ରାଜକିଶୋରଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜକିଶୋରଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ନିଶା କାରବାରକୁ ନେଇ ଏହି ଆକ୍ରମଣ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା । ଆଜି ପୁଲିସ ଏକ ପାର୍କ ନିକଟରୁ ଶୁଭେନ୍ଦୁଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଆନ୍ନା କଟୁରୀ, ଏକ ବାଇକ୍ ଓ ରାଜକିଶୋରଙ୍କ ମୋବାଇଲ ଜବତ କରିଥିଲା । ଅପରାହ୍ଣରେ ଶୁଭେନ୍ଦୁଙ୍କୁ କୋର୍ଟ ଚାଲାଣ କରା ଯାଇଛି । ଏହି ଆକ୍ରମଣରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।