ମୁମ୍ବାଇ,୧୭/୦୭: ଭାରତୀୟ କ୍ରୀଡ଼ା  ପ୍ରେମୀଙ୍କ ପାଇଁ ଖୁସି ଖବର । ବିଶ୍ୱ ପ୍ରସିଦ୍ଧ  ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ  ଆସନ୍ତା ମାସରେ ଭାରତ ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗାମୀ ଏଏଫ୍‌ସି ଚାମ୍ପିଅନ୍ସ  ଲିଗ୍‌-୨ ପାଇଁ ଗ୍ରୁପ୍‌ ଘୋଷଣା କରାଯାଇଛି । 

ରୋନାଲ୍ଡୋଙ୍କ କ୍ଲବ୍‌ ଅଲ୍‌ ନାସର ଓ ଭାରତର  ଏଫ୍‌ସି ଗୋଆ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି । ଫର୍ମାଟ୍‌ ଅନୁଯାୟୀ ଗ୍ରୁପ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଲେଖାଏଁ  ଭେଟିବେ । ଉଭୟ ଦଳ ନିଜ ନିଜ ଘରୋଇ  ଗ୍ରାଉଣ୍ଡ୍‌ରେ ସାମ୍ନା ସାମ୍ନି ହେଉଥିବାରୁ ଅଲ୍‌  ନାସର ଏକ ମ୍ୟାଚ୍‌ ଖେଳିବା ପାଇଁ ଏଫ୍‌ସି  ଗୋଆର ଘରୋଇ ଗ୍ରାଉଣ୍ଡକୁ ଆସିବ ।  

ସେପ୍ଟେମ୍ବର ୨୨ ତାରିଖରେ ଗୋଆର  ଜବାହରଲାଲ ନେହରୁ ଷ୍ଟାଡ଼ିୟମ୍‌ରେ ଏହି  ମ୍ୟାଚ୍‌ ଖେଳାଯିବ । ରୋନାଲ୍ଡୋ ଉକ୍ତ ମ୍ୟାଚ୍‌  ଖେଳିଲେ ତାଙ୍କର ଏହା ପ୍ରଥମ ଭାରତ ଆଗମନ  ହେବ । ଖାଲି ସେତିକି ନୁହେଁ ରୋନାଲ୍ଡୋ ପ୍ରଥମ  ଥର ପାଇଁ କୌଣସି ଭାରତୀୟ କ୍ଲବ୍‌ ବିପକ୍ଷରେ ଖେଳିବେ । ମାତ୍ର ସବୁକିଛି ରୋନାଲ୍ଡୋଙ୍କ  ଉପରେ ନିର୍ଭର କରୁଛି । 

ଅଲ୍‌ ନାସର ସହ ଚୁକ୍ତି ଅନୁଯାୟୀ କ୍ଲବ୍‌ର  ଘରୋଇ ଗ୍ରାଉଣ୍ଡ ବ୍ୟତୀତ କୌଣସି ବାହାର  ଗ୍ରାଉଣ୍ଡର ମ୍ୟାଚ୍‌ ଖେଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ରୋନାଲ୍ଡୋଙ୍କ ଉପରେ ନ୍ୟସ୍ତ ରହିବ । ସେ  ଚାହିଁଲେ ବାହାର ଗ୍ରାଉଣ୍ଡରେ ଖେଳିବେ କିମ୍ବା  ବିଶ୍ରାମ ନେବେ । ତେଣୁ କରି ଭାରତ ଆସିବା ନିଷ୍ପତ୍ତି କେବଳ ରୋନାଲ୍ଡୋଙ୍କ ଉପରେ ନିର୍ଭର  କରିବ । 

ସୂଚନାଯୋଗ୍ୟ, ଏଫ୍‌ସି ଗୋଆ ୨-୧  ଗୋଲ୍‌ରେ ଓମାନର ଅଲ୍‌ ସାଇବକୁ ହରାଇ  ଏଏଫସି ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ଅର୍ଜନ କରିଥିଲା। ଶୁକ୍ରବାର ଦିନ ଚାମ୍ପିଅନ୍ସ ଲିଗ୍‌  ପାଇଁ ଗ୍ରୁପ୍‌ ଘୋଷଣା କରାଯାଇଥିଲା । ଏଫ୍‌ସି  ଗୋଆ ଗ୍ରୁପ୍‌ ଡି’ରେ ସ୍ଥାନ ପାଇଛି । ଏହି  ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ଅଲ୍‌ ନାସର,  ଇରାକର ଅଲ୍‌ ଜାୱରା ଓ ତାଜିକିସ୍ତାନର ଏଫ୍‌ସି ଇସ୍ତିକ୍ଲୋଲ ରହିଛନ୍ତି । ଏଫ୍‌ସି ଗୋଆ  ଘରୋଇ ଗ୍ରାଉଣ୍ଡ୍‌ରେ ସେପ୍ଟେମ୍ବର ୧୭ରେ ଅଲ  ଜାୱରା, ସେପ୍ଟେମ୍ବର ୨୨ରେ ଅଲ୍‌ ନାସର ଓ  ଡିସେମ୍ବର ୨୪ରେ ଇସ୍ତିକ୍ଲୋଲକୁ ଭେଟିବ ।