ନୂଆଦିଲ୍ଲୀ, ୧୯।୩ : ବିଶ୍ୱ ବଜାରରେ ଅଶୋଧିତ ତୈଳ ଦରରେ ଅପ୍ରତ୍ୟାଶିତ ବୃଦ୍ଧି ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ୧୦୦ ରୁ ୧୦୨ ଡଲାର ମଧ୍ୟରେ ସୀମିତ ଥିବା ବ୍ରେଣ୍ଟ କ୍ରୁଡ୍ ହଠାତ୍ ଲମ୍ବା ଡିଆଁ ମାରି ୧୧୧ ଡଲାର ଅତିକ୍ରମ କରିଛି। ଏହି ଅହେତୁକ ଦରବୃଦ୍ଧି ଯୋଗୁଁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଏବଂ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ଦେଖାଦେଇଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି ।
କାହିଁକି ବଢ଼ୁଛି ତୈଳ ଦର ? ଜାଣନ୍ତୁ ୩ଟି ମୁଖ୍ୟ କାରଣ
୧. ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ: ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ଉତ୍ତେଜନା ସ୍ଥିତିକୁ ଅଧିକ ଜଟିଳ କରିଦେଇଛି ।
୨. ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ: ବିଶ୍ୱ ତୈଳ ରପ୍ତାନିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବନ୍ଦ ହେବା ଯୋଗୁଁ ସପ୍ଲାଇ ଚେନ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।
୩. ଉତ୍ପାଦନ ହ୍ରାସ ଓ ବର୍ଦ୍ଧିତ ଚାହିଦା: ବଡ଼ ତୈଳ ଉତ୍ପାଦନକାରୀ ଦେଶମାନେ ଉତ୍ପାଦନ କାଟ୍ କରୁଥିବା ବେଳେ ବିଶ୍ୱବ୍ୟାପୀ ଶକ୍ତିର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।
ଏହା ବି ପଢ଼ନ୍ତୁ... HDFC ବ୍ୟାଙ୍କରେ ସଙ୍କଟ: ସେୟାର ବଜାରରେ ADR ୩% ହ୍ରାସ, କେକି ମିସ୍ତ୍ରୀ ହେଲେ ନୂଆ ଅନ୍ତରୀଣ ଅଧ୍ୟକ୍ଷ
ସୂଚନା ଅନୁଯାୟୀ, ବ୍ରେଣ୍ଟ କ୍ରୁଡ୍ ଦରରେ ୪.୧୭ ପ୍ରତିଶତ ଅର୍ଥାତ୍ ପ୍ରାୟ ୪.୪୮ ଡଲାରର ବୃଦ୍ଧି ଘଟିଛି । ଏବେ ଏହା ବ୍ୟାରେଲ ପିଛା ୧୧୧.୮୬ ଡଲାରରେ ପହଞ୍ଚିଛି । ଗତ ଏକ ବର୍ଷ ମଧ୍ୟରେ ଏହି ଦରରେ ପ୍ରାୟ ୫୫% ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ଆମେରିକୀୟ ବେଞ୍ଚମାର୍କ WTI କ୍ରୁଡ୍ ମଧ୍ୟ ୩.୪୮% ବୃଦ୍ଧି ସହ ୯୯.୬୭ ଡଲାରରେ ପହଞ୍ଚିଛି । ତୈଳ ଦର ବୃଦ୍ଧି ପରେ ପୁଞ୍ଜି ବଜାରରେ ଭୟର ବାତାବରଣ ଖେଳିଯାଇଛି ।
ଭାରତ: ଗିଫ୍ଟ ନିଫ୍ଟିରେ ୨.୪୫% ର ବଡ଼ ହ୍ରାସ ଘଟିଛି ।
ଆମେରିକା: ଡାଓ ଜୋନ୍ସ ୧.୬୩% ଏବଂ ଏସଏଣ୍ଡପି ୫୦୦ରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି ।
ଏସିଆ: ଜାପାନର ନିକ୍କେଇ ୨.୫୫% ଖସି ନାଲି ସଙ୍କେତରେ ବନ୍ଦ ହୋଇଛି ।
ଅଶୋଧିତ ତୈଳ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବୃଦ୍ଧି ପାଏ, ଯାହା ଫଳରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ବଢ଼ିବା ନିଶ୍ଚିତ । ଯଦି ଏହି ସ୍ଥିତି ଜାରି ରହେ, ତେବେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ଆକାଶଛୁଆଁ ହୋଇପାରେ ।