ନୂଆଦିଲ୍ଲୀ, ୧୯।୩: ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କ HDFCରେ ଏକ ବଡ଼ ଧରଣର ପ୍ରଶାସନିକ ସଙ୍କଟ ଦେଖାଦେଇଛି । ବ୍ୟାଙ୍କର ପାର୍ଟ-ଟାଇମ୍ ଚେୟାରମ୍ୟାନ୍ ତଥା ସ୍ୱାଧୀନ ନିର୍ଦ୍ଦେଶକ ଅତନୁ ଚକ୍ରବର୍ତ୍ତୀ ନିଜ ପଦରୁ ତୁରନ୍ତ ଇସ୍ତଫା ଦେଇଛନ୍ତି । ମାର୍ଚ୍ଚ ୧୮ ତାରିଖରେ ଦିଆଯାଇଥିବା ଏହି ଇସ୍ତଫା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି, କାରଣ ସେ ନିଜ ନିଷ୍ପତ୍ତି ପଛରେ 'ନୈତିକ କାରଣ' ଦର୍ଶାଇଛନ୍ତି । ଅତନୁ ଚକ୍ରବର୍ତ୍ତୀ ନିଜ ଇସ୍ତଫା ପତ୍ରରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ ବ୍ୟାଙ୍କ ଭିତରେ କିଛି ଏପରି କାର୍ଯ୍ୟକଳାପ ଚାଲିଥିଲା, ଯାହା ତାଙ୍କର ବ୍ୟକ୍ତିଗତ ମୂଲ୍ୟବୋଧ ଏବଂ ନୈତିକତା ସହ ମେଳ ଖାଉ ନଥିଲା। ଏହି କାରଣରୁ ସେ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୧ରେ ସେ ବ୍ୟାଙ୍କର ବୋର୍ଡରେ ସାମିଲ ହୋଇଥିଲେ ଏବଂ HDFC ଲିମିଟେଡ୍ ସହ ଐତିହାସିକ ମର୍ଜ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଏହା ବି ପଢ଼ନ୍ତୁ... PNBରେ ଆକାଉଣ୍ଟ ଅଛି କି ? ହୋଇଯାଆନ୍ତୁ ସତର୍କ,ଏପ୍ରିଲ ୧୫ ପରେ ହୋଇଯିବ ବନ୍ଦ !
କେକି ମିସ୍ତ୍ରୀ ହେଲେ ଅନ୍ତରୀଣ ଅଧ୍ୟକ୍ଷ:
ଅତନୁଙ୍କ ଇସ୍ତଫା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତତ୍ପରତା ପ୍ରକାଶ କରିଛି । ବ୍ୟାଙ୍କର ପ୍ରସ୍ତାବକୁ ମଞ୍ଜୁରୀ ଦେଇ କେକି ମିସ୍ତ୍ରୀଙ୍କୁ ମାର୍ଚ୍ଚ ୧୯ରୁ ଆଗାମୀ ୩ ମାସ ପାଇଁ ଅନ୍ତରୀଣ ପାର୍ଟ-ଟାଇମ୍ ଚେୟାରମ୍ୟାନ୍ ଭାବେ ନିଯୁକ୍ତି ଦିଆଯାଇଛି । ଏହି ସଙ୍କଟ ସମୟରେ ବ୍ୟାଙ୍କର ପରିଚାଳନାକୁ ସ୍ଥିର ରଖିବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ । ଏହି ଖବର ପ୍ରସାରିତ ହେବା ପରେ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।HDFC ବ୍ୟାଙ୍କର ଆମେରିକାନ୍ ଡିପୋଜିଟାରୀ ରିସିଟ୍ (ADR) ରେ ପ୍ରାୟ ୩% ର ହ୍ରାସ ଦେଖିବାକୁ ମିଳିଛି । ବ୍ୟାଙ୍କ ଭିତରେ ଚାଲିଥିବା 'ନୈତିକ ସମସ୍ୟା' କ’ଣ, ତାହା ଜାଣିବା ପାଇଁ ବଜାର ବିଶେଷଜ୍ଞମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ତେବେ ପ୍ରଶାସନିକ ସ୍ତରରେ ହଲଚଲ୍ ଚାଲିଥିଲେ ମଧ୍ୟ ବ୍ୟାଙ୍କର ଆର୍ଥିକ ପ୍ରଦର୍ଶନ ବେଶ୍ ମଜବୁତ ରହିଛି । ୨୦୨୬ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ବ୍ୟାଙ୍କର ଲାଭ ୧୧.୫% ବଢ଼ି ୧୮, ୬୫୪ କୋଟି ଟଙ୍କାରେ ପହଞ୍ଚିଛି । ନେଟ୍ ଇଣ୍ଟ୍ରେଷ୍ଟ ଇନକମ୍ରେ ମଧ୍ୟ ସନ୍ତୋଷଜନକ ଅଭିବୃଦ୍ଧି ଘଟିଛି ।