ନୂଆଦିଲ୍ଲୀ, ୨୪/୦୬ : ଅନ୍ତର୍ଜାତୀୟ ବଜାରରେ ଯୁଦ୍ଧ ଇଫେକ୍ଟ। ତେଲ ଯୋଗାଣ ରାସ୍ତା ବନ୍ଦ କରିପାରେ ଇରାନ। ୮୦ ଡଲାର ଛୁଇଁଲା ଅଶୋଧିତ ତୈଳ ଦର। ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ ବ୍ରେଣ୍ଟ୍ କ୍ରୁଡ୍। ଭାରତରେ ପଡ଼ିବ ବଡ଼ ପ୍ରଭାବ। ବଢିବ ପେଟ୍ରୋଲ, ଡିଜେଲ୍ ଦର। ୧୨୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଲିଟର। ବଢିବ ପରିବହନ ଖର୍ଚ୍ଚ। ମହଙ୍ଗା ହୋଇଯିବ ଖାଦ୍ୟ ପାନୀୟ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ। ମହଙ୍ଗା ମାଡ଼ରେ ସନ୍ତୁଳି ହେବେ ଲୋକେ। ଭାରତୀୟଙ୍କ ବଢିଲା ଟେନସନ୍। 

ତୈଳ ବ୍ୟାପାରର ଏକ ପ୍ରମୁଖ ରୁଟ୍ ହେଉଛି ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌। ଏହି ପଥ ଦେଇ ବିଶ୍ୱର ୨୦ରୁ ୨୫% ଅଶୋଧିତ ତୈଳ ଏବଂ ୨୫% ପ୍ରାକୃତିକ ଗ୍ୟାସ୍‌ ପରିବହନ ହୋଇଥାଏ। ସାଉଦି ଆରବ, ଇରାକ, କୁଏତ, କତାର ଭଳି ଦେଶଗୁଡ଼ିକରୁ ତୈଳ ଟ୍ୟାଙ୍କର୍‌ ଏହି ବାଟ ଦେଇ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇଥାଏ । ଭାରତ ମଧ୍ୟ ଏହି ରୁଟ୍‌ରେ ୪୦%ରୁ ଅଧିକ ତେଲ ଆଣିଥାଏ। ହେଲେ ଇରାନ-ଇସ୍ରାଏଲ୍ ଯୁଦ୍ଧରେ ଆମେରିକାର ହସ୍ତକ୍ଷେପ ପରେ ବିଗିଡ଼ି ଯାଇଛି ଇରାନ। ୩୩ କିମି ବିଶିଷ୍ଟ ହୋର୍ମୁଜ୍‌ ରୁଟ୍‌କୁ ବନ୍ଦ କରିବାକୁ ଇରାନ ସଂସଦରେ ମିଳିଛି ମଞ୍ଜୁରି। ଏହି ଖବର ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ବଜାରରେ ବଢିଛି ଅଶୋଧିତ ତୈଳ ଦର।  ୮୦ ଡଲାର ଛୁଇଁଲା ବ୍ରେଣ୍ଟ୍ କ୍ରୁଡ୍। ତେବେ ଏହି ମାର୍ଗ ଯଦି ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ତାହେଲେ ୧୨୦ରୁ ୧୫୦ ଡଲାର ପର୍ଯ୍ୟନ୍ତ ଯାଇପାରେ ଅଶୋଧିତ ତୈଳ ଦର। ଯାହାର ପ୍ରଭାବରେ ବଢିବ ପେଟ୍ରୋଲ, ଡିଜେଲ୍। 

ତୈଳ ଆମଦାନି ପାଇଁ ବିକଳ୍ପ ପନ୍ଥା ଆପଣେଇଛି ଭାରତ। ହେଲେ ହୋର୍ମୁଜ୍‌ ରୁଟ୍‌ ଦେଇ ୪୦% ତେଲ ଆଣିଥାଏ ଭାରତ। ଯଦି ଇରାନ ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରେ ତାହେଲେ କେପ୍‌ ଅଫ୍‌ ଗୁଡ୍‌ ହୋପ୍‌ ଦେଇ ତେଲ ଆଣିବାକୁ ପଡ଼ିବ। ଏଥିପାଇଁ ୭ରୁ ୧୩ ଦିନ ଅଧିକ ସମୟ ଲାଗିବ। ସେହିପରି ଯାତ୍ରା ପିଛା ଅତିରିକ୍ତ ୧ ନିୟୁତ ଡଲାର ଖର୍ଚ୍ଚ ବଢିବ। ଏହାର ପ୍ରଭାବରେ ପେଟ୍ରୋଲ ଲିଟର ପିଛା ୧୨୦ ଟଙ୍କା ଛୁଇଁପାରେ। ତେବେ ପେଟ୍ରୋଲ୍ ଡିଜେଲ୍ ଦର ବଢିଲେ ପରିବହନ ଖର୍ଚ୍ଚ ବି ବଢିବ। ଯାହାଦ୍ଵାରା ଖାଦ୍ୟ ପାନୀୟ, ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଙ୍ଗା ହୋଇଯିବ।