ନୂଆଦିଲ୍ଲୀ ୦୧/୦୭: ଗୋଆର ସିଏସ୍‌ଆଇଆର୍-ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓସେନୋଗ୍ରାଫି (ଏନ୍‌ଆଇଓ) ବେଳାଭୂମିରେ ଏକ ହାଇବ୍ରିଡ୍ ଭାସମାନ ପ୍ଲାଟ୍‌ଫର୍ମ ନିର୍ମାଣ କରୁଛି । ଏହି ଗୋଟିଏ ସଂରଚନାରୁ ବିଭିନ୍ନ ପ୍ରକାର ନବୀକରଣଯୋଗ୍ୟ ଉର୍ଜ୍ଜା ଉତ୍ପନ୍ନ ହେବ । ଏହି ପ୍ରସ୍ତାବିତ ପ୍ରକଳ୍ପ ୫ ନବୀକରଣଯୋଗ୍ୟ ଉର୍ଜ୍ଜା ଟେକ୍ନୋଲୋଜି ଯଥା- ସୌର, ପବନ, ତରଙ୍ଗ, ଜୁଆର ଓ ସମୁଦ୍ର ପ୍ରବାହ ଶକ୍ତିକୁ ଗୋଟିଏ ଭାସମାନ ପ୍ରଣାଳୀରେ ଏକୀକୃତ କରିବ । ଏକସଙ୍ଗେ ଏକାଧିକ ସାମୁଦ୍ରିକ ଶକ୍ତି ସମ୍ପଦର ଉପଯୋଗ କରି ସ୍ୱଚ୍ଛ ଶକ୍ତି ଉତ୍ପାଦନକୁ ସର୍ବାଧିକ କରିବା ଏବଂ ନବୀକରଣଯୋଗ୍ୟ ଉର୍ଜ୍ଜା ଉତ୍ପାଦନର ଦକ୍ଷତା ଓ ଭରସାଯୋଗ୍ୟତାକୁ ବଢ଼ାଇବା ଏହି ପ୍ରକଳ୍ପର ଲକ୍ଷ୍ୟ ।

ଏହି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାୟୀ ଶକ୍ତି ନିମନ୍ତେ ଏକ ଅଗ୍ରଣି ମଡେଲ ରୂପେ କାମ କରିବ ବୋଲି ଆଶା କରାଯାଉଛି । ସାମୁଦ୍ରିକ ଅନୁସନ୍ଧାନ ଓ ସବୁଜ ଟେକ୍ନୋଲୋଜିରେ ଭାରତର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ଏହା ଦର୍ଶାଉଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ଭାରତର ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ । ବୈଜ୍ଞାନିକ ଅନୁସନ୍ଧାନ, ପ୍ରଯୁକ୍ତିଗତ ଉଦ୍ଭାବନ ଏବଂ ଅପେକ୍ଷାକୃତ ସ୍ୱଚ୍ଛ ଓ ଶକ୍ତିର ଅଧିକ ସ୍ଥାୟୀ ସ୍ରୋତ ଅଭିମୁଖେ ଭାରତର ପରିବର୍ତ୍ତନକୁ ଏହା ମଜଭୁତ କରିବ ।

ସିଏସ୍‌ଆଇଆର୍-ଏନ୍‌ଆଇଓର ନିର୍ଦ୍ଦେଶକ କହିଛନ୍ତି, ଏହି ହାଇବ୍ରିଡ୍ ଟେକ୍ନୋଲୋଜି କେବଳ ଉର୍ଜ୍ଜା ପ୍ରଦାନ କରିବ ନାହିଁ, ବରଂ ବିଜୁଳି ସଙ୍କଟର ମଧ୍ୟ ସ୍ଥାୟୀ ସମାଧାନ ହେବ । ଏହା ଦ୍ୱାରା ସମୁଦ୍ର ମଧ୍ୟରେ ହିଁ ଗ୍ରୀନ୍ ହାଇଡ୍ରୋଜେନ୍ ଗ୍ୟାସ୍ ଉତ୍ପନ୍ନ କରାଯାଇ ପାରିବ । ଫଳରେ କାରଖାନା ପାଇଁ ମହଙ୍ଗା ତାର ବିଛାଇବାକୁ ପଡ଼ିବ ନାହିଁ ଏବଂ ଉର୍ଜ୍ଜା ସଞ୍ଚୟ ଖୁବ୍ ସହଜ ହୋଇଯିବ ।

 

ଆହୁରି ପଢ଼ନ୍ତୁ...ଡାଟା ସେଣ୍ଟର କ'ଣ? କାହିଁକି ଏହାର ବିନା ସାହାଯ୍ୟରେ ଚାଲିପାରିବନି ୟୁପିଆଇ, ହ୍ବାଟ୍ସଆପ୍ ଏବଂ ଏଆଇ

ଏହି ଟେକ୍ନୋଲୋଜି ସ୍ଥାପନା ଲାଗି ପ୍ରଥମେ ଏକ ଛୋଟ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରି ପରୀକ୍ଷା କରାଯିବ । ବର୍ଷାରେ ପାଣିପାଗ ଅଧିକ ଖରାପ ହେଲେ, ସୁରକ୍ଷା ପାଇଁ ଏହାକୁ କୂଳକୁ ସ୍ଥାନାନ୍ତର କରାଯାଇ ପାରିବ । ଭବିଷ୍ୟତରେ ଏହା ବର୍ଷତମାମ ଅଲଗା ଅଲଗା ଋତୁ ଅନୁସାରେ ସମୁଦ୍ରରେ ରହି କାମ କରିବ । ଅର୍ଥାତ୍ ପାଣିପାଗ ହିସାବରେ ଏହା ତାଳମେଳ ରକ୍ଷା କରିବ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସମୁଦ୍ର ମଝିରେ ସ୍ୱଚ୍ଛ ଉଦ୍ଯାନ ଉତ୍ପନ୍ନ ଲାଗି ମେସିନ୍ ସଂଲଗ୍ନ ହେବ ।