କଟକ,୦୬/୦୬: ଗଲା ଆଇପିଏଲ୍‌ ସମୟରେ ଏକାଧିକ ଗେମିଂ ଆପ୍‌ରେ  କ୍ରିକେଟ୍‌ ଟିମ୍‌ ତିଆରି କରିବାରେ ଟଙ୍କା  ନିବେଶ କରୁଥିଲେ । ହେଲେ ଫାଇନାଲ୍‌ ଦିନ ଲଗାଇଥିବା ଏକ ମୋଟା ଅଙ୍କର ଅର୍ଥ ବୁଡ଼ିଗଲା । ଏହା ପରେ ମାନସିକ ଭାରସାମ୍ୟ  ହରାଇ ବସିଲେ । ଉଧାର ଆଣିଥିବା ଟଙ୍କାର ବୋଝ ସହି ନ ପାରି ଶେଷରେ ଆତ୍ମହତ୍ୟା  ଭଳି ପନ୍ଥା ବାଛିନେଲେ । ଘରେ ବେକରେ  ରଶି ଲଗାଇ ଝୁଲିପଡ଼ିଲେ । -ଏଭଳି  ଏକ ଦୁଃଖଦ ଘଟଣା ବୁଧବାର ରାତିରେ  ବିଡ଼ାନାସୀ ଥାନା ଅଧୀନ ତୁଳସୀପୁର ଟିଭି  ସେଣ୍ଟର୍‌ ରୋଡ୍‌ ଅଞ୍ଚଳରେ ଘଟିଛି ।  ମୃତକ ହେଲେ ବିଶ୍ୱରଂଜନ ପାତ୍ରଙ୍କ  ପୁଅ ପୀୟୂଷ ପାତ୍ର(୨୪) । ବିଡ଼ାନାସୀ  ଥାନା ପୁଲିସ ମୃତଦେହ ଉଦ୍ଧାର କରି  ବ୍ୟବଚ୍ଛେଦ ପରେ ପରିବାର ଜିମା ଦେଇଛି ।  ଅପରାହ୍ନରେ ପୀୟୂଷଙ୍କ ଶେଷକୃତ୍ୟ ସମ୍ପନ୍ନ  ହୋଇଛି । ତେବେ ପୀୟୂଷ ପ୍ରକୃତରେ  କେତେ ଟଙ୍କା ଏହି ଅନଲାଇନ୍‌ ବେଟିଂରେ  ହରାଇଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ  ବୋଲି ପୁଲିସ କହିଛି ।  

ପୀୟୂଷଙ୍କ ବାପା ବିଶ୍ୱରଂଜନ ପାତ୍ର  ଜଣେ ଅବସରପ୍ରାପ୍ତ ଅଧିକାରୀ । ପୀୟୂଷ ଏମ୍‌ବିଏ ପାଠ ଶେଷ କରିବା ପରେ ଚାକିରି  ଖୋଜାଖୋଜି କରୁଥିଲେ । ଗତ ସପ୍ତାହରେ  ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ପାଇଁ  ପୂରା ପରିବାର ଲୋକ କଟକ ବାହାରକୁ ଯାଇଥିଲେ । ପୀୟୂଷ ଏକୁଟିଆ ଘରେ ଥିଲେ ।  ହଠାତ୍‌ ଗୁରୁବାର ପଡ଼ୋଶୀ ଫୋନ୍‌ କରି ଘରେ  ହୋଇଥିବା ଅଘଟଣ ବିଷୟ ପରିବାର  ଲୋକଙ୍କୁ ଜଣାଇଥିଲେ । ପୀୟୂଷ ବେକରେ  ରଶି ଲଗାଇ ଆତ୍ମହତ୍ୟା କରିଥିବା ପଡ଼ୋଶୀ  ଖବର ଦେଇଥିଲେ । ଏ ସୂଚନା ପାଇ  ପରିବାର ଲୋକେ ଫେରି ଆସିବା ପରେ  ପୁଲିସ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର  କରି ପଞ୍ଚନାମା କରିଥିଲା । ପରେ ଏସ୍‌ସିବି  ନେଇ ବ୍ୟବଚ୍ଛେଦ କରାଇଛି । ପରିବାର  ଲୋକେ ମୃତ୍ୟୁର କାରଣ ବିଷୟରେ ଲିଖିତ  ଭାବେ ସେଭଳି କିଛି ଜଣାଇ ନାହାନ୍ତି । ପୁଲିସ  ଅପମୃତ୍ୟୁ ମାମଲା ରୁଜୁ ପରେ ପ୍ରାଥମିକ  ତଦନ୍ତରୁ କିନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ  ଜାଣିବାକୁ ପାଇଛି ।  

ପୁଲିସକୁ ମିଳିଥିବା ସୁରାକ୍‌ ଅନୁସାରେ ଗଲା ଆଇପିଏଲ୍‌ ଋତୁରେ ଅନ୍ୟ ଅନେକ ଯୁବକଙ୍କ ଭଳି ପୀୟୂଷ ଏକାଧିକ ଅନ୍‌ଲାଇନ୍‌  ଗେମିଂ ଆପ୍‌ସ୍‌ରେ ଟଙ୍କା ନିବେଶ କରି ଟିମ୍‌ ତିଆରି କରୁଥିଲେ । ଉକ୍ତ ଟିମ୍‌ ତିଆରିରୁ ସେ କେତେ ଅର୍ଥ ପାଉଥିଲେ ଓ କେତେ  ଅର୍ଥ ହରାଉଥିଲେ ତାହା ପରିବାର ଲୋକେ  ଜାଣି ନଥିଲେ । ତେବେ ସମ୍ଭବତଃ ଫାଇନାଲ୍‌  ମ୍ୟାଚ୍‌ ପୂର୍ବରୁ ପୀୟୂଷ ଏକ ମୋଟା  ଅଙ୍କର ଅର୍ଥରାଶି ନିବେଶ କରି ତାହାକୁ  ହରାଇଥିଲେ । ଆଉ ମଙ୍ଗଳବାର ରାତିରେ  ଫାଇନାଲ୍‌ରେ ବୁଡ଼ିଯାଇଥିବା ଅର୍ଥକୁ ଫେରସ୍ତ  ପାଇବା ଆଶାରେ ପୁଣି ଅଧିକ ପରିମାଣର  ଅର୍ଥ ନିବେଶ କରିଥିଲେ । ହେଲେ ତାହା  ମଧ୍ୟ ବୁଡ଼ିଯାଇଥିଲା । ମୋଟା ଅଙ୍କର ଟଙ୍କା  ବୁଡ଼ିଯିବା ପରେ ପୀୟୂଷ ମାନସିକ ଭାବେ  ଭାଙ୍ଗି ପଡ଼ିଥିଲେ । ସମ୍ଭବତଃ କିଛି ଅର୍ଥ  ଉଧାର ଆକାରରେ ଆଣି ସେ ନିବେଶ  କରିଥିବା ସନ୍ଦେହ କରାଯାଉଛି । ହେଲେ  ମୂଳ ଜମା ବୁଡ଼ିଯିବାରୁ ନିବେଶକଙ୍କ  ଉଧାର ଟଙ୍କା ଫେରାଇ ପାରି ନଥିଲେ ।  

ଏପରିକି ଉଧାର ଦେଇଥିବା ଲୋକେ  ଟଙ୍କା ଫେରସ୍ତ ମାଗିବା ପରେ ପୀୟୂଷ  ଅନ୍ୟ ଉପାୟ ନପାଇ ଆତ୍ମହତ୍ୟାର ପନ୍ଥା  ବାଛିଥିବା ପୁଲିସ କେତେକ ସୂତ୍ରରୁ ସୂଚନା  ପାଇଛି । ଏନେଇ ବିଡ଼ାନାସୀ ଥାନା ପକ୍ଷରୁ  ଅଧିକ ତଦନ୍ତ ଜାରି ରହିଛି । କିଛି ଦିନ  ଭିତରେ ପ୍ରକୃତ ତଥ୍ୟ ପଦାକୁ ଆସିବ  ବୋଲି ପୁଲିସ କହିଛି । ଏପରିକି କେତେ  ଟଙ୍କା ବୁଡ଼ିଛି ଓ ପୀୟୂଷ କାହାଠାରୁ ଟଙ୍କା  ଆଣିଥିଲେ ଓ ସେ ଟଙ୍କା କିଏ ତାଙ୍କୁ ଫେରସ୍ତ  ମାଗୁଥିଲେ ତାହା ମଧ୍ୟ ତଦନ୍ତରୁ ସ୍ପଷ୍ଟ  ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି ।