କଟକ,୦୬/୦୬: ଗଲା ଆଇପିଏଲ୍ ସମୟରେ ଏକାଧିକ ଗେମିଂ ଆପ୍ରେ କ୍ରିକେଟ୍ ଟିମ୍ ତିଆରି କରିବାରେ ଟଙ୍କା ନିବେଶ କରୁଥିଲେ । ହେଲେ ଫାଇନାଲ୍ ଦିନ ଲଗାଇଥିବା ଏକ ମୋଟା ଅଙ୍କର ଅର୍ଥ ବୁଡ଼ିଗଲା । ଏହା ପରେ ମାନସିକ ଭାରସାମ୍ୟ ହରାଇ ବସିଲେ । ଉଧାର ଆଣିଥିବା ଟଙ୍କାର ବୋଝ ସହି ନ ପାରି ଶେଷରେ ଆତ୍ମହତ୍ୟା ଭଳି ପନ୍ଥା ବାଛିନେଲେ । ଘରେ ବେକରେ ରଶି ଲଗାଇ ଝୁଲିପଡ଼ିଲେ । -ଏଭଳି ଏକ ଦୁଃଖଦ ଘଟଣା ବୁଧବାର ରାତିରେ ବିଡ଼ାନାସୀ ଥାନା ଅଧୀନ ତୁଳସୀପୁର ଟିଭି ସେଣ୍ଟର୍ ରୋଡ୍ ଅଞ୍ଚଳରେ ଘଟିଛି । ମୃତକ ହେଲେ ବିଶ୍ୱରଂଜନ ପାତ୍ରଙ୍କ ପୁଅ ପୀୟୂଷ ପାତ୍ର(୨୪) । ବିଡ଼ାନାସୀ ଥାନା ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଜିମା ଦେଇଛି । ଅପରାହ୍ନରେ ପୀୟୂଷଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ପୀୟୂଷ ପ୍ରକୃତରେ କେତେ ଟଙ୍କା ଏହି ଅନଲାଇନ୍ ବେଟିଂରେ ହରାଇଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
ପୀୟୂଷଙ୍କ ବାପା ବିଶ୍ୱରଂଜନ ପାତ୍ର ଜଣେ ଅବସରପ୍ରାପ୍ତ ଅଧିକାରୀ । ପୀୟୂଷ ଏମ୍ବିଏ ପାଠ ଶେଷ କରିବା ପରେ ଚାକିରି ଖୋଜାଖୋଜି କରୁଥିଲେ । ଗତ ସପ୍ତାହରେ ପରିବାରର ଜଣେ ସଦସ୍ୟଙ୍କ ଚିକିତ୍ସା ପାଇଁ ପୂରା ପରିବାର ଲୋକ କଟକ ବାହାରକୁ ଯାଇଥିଲେ । ପୀୟୂଷ ଏକୁଟିଆ ଘରେ ଥିଲେ । ହଠାତ୍ ଗୁରୁବାର ପଡ଼ୋଶୀ ଫୋନ୍ କରି ଘରେ ହୋଇଥିବା ଅଘଟଣ ବିଷୟ ପରିବାର ଲୋକଙ୍କୁ ଜଣାଇଥିଲେ । ପୀୟୂଷ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପଡ଼ୋଶୀ ଖବର ଦେଇଥିଲେ । ଏ ସୂଚନା ପାଇ ପରିବାର ଲୋକେ ଫେରି ଆସିବା ପରେ ପୁଲିସ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ପଞ୍ଚନାମା କରିଥିଲା । ପରେ ଏସ୍ସିବି ନେଇ ବ୍ୟବଚ୍ଛେଦ କରାଇଛି । ପରିବାର ଲୋକେ ମୃତ୍ୟୁର କାରଣ ବିଷୟରେ ଲିଖିତ ଭାବେ ସେଭଳି କିଛି ଜଣାଇ ନାହାନ୍ତି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ ପରେ ପ୍ରାଥମିକ ତଦନ୍ତରୁ କିନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣିବାକୁ ପାଇଛି ।
ପୁଲିସକୁ ମିଳିଥିବା ସୁରାକ୍ ଅନୁସାରେ ଗଲା ଆଇପିଏଲ୍ ଋତୁରେ ଅନ୍ୟ ଅନେକ ଯୁବକଙ୍କ ଭଳି ପୀୟୂଷ ଏକାଧିକ ଅନ୍ଲାଇନ୍ ଗେମିଂ ଆପ୍ସ୍ରେ ଟଙ୍କା ନିବେଶ କରି ଟିମ୍ ତିଆରି କରୁଥିଲେ । ଉକ୍ତ ଟିମ୍ ତିଆରିରୁ ସେ କେତେ ଅର୍ଥ ପାଉଥିଲେ ଓ କେତେ ଅର୍ଥ ହରାଉଥିଲେ ତାହା ପରିବାର ଲୋକେ ଜାଣି ନଥିଲେ । ତେବେ ସମ୍ଭବତଃ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ପୀୟୂଷ ଏକ ମୋଟା ଅଙ୍କର ଅର୍ଥରାଶି ନିବେଶ କରି ତାହାକୁ ହରାଇଥିଲେ । ଆଉ ମଙ୍ଗଳବାର ରାତିରେ ଫାଇନାଲ୍ରେ ବୁଡ଼ିଯାଇଥିବା ଅର୍ଥକୁ ଫେରସ୍ତ ପାଇବା ଆଶାରେ ପୁଣି ଅଧିକ ପରିମାଣର ଅର୍ଥ ନିବେଶ କରିଥିଲେ । ହେଲେ ତାହା ମଧ୍ୟ ବୁଡ଼ିଯାଇଥିଲା । ମୋଟା ଅଙ୍କର ଟଙ୍କା ବୁଡ଼ିଯିବା ପରେ ପୀୟୂଷ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ସମ୍ଭବତଃ କିଛି ଅର୍ଥ ଉଧାର ଆକାରରେ ଆଣି ସେ ନିବେଶ କରିଥିବା ସନ୍ଦେହ କରାଯାଉଛି । ହେଲେ ମୂଳ ଜମା ବୁଡ଼ିଯିବାରୁ ନିବେଶକଙ୍କ ଉଧାର ଟଙ୍କା ଫେରାଇ ପାରି ନଥିଲେ ।
ଏପରିକି ଉଧାର ଦେଇଥିବା ଲୋକେ ଟଙ୍କା ଫେରସ୍ତ ମାଗିବା ପରେ ପୀୟୂଷ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟାର ପନ୍ଥା ବାଛିଥିବା ପୁଲିସ କେତେକ ସୂତ୍ରରୁ ସୂଚନା ପାଇଛି । ଏନେଇ ବିଡ଼ାନାସୀ ଥାନା ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । କିଛି ଦିନ ଭିତରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି । ଏପରିକି କେତେ ଟଙ୍କା ବୁଡ଼ିଛି ଓ ପୀୟୂଷ କାହାଠାରୁ ଟଙ୍କା ଆଣିଥିଲେ ଓ ସେ ଟଙ୍କା କିଏ ତାଙ୍କୁ ଫେରସ୍ତ ମାଗୁଥିଲେ ତାହା ମଧ୍ୟ ତଦନ୍ତରୁ ସ୍ପଷ୍ଟ ହେବ ବୋଲି ଥାନା ପକ୍ଷରୁ କୁହାଯାଇଛି ।