କୋରାପୁଟ,୧୦।୨ : ୬ ଲକ୍ଷ ୯୦ ହଜାର ଠକେଇ କରିବା ଅଭିଯୋଗରେ ଝାଡ଼ଖଣ୍ଡରୁ ଜଣେ ସାଇବର ଠକକୁ କୋରାପୁଟ ସାଇବର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ  ହେଲେ ପଶ୍ଚିମ ବଙ୍ଗ ବାସିନ୍ଦା ଅଫତାବ ଅଲି। ଲୋକଙ୍କୁ ଅଧିକ ସୁଧ ମିଳିବା ଆଶା ଦେଖାଇ ସେ ଠକୁଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମନଵ୍ରତା ଶତପଥୀ ସୂଚନା ଦେଇଛନ୍ତି । 

ଦୀର୍ଘଦିନ ଧରି ଲୋକଙ୍କୁ ଅଧିକ ସୁଧ ମିଳିବା ଆଶା ଦେଖାଇ ଏକ କମ୍ପାନୀ ଖୋଲି ସୋସିଆଲ ମିଡିଆରେ ଲିଙ୍କ ପଠାଇଥିଲା । ଲିଙ୍କରେ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପଠାଇବା ସହ ପରେ ଯୋଗ ଯୋଗ କରି ଦୁଇ ତିନିଟା କିସ୍ତି ଡବଲ ଟଙ୍କା କରି ପଠାଉଥିଲା। ସୋସିଆଲ ମିଡିଆରେ ଲୋକଙ୍କୁ ଯୋଗାଯୋଗ କରି ଅଧିକ ସୁଧ ସହ ଟଙ୍କା ଫେରାଇବା ଲୋଭ ଦେଖାଇ ଅଫତାବ ଅଲ୍ଲୀ ଠକୁଥିଲା । ଗତ ନଭେମ୍ବର ମାସରେ କୋରାପୁଟର ଜଣେ ରେଳ ବିଭାଗ କର୍ମଚାରୀ ଭାରତ ଭୂଷଣ ବର୍ଗୀ ୬ଲକ୍ଷ ୯୦ ହଜାର ରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଶିକାର ହୋଇଥିବା କୋରାପୁଟ ସାଇବର ଥାନାରେ  ଲିଖିତ ଅଭିଯୋଗ କରିଥିଲେ  ‌। ଅଭିଯୋଗ ଆଧାରରେ ସାଇବର ପୋଲିସ ଅଭିଯୁକ୍ତ ଅଲ୍ଲୀକୁ ଝାଡଖଣ୍ଡରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଠାରୁ ଦୁଇ ଲକ୍ଷ ନଗଦ, ମୋବାଇଲ ଫୋନ ସହ ୧୦ଟି ଚେକ ବୁକ ଜବତ୍ କରାଯାଇଥିବା ଅତିରିକ୍ତ ଏସପି ମନଵ୍ରତା ଶତପଥିଙ୍କ ସୂଚନା ଦେଇଛନ୍ତି।