ବେଜିଂ/ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରକ୍ରିୟାରେ ହସ୍ତକ୍ଷେପ ନକରିବାକୁ ଭାରତକୁ ଚେତାବନୀ ଦେଇଛି ଚୀନ୍। ଦଲାଇ ଲାମାଙ୍କ ପରବର୍ତ୍ତୀ ଅବତାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛି ଡ୍ରାଗନ୍ । ଏହା ଆଶା ପ୍ରକାଶ କରିଛି ଯେ ଭାରତ ତିବ୍ଦତୀୟ ସ୍ୱାଧୀନତାକୁ ମଞ୍ଚ ଯୋଗାଇବ ନାହିଁ। ଭାରତରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଏହି ମନ୍ତବ୍ୟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି ଚୀନ୍ ଦଲାଇ ଲାମାଙ୍କ ପୁନର୍ଜନ୍ମ ପୂର୍ବରୁ କାହିଁକି ଏତେ ଭୟଭୀତ ?

ଚୀନ୍ ମୁଖପାତ୍ର କହିଛନ୍ତି, ଦଲାଇଲାମାଙ୍କ ପୁନର୍ଜନ୍ମ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବରେ ଚୀନ୍‌ର ଆଭ୍ୟନ୍ତରୀଣ ମାମଲା। ଏଥିରେ କାହାର କୌଣସି ପ୍ରକାର ହସ୍ତକ୍ଷେପ କରିବା ଦରକାର ନାହିଁ। ତଥାକଥିତ’ କେନ୍ଦ୍ରୀୟ ତିବ୍ଦତ ପ୍ରଶାସନ’ କୌଣସି ସାର୍ବଭୌମ୍ୟ ଦେଶ ଦ୍ବାରା ମାନ୍ୟତା ପ୍ରାପ୍ତ କରିନି। ଏହାର ନେତୃତ୍ବ ପାଖରେ ତିବ୍ଦତୀୟ ଲୋକଙ୍କ ପ୍ରତିନିଧିତ୍ବ କରିବାର କୌଣସି ବୈଧତା ନାହିଁ କିମ୍ବା ପୁନର୍ଜନ୍ମର ପକ୍ରିୟା ସମ୍ପର୍କରେ କୌଣସି ଦାବି କରିବାର ଅଧିକାର ନାହିଁ।’ ଏହି ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ତିବ୍ଦତ ସହ ଜଡିତ ପ୍ରସଙ୍ଗରେ ନିଜର ସ୍ଥିତି ସ୍ପଷ୍ଟ କରିଛି।

ଦଲାଇ ଲାମା ୨ ଜୁଲାଇରେ କହିଥିଲେ, ତାଙ୍କର ପୁନର୍ଜନ୍ମକୁ ଜାଣିବାର ‘ଏକମାତ୍ର ଅଧିକାର’ ଗାଦେନ ଫୋଡ୍ରାଙ୍ଗ ଟ୍ରଷ୍ଟ ପାଖରେ ରହିଛି ଓ ଅନ୍ୟ କାହା ପାଖରେ ଏହି ମାମଲାରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ।’ ଏହାର ଜବାବ୍ରେ ଚୀନ୍, ଯିଏକି ଦଲାଇ ଲାମାଙ୍କୁ ଏକ ବିଚ୍ଛିନ୍ନବାଦୀ ମାନୁଛି, ସେ କହିଛି କୌଣସି ପୁନର୍ଜନ୍ମକୁ ବେଜିଂରୁ ମଞ୍ଜୁରୀ ମିଳିବା ଦରକାର। ଏହାର ଠିକ୍ ପରେ ଓ ପ୍ରଥମ ଥର ଭାରତର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଯିଏକି ନିଜେ ଜଣେ ବୌଦ୍ଧଧର୍ମୀ ସେ ୩ ଜୁଲାଇରେ ଦଲାଇ ଲାମାଙ୍କ ବୟାନ ଉପରେ ସାର୍ବଜନୀନ ରୂପରେ ଜବାବ୍ ଦେଇଥିଲେ। ସେ ପିଟିଆଇକୁ କହିଥିଲେ, ଯେଉଁମାନେ ଦଲାଇ ଲାମାଙ୍କୁ ବିଶ୍ୱାସ କରନ୍ତି ସେମାନେ କୁହନ୍ତି ପୁନର୍ଜନ୍ମର ନିଷ୍ପତ୍ତି ପ୍ରତିଷ୍ଠିତ ରୀତିନୀତି ଅନୁସାରେ ଏବଂ ଦଲାଇ ଲାମାଙ୍କ ଇଚ୍ଛା ଅନୁସାରେ ନିଆଯିବା ଉଚିତ।

ଦଲାଇ ଲାମାଙ୍କ ଉପରେ ଚୀନ୍ ଭାରତକୁ କାହିଁକି ଚେତାବନୀ ଦେଉଛି

-ଚୀନ୍ ଚାହୁଁଛି ଆଗାମୀ ଦଲାଇ ଲାମା ବେଜିଂ ଦ୍ବାରା ଚୟନ ହେବ, ଯାହାଫଳରେ ତିବ୍ଦତ ଓ ବୌଦ୍ଧ ସମୁଦାୟ ଉପରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ପୂର୍ଣ୍ଣ ନିୟନ୍ତ୍ରଣ ରହିପାରିବ। ଚୀନ୍ ନିଜର ଏକ ଦଲାଇ ଲାମା ଆଣିବାକୁ ଚାହୁଁଛି।

- ତିବ୍ଦତର ନିର୍ବାସିତ ସରକାର, କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ, ଭାରତର ଧର୍ମଶାଳାରେ ଅବସ୍ଥିତ। ଚୀନ୍ ଭୟ କରୁଛି ଯେ ଭାରତର ସହାୟତାରେ, ପରବର୍ତ୍ତୀ ଦଲାଇ ଲାମାଙ୍କୁ ଚୀନ୍ ବାହାରେ (ଯେପରିକି ଭାରତର ତୱାଙ୍ଗ ଅଞ୍ଚଳରୁ) ଚୟନ କରାଯାଇପାରେ, ଯାହା ତିବ୍ଦତ ଉପରେ ଅବୈଧ ଦଖଲ ପାଇଁ ଚୀନ୍ର ଆନ୍ତର୍ଜାତୀୟ ଦାବିକୁ ଦୁର୍ବଳ କରିଦେବ।

- ଚୀନ୍ର ମତ ହେଉଛି ଯେ ପୁନର୍ଜନ୍ମ ପ୍ରକ୍ରିୟା ଚୀନ୍ର ଆଇନ ଏବଂ ଐତିହାସିକ ଭାବରେ ପ୍ରତିଷ୍ଠିତ ‘ସୁବର୍ଣ୍ଣ କଳସ’ ବ୍ୟବସ୍ଥା ଅନୁସାରେ କରାଯିବା ଉଚିତ, ଯେଉଁଥି ପାଇଁ ବେଜିଂର କେନ୍ଦ୍ର ସରକାରଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ଆବଶ୍ୟକ।

- ବର୍ତ୍ତମାନର ୧୪ତମ ଦଲାଇ ଲାମା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ପୁନର୍ଜନ୍ମ ଚୀନ୍ ନିୟନ୍ତ୍ରଣାଧୀନ ତିବ୍ଦତରେ ନୁହେଁ, ଏକ ସ୍ୱାଧୀନ ଦେଶରେ ହେବ। ସେ ଇଙ୍ଗିତ ଦେଇଛନ୍ତି ଯେ ପରବର୍ତ୍ତୀ ଦଲାଇ ଲାମା ଭାରତର ହୋଇପାରନ୍ତି।

- ଭାରତ କହି ସାରିଛି ‘ଓ୍ବାନ ଚାଇନା’ ନୀତିକୁ ସମ୍ମାନ କରେ, କିନ୍ତୁ ଭାରତୀୟ ଅଧିକାରୀ ଓ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଆଗାମୀ ଦଲାଇ ଲାମାଙ୍କୁ ଚୟନ କରିବାର ଅଧିକାର କେବଳ ଦଲାଇ ଲାମା ଓ ତାଙ୍କର ଅନୁଗାମୀଙ୍କର ରହିଛି। ଚୀନ୍ ଏହି କଥାରେ ଅସନ୍ତୁଷ୍ଟ ଅଛି।

-ଚୀନ୍କୁ ଭୟ ରହିଛି ଯଦି ଆଗାମୀ ଦଲାଇ ଲାମା ଭାରତରୁ ଚୟନ ହୁଅନ୍ତି, ତେବେ ତିବ୍ଦତର ସ୍ବାଧୀନତାର ଆନ୍ଦୋଳନ ଆହୁରି ମଜବୁତ ହେବ, ଯାହାଦ୍ବାରା ଭାରତ-ଚୀନ୍ ସୀମା (LAC)ରେ ଭୂରାଜନୈତିକ ଉତ୍ତେଜନାକୁ ଆହୁରି ଗମ୍ଭୀର ହୋଇଯିବ।

କିଭଳି ହୁଏ ଦଲାଇ ଲାମାଙ୍କ ଚୟନ ପକ୍ରିୟା ?

ଦଲାଇ ଲାମାଙ୍କୁ ଚୟନ କରିବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଆଧ୍ୟାତ୍ମିକ ଏବଂ ତିବ୍ଦତୀୟ ବୌଦ୍ଧ ଧର୍ମର ଏକ ଶହ ଶହ ବର୍ଷ ପୁରୁଣା ପରମ୍ପରା ଉପରେ ଆଧାରିତ ଯାହାକୁ ‘ପୁନର୍ଜନ୍ମ’ ସନ୍ଧାନ କୁହାଯାଏ। ତିବ୍ଦତୀୟ ବୌଦ୍ଧମାନେ ବିଶ୍ୱାସ କରନ୍ତି ଯେ ଦଲାଇ ଲାମା ତାଙ୍କ ମୃତ୍ୟୁ ପରେ ଏକ ନୂତନ ଶିଶୁ ଭାବରେ ପୁନର୍ଜନ୍ମ ପାଆନ୍ତି। ‘ହାଇ ଲାମା’ (ବରିଷ୍ଠ ସନ୍ନ୍ୟାସୀ) ଏବଂ ତିବ୍ଦତୀୟ ସରକାର ଏହି ପ୍ରକ୍ରିୟାକୁ ସମାପ୍ତ କରିବା ପାଇଁ ଏକାଠି କାମ କରନ୍ତି, ବହୁ ପର୍ଯ୍ୟାୟରେ ଏହି ପକ୍ରିୟା ଚାଲିଥାଏ। ଏହି ପକ୍ରିୟାରେ ମାସ ମାସ ଧରି ଚାଲିପାରୁଥିବା ଅନେକ ପର୍ଯ୍ୟାୟ ରହିଛି।