ଭୁବନେଶ୍ବର, ୧୭/୦୭ (ପ୍ରମେୟ ଡିଜିଟାଲ): ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାହିଆ ନଥିବାରୁ ଏହାକୁ ନେଇ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ ଏଥିପାଇଁ ସରକାରଙ୍କୁ ଦାୟୀ କରିଛନ୍ତି। ବିଜେପି କିନ୍ତୁ ବିରୋଧୀଙ୍କୁ ସମାଲୋଚନା କରି କହିଛି,  ବର୍ଷା ପାଇଁ ଭାଙ୍ଗିଛି ଟାହିଆ। ସବୁ ଜଗନ୍ନାଥଙ୍କ ଇଚ୍ଛା।

ଟାହିଆ ହଟାଇବାକୁ କିଏ ପରାମର୍ଶ ଦେଲା ? ଏମିତି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ ଅଭିଯୋଗ କରିଛନ୍ତି, ଜଗନ୍ନାଥଙ୍କ ଆଖିରେ ଲୁହ ଥିଲା। ବିନା ଟାହିଆରେ ରହି ରହି ଆସିଛନ୍ତି ପ୍ରଭୁ ଜଗନ୍ନାଥ । ଜଗନ୍ନାଥଙ୍କୁ ଶ୍ରୀହୀନ କରି ଲୋକଙ୍କ ପାଖକୁ ଆଣିବାର କ’ଣ ଆବଶ୍ୟକତା ଥିଲା ? କୋଟି କୋଟି ଲୋକଙ୍କ ଆସ୍ଥା, ବିଶ୍ୱାସ ଉପରେ ପ୍ରହାର ହୋଇଛି । ସରକାର ରଥ ଆୟୋଜନରେ ଫେଲ ମାରିଛନ୍ତି ।  ଦଳାଚକଟାରେ ଭକ୍ତ ମରିଛନ୍ତି। ଭକ୍ତମାନଙ୍କ ପାଇଁ ପୁରୁଣା ପଦ୍ଧତି ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ ସଂଜୟ ଦାସ ବର୍ମା, ଉମା ସାମନ୍ତରାୟ, ସୁଭାଶିଷ ଖୁଣ୍ଟିଆ ଓ ପ୍ରମିଳା ମଲ୍ଲିକ ସରକାରଙ୍କ ଉପରେ ବର୍ଷିଛନ୍ତି ।

ବିଜେଡି କହିଛି, ରଥଯାତ୍ରା ବିଭ୍ରାଟ ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ମାଗନ୍ତୁ ସରକାର। କାହାକୁ ଖୁସି କରିବାକୁ ଜଗନ୍ନାଥଙ୍କ ଟାହିଆ ଖସା ଯାଇଛି ସରକାର ଜବାବ ରଖନ୍ତୁ। ଏ ଘଟଣା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ କଷ୍ଟ ଦେଇଛି। ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଛନ୍ତି । ଏହା କ’ଣ ଓଡ଼ିଆ ସଂସ୍କୃତି ଓ  ପରମ୍ପରା ? ଓଡ଼ିଆ ଅସ୍ମିତା କଣ ରାତିରେ ରଥ ଟାଣିବା ? ଜଗନାଥପ୍ରେମୀଙ୍କୁ କ୍ଷମା ମାଗନ୍ତୁ ସରକାର। ଦଳା ଚକଟାରେ ତିନି ଜଣ ମଲେ, ୩୫୦ ଲୋକ ଆହତ ହେଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରନ୍ତୁ ସରକାର।  ଗୁରୁତର ଆହତଙ୍କୁ ତୁରନ୍ତ  କଟକ ଏସସିବି କିମ୍ବା ବାହାର ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ଯୋଗାଇଦେବାକୁ ବିଜେଡି ଦାବି କରିଛି । ବିଜେପି ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଛନ୍ତି, ବର୍ଷା ପାଇଁ ଭାଙ୍ଗିଛି ଟାହିଆ। ସବୁ ଜଗନ୍ନାଥଙ୍କ ଇଚ୍ଛା।

ଏ ବର୍ଷ ସଫଳତାର ସହ ରଥଯାତ୍ରା ଆୟୋଜନ ହୋଇଛି । ପ୍ରସ୍ତୁତିରେ କୌଣସି ତ୍ରୁଟି ନାହିଁ । ସରକାର, ମନ୍ଦିର ପ୍ରଶାସନ ଭଲରେ ସବୁକୁ ପରିଚାଳନା କରିଛନ୍ତି । ବିରୋଧୀଙ୍କ କାମ ହେଉଛି ବିରୋଧ କରିବେ। ଜଗନ୍ନାଥଙ୍କ ବିନା ନିର୍ଦ୍ଦେଶରେ କିଛି ହୁଏ ନାହିଁ। ପ୍ରତିକୂଳ ପରିସ୍ଥିତିରେ ଲକ୍ଷ ଲକ୍ଷ ଭକ୍ତ ଆସିଥିଲେ। ଟାହିଆ କଥା ଜଗନ୍ନାଥଙ୍କ ଇଚ୍ଛା। ଟାହିଆ ବର୍ଷା ପାଇଁ ନଷ୍ଟ ହୋଇଛି। ବିରୋଧୀ ଦଳ ଅଯଥା ଏ ପ୍ରସଙ୍ଗ ଉଠାଇଛନ୍ତି।

ଅଧିକ ପଢ଼ନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, କର୍ଡନ ଭିତରେ ବିନା ପାସ୍‌ଧାରୀଙ୍କୁ ପୂରାଇଲା ପୁଲିସ