ନୂଆଦିଲ୍ଲୀ – ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ଓ କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡ (ଏଏସଆରବି)ର ଡାଟା ଡିଲିଟ୍ ହେବାର ମାମଲା ଏବେ ବଡ଼ ରୂପ ନେଇ ସାରିଛି। ଦିଲ୍ଲୀର ମୁଖ୍ୟ ସର୍ଭରରେ ଡାଟା ଉଡ଼ିବାର କିଛି ଦିନ ପରେ ହାଇଦ୍ରାବାଦର ବ୍ୟାକଅପ୍ ସର୍ଭରରୁ ମଧ୍ୟ ସେହି ଡାଟା ଗାଏବ ହୋଇ ଯାଇଛି।

ଏତେ ବଡ଼ ଘଟଣା ଘଟିବା ସତ୍ତ୍ୱେ ନା ଏଫଆଇଆର ହୋଇଛି , ନା କୌଣସି ସ୍ପଷ୍ଟ ଜବାବ ...ଏବଂ ଏହି କାରଣରୁ ଏହି ପୂରା ପ୍ରକରଣକୁ ନେଇ ସନ୍ଦେହ ଆହୁରି ଗଭୀର ହେବାରେ ଲାଗିଛି। ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ଯଦି ଦେଶର ସବୁଠୁ ବଡ଼ କୃଷି ସଂସ୍ଥାର କୋର ଡାଟା ଡିଲିଟ ହୋଇଯାଏ ତ ଏଫଆଇଆର କାହିଁକି କରାଯାଇ ନାହିଁ।

ଆଇସିଏଆରର ମହାନିର୍ଦ୍ଦେଶକ ଡା. ଏମ.ଏଲ.ଜାଟ୍ ସ୍ପଷ୍ଟ କହିଛନ୍ତି ଯେ, ଏବେସୁଦ୍ଧା କୌଣସି ଏଫଆଇଆର ରୁଜୁ କରାଯାଇ ନାହିଁ।ସେ ଏହାମଧ୍ୟ ମାନିଛନ୍ତି ଯେ, ପ୍ରଥମେ ଦିଲ୍ଲୀ ସର୍ଭରର ଡାଟା ଡିଲିଟ୍ ହେଲା, ପୁଣି କିଛି ଦିନ ପରେ ହାଇଦ୍ରାବାଦରେ ବ୍ୟାକଅପ୍ ଡାଟା ମଧ୍ୟ ଉଡ଼ିଗଲା। ହେଲେ ସେ ଏହା ମଧ୍ୟ କହିଛନ୍ତି ଯେ, ଚାରି ଜଣ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଡାଟା ରିକଭରି କରିବାକୁ ଚେଷ୍ଟା ଚାଲିଛି। କିନ୍ତୁ ଘଟଣାକ୍ରମକୁ ଦେଖିଲେ ମାମଲା କେବଳ ମେଣ୍ଟେନାନ୍ସ ତ୍ରୁଟି ହୋଇ ଥିବା ଭଳି ଲାଗୁ ନାହିଁ।

ପ୍ରଶ୍ନ ଉଠୁଛି ଯେ, ମାର୍ଚ୍ଚରେ ଡାଟା ଉଡ଼ିଯିବା ପରେ ଏହାକୁ ଅଧିକାରୀମାନେ ମାସ ମାସ ଧରି କାହିଁକି ଦବାଇ ରଖିଥିଲେ ? କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଯେବେ ଏହାର ସୂଚନା ମିଳିଲା, ସେତେବେଳେ ଯାଇ ଜୁଲାଇ ୨୦୨୫ରେ ଏକ ଛଅ ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ ହେଲା।

ସବୁଠୁ ଆଶ୍ଚର୍ଯ୍ୟକର କଥ କମିଟିରେ ଗୋଟିଏ ବି ବାହ୍ୟ ଆଇଟି କିମ୍ୱା ସାଇବର ବିଶେଷଜ୍ଞଙ୍କୁ ସାମିଲ କରାଯାଇ ନାହିଁ। ସବୁ କାମ ଆଇସିଏଆର ଭିତର ଲୋକଙ୍କୁ ଦିଆ ଯାଇଛି। ପ୍ରଥମ ସାଇବର ଥ୍ରେଟ୍ ୨୮ ଫେବ୍ରୁଆରୀ , ପୁଣି ଦୁଇଟି ସର୍ଭର ଖାଲି , ବ୍ୟାକଅପ୍ କାହିଁକି ନିଆଗଲା ନାହିଁ ?

ଯାଞ୍ଚରେ ସଂପୃକ୍ତି ସୂତ୍ରାନୁସାରେ , ୨୮ ଫେବ୍ରୁଆରୀରେ ସର୍ଭର ଉପରେ ପ୍ରଥମ ଥ୍ରେଟ୍ ଦେଖିବାକୁ ମିଳିଲା। ମାର୍ଚ୍ଚରେ ପ୍ରାଇମେରୀ ସର୍ଭରର ଡାଟା ଗଲା । କିଛି ଦିନ ପରେ ହାଇଦ୍ରାବାଦର ବ୍ୟାକଅପ୍ ସର୍ଭର ମଧ୍ୟ ଖାଲି ହୋଇଗଲା। ଏବେ ବଡ଼ ପ୍ରଶ୍ନ ଏହା ଯେ,ଥ୍ରେଟ୍ ମିଳିବା କ୍ଷଣି ଡାଟା ସୁରକ୍ଷିତ କରିବାକୁ କଣ ପ୍ରସ୍ତୁତି କରାଯାଇଛି ? ଡାଟା ଉଡ଼ିବା ପରେ ତୁରନ୍ତ ବ୍ୟାକଅପ୍ କାହିଁକି ବାହାର କରାଗଲା ନାହିଁ।