ଫୁଲବାଣୀ/ଖଜୁରୀପଡା,୧୭/୮: ଉତ୍ତରାଖଣ୍ଡରେ ଶହୀଦ ହୋଇଥିବା କନ୍ଧମାଳର ଯବାନ ସୁରେଶ ମଲ୍ଲିକଙ୍କ ମୃତଶରୀର ରବିବାର ତାଙ୍କ ନିଜ ଗ୍ରାମ ଗୁଦାରୀରେ ପହଞ୍ଚିଛି। ଏକ ଭାବବିହ୍ବଳ ପରିବେଶ ଭିତରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ସୂଚନାଯୋଗ୍ୟ,ସୁରେଶ ଭାରତୀୟ ସୈନ୍ୟ ବାହିନୀର ବିହାର ରେଜିମେଣ୍ଟରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। କିଛି ଦିନ ତଳେ ଉତ୍ତରାଖଣ୍ଡରେ ହୋଇଥିବା ଭୟାବହ ଭୂସ୍ଖଳନ ପରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ସେ ନିୟୋଜିତ ଥିଲେ। ଏହି ସମୟରେ ତାଙ୍କ ଉପରେ ମାଟି ଅତଡା ଖସି ପଡିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଲ୍ଲୀ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ସେ ଅଗଷ୍ଟ ୧୫ ତାରିଖ ରାତିରେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ସେନାବାହିନୀର ଏକ ସ୍ବତନ୍ତ୍ର ଗାଡି ଯୋଗେ ତାଙ୍କ ମୃତଦେହକୁ ନିଜ ଗ୍ରାମ ଖଜୁରୀପଡା ବ୍ଲକ ଗୁଦାରୀକୁ ଅଣାଯାଇଥିଲା। ସେଠାରେ ପରିବାର ଲୋକ, ଗ୍ରାମବାସୀ, ଜିଲ୍ଲା ପ୍ରଶାସନ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା। ଶହୀଦ ସୁରେଶ ୨୦୦୪ରେ ସେନାବାହିନୀରେ ଯୋଗ ଦେଇଥିଲେ ଏବଂ ଆସନ୍ତା ବର୍ଷ ଅବସର ନେଇ ଥାଆନ୍ତେ। ମୃତ ସୁରେଶଙ୍କ ପରିବାରରେ ସ୍ତ୍ରୀ ଏବଂ ଦୁଇ ପୁଅ ଅଛନ୍ତି।