ନୂଆଦିଲ୍ଲୀ,୦୯/୧୧: ବିଷ ବଳୟରେ ଜର୍ଜରିତ ଦିଲ୍ଲୀବାସୀ । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ପୁଣି ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦ୍ୟତମ ସୂଚନା ଅନୁଯାୟୀ, ITO ଏବଂ ଏହାର ଆଖପାଖରେ ଏକ୍ୟୁଆଇ ୪୨୦ ରେକର୍ଡ କରାଯାଇଛି, ଯାହାକୁ "ଗମ୍ଭୀର" ବୋଲି ବିବେଚନା କରାଯାଏ। ପ୍ରଦୂଷଣର ଏହି ସ୍ତର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ, ବିଶେଷକରି ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ପାଇଁ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ସରକାରୀ କାର୍ଯ୍ୟାଳୟ ସମୟରେ ପରିବର୍ତ୍ତନ ଘୋଷଣା କରିଥିଲେ।
ସିପିସିବିର ତଥ୍ୟ ଅନୁଯାୟୀ, ଆଇଟିଓ ନିକଟରେ ଘନ କୁହୁଡ଼ି ଦେଖାଯାଇଛି । ଏକ୍ୟୁଆଇ ୩୪୯ ରେକର୍ଡ କରାଯାଇଥିବା ବେଳେ ଏହା "ଅତ୍ୟନ୍ତ ଖରାପ" ସ୍ଥିତିରେ ରହିଛି । ଏହା ବ୍ୟତୀତ, ଇଣ୍ଡିଆ ଗେଟ୍ ପାଖରେ ଏକ୍ୟୁଆଇ ୩୮୧ ରେକର୍ଡ କରାଯାଇଥିଲା।ଏହି ସମୟରେ, ସକାଳଠାରୁ ଅକ୍ଷରଧାମ ପାଖରେ କୁହୁଡ଼ି ଦେଖାଯାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଏହି ଅଞ୍ଚଳରେ ଏକ୍ୟୁଆଇ ୪୧୨ରେ "ଗମ୍ଭୀର" ବର୍ଗରେ ରହିଛି । ଲୋଧି ରୋଡ୍ ପାଖରେଏକ୍ୟୁଆଇ ମଧ୍ୟ ୩୭୭ ରେକର୍ଡ କରାଯାଇଛି। ତେବେ ଗତ କିଛି ଦିନ ମଧ୍ୟରେ ଦିଲ୍ଲୀରେ ପବନର ବେଗ ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ରହିଛି, ଯାହା ଫଳରେ ପ୍ରଦୂଷଣରେ ସାମାନ୍ୟ ହ୍ରାସ ଘଟିଛି। ଆଜି ରାଜଧାନୀରେ ପ୍ରବଳ ପବନ ବହିବାର ଆଇଏମଡି ପୂର୍ବାନୁମାନ କରିଥିବା ବେଳେ ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ।