ମୁମ୍ବାଇ,୨୧ \୭ : ବଲିଉଡର ଫିଟ୍ ଓ ଡ୍ୟାସିଂ ଅଭିନେତା ଜନ୍ ଆବ୍ରାହମ୍ । ନିକଟରେ ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଡିଲ୍ କରିଛନ୍ତି । ସେ ସହରର ସବୁଠାରୁ ଚର୍ଚ୍ଚିତ ବା ମହଙ୍ଗା ଅଞ୍ଚଳରେ ଏକ ସମ୍ପତ୍ତି କିଣିଛନ୍ତି । ରିଅଲ୍ ଇଷ୍ଟେଟ୍ ରିସର୍ଚ୍ଚ ଫର୍ମ ଲିଆସେସ୍ ଫୋରାସ ଦ୍ୱାରା ପ୍ରାପ୍ତ ସମ୍ପତ୍ତି କାଗଜପତ୍ର ଅନୁଯାୟୀ, ବଙ୍ଗଳାଟି ବାନ୍ଦ୍ରାର ଏକ ପ୍ରିମିୟମ୍ ଆବାସିକ ଅଞ୍ଚଳ ସେଣ୍ଟ ମାର୍ଟିନ୍ସରେ ଅବସ୍ଥିତ । ଏହି ଅଞ୍ଚଳର ଶାନ୍ତ,ସବୁଜିମା ଏବଂ ହାଇ ପ୍ରୋଫାଇଲ୍ ପଡ଼ୋଶୀଙ୍କ ପାଇଁ ଜଣାଶୁଣା ।
ଏହି ସମ୍ପତ୍ତିଟି 1,017.60 ବର୍ଗ ମିଟରର ଏକ ବିଶାଳ ପ୍ଲଟ୍ ଉପରେ ବିସ୍ତାରିତ। ସବା ତଳ ଫ୍ଲୋରରେ ମୁଖ୍ୟ ବଙ୍ଗଳା ନିର୍ମାଣ ହୋଇଛି, ଯାହା ପ୍ରାୟ 193.12 ବର୍ଗ ମିଟରର । ଏହା ବ୍ୟତୀତ, ମୁଖ୍ୟ ବଙ୍ଗଳା ନିକଟରେ ପ୍ରାୟ 31.50 ବର୍ଗ ମିଟର ପରିମିତ ଆଉ ଏକ ଆଉଟ ହାଉସ୍ ମଧ୍ୟ ରହିଛି ,ଯାହା ଏହି ସମ୍ପତ୍ତିର ଏକ ଅଂଶ । ସରକାରୀ ଦଲିଲ ଅନୁଯାୟୀ, ଏହି ଡିଲର ଆଇନଗତ ପଞ୍ଜୀକରଣ ୧୪ ଜୁଲାଇ, ୨୦୨୬ରେ ସମାପ୍ତ ହୋଇଥିଲା। ଜନ୍ ଆବ୍ରାହମ ଏହାକୁ ୮୪ କୋଟି ଟଙ୍କା ମୂଲ୍ୟରେ କିଣିଥିଲେ । ଏହା ସହିତ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ଅଭିନେତା ୫.୦୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେୟ ଦେଇଥିଲେ ।
ଏହା ଏକ 'ଫ୍ରିହୋଲ୍ଡ ' ସମ୍ପତ୍ତି । ଯାହାକୁ ଜନ୍ ଏକ ରେଜିଷ୍ଟର ଡିଡି ମାଧ୍ୟମରେ କିଣିଥିଲେ । ଏହି ସମ୍ପତ୍ତି ଡେଭିଟ୍ରେ ପରିବାରର ମାଲିକାନାରେ ଥିଲା । ହେଲେ ଏହି ବଡ଼ ଧରଣର କ୍ରୟ-ବିକ୍ରୟ ସମ୍ପର୍କରେ ଅଭିନେତା କିମ୍ବା ବିକ୍ରୟକାରୀ ପରିବାର ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ ।
ବାନ୍ଦ୍ରା ସ୍ଥିତ ବଙ୍ଗଳା ଏତେ ମହଙ୍ଗା କାହିଁକି ?
ମୁମ୍ବାଇର ବିଳାସପୂର୍ଣ୍ଣ ରିଅଲ୍ ଇଷ୍ଟେଟ୍ ବଜାର କହିଲେ ବାନ୍ଦ୍ରା, ଜୁହୁ ଏବଂ ମାଲାବାର ହିଲ୍ ଭଳି ଅଞ୍ଚଳ । ଏଠାରେ ବଙ୍ଗଳାଗୁଡ଼ିକର ଚାହିଦା ସବୁବେଳେ ଅଧିକ ଥାଏ। ଏହି ପୁରୁଣା କଲୋନୀଗୁଡ଼ିକରେ ଏବେ ଆପାର୍ଟମେଣ୍ଟ ଘର, କିମ୍ବା ଖାଲି ଜମି ନାହିଁ । ଜମି ଅଭାବ କାରଣରୁ ଏଠାରେ ସମ୍ପତ୍ତି କିଣିବା ମହଙ୍ଗା ହୋଇଛି ।
ରିଅଲ୍ ଇଷ୍ଟେଟ୍ ବିଶେଷଜ୍ଞମାନେ ଏହି ସମ୍ପତ୍ତିଗୁଡ଼ିକୁ "ଟ୍ରଫି ହୋମ୍" ବୋଲି କୁହନ୍ତି । ଏଗୁଡ଼ିକ କେବଳ ରହିବା ପାଇଁ ଏକ ସ୍ଥାନ ନୁହେଁ, ବରଂ ପ୍ରତିଷ୍ଠା ଏବଂ ଲମ୍ବା ସମୟର ନିବେଶ ବୋଲି ମନାଯାଏ । ମୁମ୍ବାଇରେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ଜାଗାର ମୂଲ୍ୟ ବଢିବାରେ ଲାଗୁଛି । ଧୀରେ ଧୀରେ ବାନ୍ଦ୍ରାର ଏହି ପ୍ରମୁଖ ସ୍ଥାନ ଗୁଡ଼ିକର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି ।