ନୂଆଦିଲ୍ଲୀ:  ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିଛି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ତାଙ୍କ କ୍ୟାବିନେଟ୍‌ରେ ୬ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଦ ଲାଗି ଦାବିଦାର ଥିବା ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଆଜି (ଫେବ୍ରୁଆରୀ ୨୦) ରାମଲୀଳା ମଇଦାନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସାମରୋହରେ ପରବେଶ ବର୍ମା ଉପମୁଖ୍ୟମନ୍ତ୍ରୀ ନୁହେଁ ବରଂ କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏନେଇ ସେ ନିଜ ଏକ୍ସ ଆକାଉଣ୍ଟରେ ମଧ୍ୟ ସୂଚନା ଦେଇଛନ୍ତି । 




ବିଜେପି ନେତା ଏବଂ ନୂଆଦିଲ୍ଲୀ ବିଧାୟକ ପରବେଶ ବର୍ମା କହିଛନ୍ତି ଯେ, ସେ ଦଳର ଜଣେ ଅତ୍ୟନ୍ତ ଶୃଙ୍ଖଳିତ କର୍ମୀ ଏବଂ ତାଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ପୂରଣ କରିବେ। ଦିଲ୍ଲୀବାସୀ ବିଜେପିକୁ ସମର୍ଥନ କରିଛନ୍ତି ଏବଂ ୪୮ ଆସନ ଜିତିଛି ଦଳ ।  ସେ କହିଛନ୍ତି ‘ମୁଁ ଭାବୁଛି ଯେ, ଦିଲ୍ଲୀ ପ୍ରତି ଆମର ଏକ ବଡ଼ ଦାୟିତ୍ୱ ଅଛି । ଦିଲ୍ଲୀର ଲୋକମାନେ ଆମକୁ ପ୍ରେମ ଏବଂ ଆଶୀର୍ବାଦ ଦେଇଛନ୍ତି । ୨୬ ବର୍ଷରୁ ଅଧିକ ସମୟ ପରେ, ବିଜେପି ଏଠାରେ ସରକାର ଗଠନ କରିଛି । ମୁଁ ବିଶେଷ ଭାବରେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି । ଦିଲ୍ଲୀର ନାଗରିକମାନେ ବିଶ୍ୱାସ କରୁଛନ୍ତି ଯେ, ତାଙ୍କ ନେତୃତ୍ୱରେ ଆମେ ଏହାକୁ ବିଶ୍ୱର ସବୁଠାରୁ ସୁନ୍ଦର ରାଜଧାନୀ କରିବୁ ।’

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା, ଦିଲ୍ଲୀ କ୍ୟାବିନେଟର ୬ ମନ୍ତ୍ରୀଙ୍କ ଶପଥ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇ ବର୍ମା କହିଛନ୍ତି ଯେ, ଦିଲ୍ଲୀକୁ ସେମାନଙ୍କ ନେତୃତ୍ୱରେ ଭଲ ମାର୍ଗଦର୍ଶନ ମିଳିଛି।  ଆଜି ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ବିକଶିତ ଦିଲ୍ଲୀ ଲାଗି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ । ଆମେ ଆମର ଘୋଷଣାପତ୍ରରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବୁ ବୋଲି କହିଛନ୍ତି ପରବେଶ ବର୍ମା ।

ପରବେଶ ବର୍ମା ସମସ୍ତ ଦଳୀୟ କର୍ମୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ସେମାନଙ୍କ କଠିନ ପରିଶ୍ରମ ଫଳପ୍ରଦ ହୋଇଛି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି କି ? ଏହାର ଜବାବରେ ବର୍ମା କହିଥିଲେ, ‘ମୁଁ ବହୁତ ଦିନ ଧରି କହିଆସୁଛି ମୁଁ ବିଜେପିର ଜଣେ ଅତ୍ୟନ୍ତ ଶୃଙ୍ଖଳିତ କର୍ମୀ ଏବଂ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପିରେ ରହିବି । ବିଜେପି ମୋ ପିତାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କରିଥିଲା । ସେ ମଧ୍ୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦଳ ପାଇଁ ସେବା କରି ଚାଲିଥିଲେ । ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମୁଁ ପୂରଣ କରିବି।