ଭୁବନେଶ୍ଵର : ଷ୍ଟ୍ରୋକ୍‌ ଏକ ଗମ୍ଭୀର ସମସ୍ୟା, ଯାହାର ଶିକାର କେହି ହୋଇପାରନ୍ତି । ଫଳରେ ବ୍ୟକ୍ତି ବିଭିନ୍ନ ସମସ୍ୟାର ଶିକାର ହେବାର ଆଶଙ୍କା ବଢିଥାଏ । ଏହାକୁ ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ କୁହାଯାଏ । ଏହାକୁ ସଠିକ୍‌ ସମୟରେ ନିରୂପଣ କରି ଚିକିତ୍ସା କରିବା ଜରୁରି । ତେବେ ଚାଲନ୍ତୁ ଜାଣିବା ଏହାର କ’ଣ ରହିଥାଏ ଲକ୍ଷଣ? 

ମଣିଷ ଶରୀର ଏକ ଜଟିଳ ସଂରଚନା । ପାଦ ଆଙ୍ଗୁଳିଠାରୁ ଆରମ୍ଭ କରି ମୁଣ୍ଡର କେଶ ପର୍ଯ୍ୟନ୍ତ ସାରା ଶରୀର ମଧ୍ୟରେ ସଂଯୋଗ ରହିଛି । ସେହିପରି ମସ୍ତିଷ୍କ ସହ ହୃଦୟର ମଧ୍ୟ ସଂପୃକ୍ତି ରହିଛି । ଆଙ୍ଗ୍‌ଜାଇଟି, ଷ୍ଟ୍ରେସ୍‌, ଅବସାଦ, ପରି ମାନସିକ ସ୍ଥିତି ହୃଦ୍‌ଘାତ, ଷ୍ଟ୍ରୋକ୍‌ ଓ ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଦାୟୀ । ସେହିପରି ଯେଉଁ ବ୍ୟକ୍ତି ଷ୍ଟ୍ରୋକ୍‌ ପରି ଘାତକ ପରିସ୍ଥିତି ଦେଇ ଗତି କରିସାରିଛନ୍ତି, ସେମାନଙ୍କଠାରେ ଅବସାଦର ଲକ୍ଷଣ ଦେଖାଦେଇପାରେ । ଏହାକୁ ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ ବୋଲି ଚିହ୍ନଟ କରିବା ସହ ଚିକିତ୍ସା କରିବା ଜରୁରି । ନଚେତ୍‌ ହୃଦ୍‌ଘାତ ପରି ଗମ୍ଭୀର ପରିସ୍ଥିତିକୁ ନିମନ୍ତ୍ରଣ ଦେଇପାରନ୍ତି । ଷ୍ଟ୍ରୋକ୍‌ ପରେ ମାନସିକ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଥାଏ । ଅବସାଦ ଷ୍ଟ୍ରୋକ୍‌ର ଏକ ପାର୍ଶ୍ୱ ପ୍ରତିକ୍ରିୟା । ଷ୍ଟ୍ରୋକ୍‌ ପରେ ଏହା ଦେଖାଯିବା ଖୁବ୍‌ ସାଧାରଣ । ଷ୍ଟ୍ରୋକ୍‌ ହେବା ପରେ ପ୍ରତି ୩ ଜଣଙ୍କ ଭିତରୁ ଜଣକଠାରେ ଅବସାଦ, ଧୀରେ ଧୀରେ ନ୍ୟୁରୋମିଟରରେ ପରିବର୍ତ୍ତନ, ଖରାପ ଜୀବନଶୈଳୀ ଏବଂ ମୃତ୍ୟୁକୁ ନେଇ ଆଶଙ୍କା ବଢିଯାଇଥାଏ । ଅବସାଦ ଷ୍ଟ୍ରୋକ୍‌ର ୨ ବର୍ଷ ପରେ ମଧ୍ୟ ଆସିପାରେ । ପ୍ରାୟତଃ ୩୦ ପ୍ରତିଶତ ଷ୍ଟ୍ରୋକ୍‌ରୁ ରକ୍ଷା ପାଇଥିବା ବ୍ୟକ୍ତିଙ୍କଠାରେ ଅବସାଦ ଦେଖିବାକୁ ମିଳିଥାଏ । 

ପୋଷ୍ଟ ଷ୍ଟ୍ରୋକ୍‌ ଡିପ୍ରେସନ୍‌ ଲକ୍ଷଣ 

ମନ ଅସ୍ଥିର ହେବା, ହୃଦ୍‌ସ୍ପନ୍ଦନ ବଢିବା, ମୃତ୍ୟୁର ଭୟ, କିଛି କରିବାର ଆଗ୍ରହ କମିବା, ଆବଶ୍ୟକଠାରୁ ଅଧିକ ଭୋକ ଲାଗିବା ବା ଆଦୌ ଭୋକ ନ ଲାଗିବା, ଶକ୍ତିହୀନ ଅନୁଭବ କରିବା, ଆତ୍ମହତ୍ୟା କରିବାକୁ ଇଚ୍ଛା ହେବା, ନିଷ୍ପତ୍ତି ନେବାରେ ସମସ୍ୟା ଓ ଉଦାସ ଅନୁଭବ କରିବା । 

ଚିକିତ୍ସା
 
ଷ୍ଟ୍ରୋକ୍‌ ପରେ ହେଉଥିବା ଅବସାଦର ଚିକିତ୍ସା ଜରୁରି । କୌଣସି ଭଲ ମନୋ ଚିକିତ୍ସକଙ୍କ ସାହାଯ୍ୟ ନେଇ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ପରିବାର ସହ ରହିବା ତଥା ସମସ୍ତ ଭାବନାକୁ ସେୟାର କରିବା ମଧ୍ୟ ଜରୁରି । ଯଦି ଆବଶ୍ୟକ, ତେବେ ଥେରାପୀ ମଧ୍ୟ ନିଅନ୍ତୁ । ପ୍ରଫେସନାଲ୍‌ ହେଲ୍ପ କଗ୍‌ନିଟିଭ୍‌ ବିହେବିରିଆଲ୍‌ ଥେରାପୀ, ଇଣ୍ଟରପର୍ସନାଲ୍‌ ଥେରାପୀ ପରି ଅନ୍ୟାନ୍ୟା ଥେରାପୀର ମଧ୍ୟ ସହଯୋଗ ନେଇପାରିବେ । ଏସବୁ କରିବା ଦ୍ୱାରା ଅବସାଦରୁ ବାହାରିବା ସମ୍ଭବ ହୋଇଥାଏ ।