ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏବେ ଦୁଇ ଚର୍ଚ୍ଚିତ ଚେହେରାଙ୍କ ଏକ ଫଟୋକୁ ନେଇ ଚର୍ଚ୍ଚା। ଏହି ଫଟୋ ଆଉ କାହାର ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ) ସାଂସଦ ସଞ୍ଜୟ ରାଓ୍ବତଙ୍କ ମଧ୍ୟରେ ଏକ ଆଲୋଚନା ସମୟର । କୁହାଯାଉଛି କି, ମଙ୍ଗଳବାର ମୁମ୍ବାଇରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ । ଏହି ସାକ୍ଷାତକାର ରାଓ୍ବତଙ୍କ ସମୁଦ୍ଧି ରାଜେଶ ନାର୍ବିକାରଙ୍କ ପୁଅର ବିବାହରେ ହୋଇଥିଲା, ଯେଉଁଠାରେ ଦୁଇ ନେତା ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ ଏବଂ କିଛି ସମୟ ପାଇଁ କଥାବାର୍ତ୍ତା କରିଥିଲେ।

ରାଜେଶ ନାର୍ବିକାରଙ୍କ ପୁଅର ବିବାହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ବିଜେପି ନେତା ଆଶିଷ ଶେଲାର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ। ସମାରୋହ ସମୟରେ ସଞ୍ଜୟ ରାଓ୍ବତ ଏବଂ ଦେବେନ୍ଦ୍ର ଫଡନଭିସ୍ ସ୍ୱାଭାବିକ ଭାବରେ ସାକ୍ଷାତ କରିଥିଲେ, କିନ୍ତୁ କିଛି ଫଟୋ ପ୍ରକାଶ ପାଇବା ପରେ, ଏହି ସାକ୍ଷାତ ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ଫଡନଭିସ୍ ଓ ରାଓ୍ବତଙ୍କ ବିଷୟରେ କ’ଣ ହୋଇଛି ଆଲୋଚନା ?

ବୈଠକ ସମୟରେ, ମୁଖ୍ୟମନ୍ତ୍ରୀ ଫଡନଭିସ୍ ପ୍ରଥମେ ସଞ୍ଜୟ ରାଓ୍ବତଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। କିଛି ଦିନ ପୂର୍ବରୁ, ସଞ୍ଜୟ ରାଉତ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ତାଙ୍କୁ ଏକ ଗମ୍ଭୀର ରୋଗ ହୋଇଛି। ଡାକ୍ତର ମାନେ ତାଙ୍କୁ ଅଧିକ ବିଶ୍ରାମ ନେବାକୁ ଏବଂ ସାର୍ବଜନୀନ ଯୋଗଦାନକୁ କମ କରିବାକୁ ପରାମର୍ଶ ଦେଇଥିଲେ।

ଅସୁସ୍ଥତା ପରେ, ସଞ୍ଜୟ ନିଜେ କହିଥିଲେ ଯେ, ସେ କିଛି ସମୟ ପାଇଁ ସାର୍ବଜନୀନ ଜୀବନରୁ ଦୂରେଇ ରହିବେ, କିନ୍ତୁ ଖୁବଶୀଘ୍ର ସେ ସୁସ୍ଥ ହୋଇ ସୀମିତ କାର୍ଯ୍ୟକ୍ରମରେ ଯୋଗଦେବା ଆରମ୍ଭ କରିଛନ୍ତି। ବିବାହ ଉତ୍ସବରେ ତାଙ୍କର ଉପସ୍ଥିତି ମଧ୍ୟ ଏହାର ଏକ ଅଂଶ ।

ରାଜନୀତି ବାହାରେ ସାକ୍ଷାତ…

ଯଦିଓ ଏହି ସାକ୍ଷାତ ସମ୍ପୂର୍ଣ୍ଣ ପାରିବାରିକ କାର୍ଯ୍ୟକ୍ରମ ସମୟରେ ହୋଇଥିଲା, ଦୁଇ ନେତାଙ୍କୁ ଏକାଠି ଦେଖିବା ସ୍ୱାଭାବିକ ଭାବରେ ରାଜନୈତିକ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ଶିବସେନା (UBT) ଏବଂ ବିଜେପି ମଧ୍ୟରେ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ, ଏପରି ସାକ୍ଷାତ ପ୍ରାୟତଃ ଶିରୋନାମା ପାଲଟିଛି ।