କୋକସରା,୧୮।୨; ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନଜାତିଙ୍କ ପରମ୍ପରା ନିଆଁରା । ଏମାନେ ମାଟିର ସନ୍ତାନ ମାଟିର ମଣିଷ। ଆଧୁନିକତାର ଛାପରେ ମଧ୍ୟ ଭୁଲି ନାହାଁନ୍ତି ତାଙ୍କ ପୂର୍ବ ପୁରୁଷର ପରମ୍ପରା ଓ ଚଳଣି । ଦେବାଦେବୀଙ୍କ ପ୍ରତି ଅତୁଟ ବିଶ୍ଵାସ।
କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ସାହାଜଖୋଲ ଜଙ୍ଗଲ ପାଦଦେଶରେ ରହିଛି ସାତ ଗୋଟି ପଡାକୁ ନେଇ ଖଲିଗଡ଼ ଗାଁ। ଏଠାରେ ଥିବା ମା’ ପେଣ୍ଡ୍ରାଣୀଙ୍କ ପୀଠରେ ଗତ ଶୁକ୍ରବାର ଠାରୁ ୭ ଦିନ ଧରି ଚାଲିଥିବା ଦେବାଦେବୀଙ୍କ କଚେରୀ ମଙ୍ଗଳବାର ଉଦଯାପିତ ହୋଇଯାଇଛି | ମଙ୍ଗଳବାର ସକାଳୁ ରୀତିନୀତି ଅନୁଯାୟୀ ପେଣ୍ଡ୍ରାଣୀ ମନ୍ଦିର ପୂଜକ ନାର୍ଣ୍ଣ ମାଝୀ,ଶିବ ପୁଝାରୀ କୁମ ମାଝୀ,ମା ବସ୍ତ୍ରରେନ୍ ଓ ଭୈରବ ଦେବଙ୍କ ପୂଜକ ଗବର ମାଝୀ ଦେବାଦେବୀଙ୍କୁ ଆବାହନ କରିଥିଲେ। ପରେ ଶିରାଙ୍କୁ ଦେବାଦେବୀଙ୍କ କାଲିସି ଲାଗି ହୋଇଥିଲା। ପରେ କଚେରୀରେ ଶୁଣାଣି ଆରମ୍ଭ ହୋଇଥିଲା। ଏହି କଚେରୀରେ ଶତାଧିକ ଶ୍ରଦ୍ଧାଳୁମାନେ ଦେବାଦେବୀଙ୍କ ନିକଟରେ ସେମାନଙ୍କ ଦୁଃଖ ଜଣାଇଥିଲେ। ପେଣ୍ଡ୍ରାଣୀ ମା’ ଙ୍କ କାଲିସି ଭକ୍ତ ମାନଙ୍କୁ ଚାଉଲ ବିନ୍ତି ନେଇ ଆଶୀର୍ବାଦ କରିଥିଲେ । | ଲୋକଙ୍କ ବିଶ୍ୱାସ ଅଛି ମା’ଙ୍କ ଠାରେ ମାନସିକ କଲେ ପୂରଣ ହୋଇ ଥାଏ ସମସ୍ତ ମନସ୍କାମନା। ପୀଠରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଶୁକ୍ଳ ଭୋଗରେ ମା’ଙ୍କୁ ଲିଆ,ମୁଆଁ,ନଡ଼ିଆ,କଦଳୀ, ଧୂପଦୀପ ଅର୍ପଣ କରିଥିଲେ। ଅନେକ ଭକ୍ତ ବୋଦା,କୁକୁଡ଼ା,ପାରା ବଳି ଦେଇ ଆଶିଷ ଭିକ୍ଷା କରିଥିଲେ । ନିସନ୍ତାନଙ୍କୁ ସନ୍ତାନ ସୁଖ, ରୋଗୀକୁ ରୋଗରୁ ମୁକ୍ତି ଓ ଦୁଃଖରୁ ଉଦ୍ଧାର କରୁଥିବା ନେଇ ଅଞ୍ଚଳର ଜନଜାତିଙ୍କ ମଧ୍ୟରେ ଅତୁଟ ବିଶ୍ବାସ ରହିଛି।
ଲୋକକଥା ଅନୁଯାୟୀ ୧୯୬୬ ମସିହା ଠାରୁ ଖଲିଗଡ଼ ଠାରେ ଦେବାଦେବୀଙ୍କ ପ୍ରତିମା ସ୍ଥାପନ ହୋଇ ପୂଜା ପାଇ ଆସୁଛନ୍ତି କାଳେଶ୍ଵରୀ ମହାଦେବ, ମା’ ପେଣ୍ଡ୍ରାଣୀ ଦେବୀ ଓ ଭୈରବ ଦେବ। ପୂର୍ବ ପୁରୁଷମାନେ ଜଙ୍ଗଲ ପାହାଡ଼ ଘେରା ଭିତରେ ଦେବାଦେବୀଙ୍କ ପ୍ରତି ଭକ୍ତି ଭାବନା ରଖି ଏହି ପୀଠ ସ୍ଥାପନ କରିବା ସହ ପୂଜାପାଠ କରି ଆସୁଥିଲେ। ସେମାନଙ୍କ ମୃତ୍ୟୁ ପରେ ତାଙ୍କ ବଂଶଜ ଅନୁସରଣ କରି ପୁରୁଷ,ପୁରୁଷ ଧରି ପୂଜା କାର୍ଯ୍ୟ ତୁଲାଇ ଆସୁଛନ୍ତି। ଖଲିଗଡ଼ ପୂଜା କମିଟି ପକ୍ଷରୁ କୁମ ମାଝୀ, ବନୁ ମାଝୀ, ଡମ୍ବରୁ ମାଝୀ, ଧନେଶ୍ଵର ମାଝୀ,ଶୁକଚନ ମାଝୀ,ଯୁଗଳ ମାଝୀ, ନବେ ମାଝୀ ପ୍ରମୁଖ ସମସ୍ତ ପୂଜାବିଧି ପରିଚାଳନାରେ ସହଯୋଗ କରିଥିଲେ ।