ଭୁବନେଶ୍ୱର,୧୮/୧୦: ଆଜି ଧନ୍ତେରାସ। ଏହି ଦିନକୁ ଲୋକେ ଧନଧାନ୍ୟର ଦିନ ଭାବେ ପାଳନ କରନ୍ତି । ଧନ୍ତେରାସ ପୂଜାରେ ମାଆ ଲକ୍ଷ୍ମୀଙ୍କ ଆରାଧନା କରାଯାଇଥାଏ। ଏହିଦିନଟିକୁ କେହି କେହି ଛୋଟ ଦିପାବଳୀ ବୋଲି ବି କହିଥାନ୍ତି। ଏହି ଦିନରେ କିଛି ନା କିଛି ବସ୍ତୁ କିଣିଲେ ମାଆ ଲକ୍ଷ୍ମୀଙ୍କୁ ଖୁସି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ଧନ୍ତେରାସ ପାଇଁ ରାଜ୍ୟରେ ଥିବା ସୋ’ରୁମ୍ଗୁଡ଼ିକ ଚଳଚଞ୍ଚଳ । ଏହି ଦିନ ସୁନା କିମ୍ବା ରୁପା ଭଳି ଧାତୁ କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ରହିଛି ବିଶ୍ୱାସ । ଏଥର ଉଭୟ ଧାତୁ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଲକ୍ଷେ ୨୧ ହଜାର ଉପରେ । ଏହା ସତ୍ତେ୍ୱ ଚଳିତ ବର୍ଷ ଧନ୍ତେରାସ୍ରେ ଭଲ ବେପାର ଆଶା ରଖିଛନ୍ତି ବ୍ୟବସାୟୀ । ଉଚ୍ଚ ଦର ଯୋଗୁ ଲୋକଙ୍କୁ ଟାଣିବାକୁ ସୋ’ରୁମ୍ଗୁଡ଼ିକ ଆଣିଛନ୍ତି ଲୋଭନୀୟ ଅଫର । ଗଢ଼ା ମଜୁରିରେ ରହିଛି ଆଖିଦୃଶିଆ ରିହାତି । ଟ୍ରେଣ୍ଡ୍ରେ ହାଲୁକା ଗହଣା । କମ୍ ଓଜନରେ ଆସିଛି ଭଳିକି ଭଳି ଡିଜାଇନ୍ ।
ଲୋକେ ନିବେଶ ପାଇଁ ମଧ୍ୟ ସୁନା କିଣୁଛନ୍ତି । କଏନ୍ ଏବଂ ବାର୍ର ଚାହିଦା ବଢ଼ିଛି । କାରଣ ପୁଞ୍ଜି ବଜାରଠାରୁ ବହୁ ଗୁଣା ଅଧିକ ରିଟର୍ଣ୍ଣ ଦେଉଛି । ବର୍ଷକରେ ସବୁଠାରୁ ଅଧିକ ସୁନା ଧନ୍ତେରାସରେ ବିକ୍ରି ହୋଇଥାଏ । ବର୍ଷକୁ ବର୍ଷ ଧନ୍ତେରାସ୍ରେ ସୁନା ଅତି ମାତ୍ରାରେ ମହଙ୍ଗା ହୋଇଚାଲିଛି । ପୂର୍ବବର୍ଷ ଧନ୍ତେରାସ୍ରୁ ବର୍ତ୍ତମାନ ମଧ୍ୟରେ ନିବେଶକ ଲାଭ କରିଛନ୍ତି ମୋଟା ରିଟର୍ଣ୍ଣ । ବର୍ଷକରୁ କମ୍ ସମୟ ମଧ୍ୟରେ ସୁନା ୬୭% ମହଙ୍ଗା ହୋଇଛି ।
ଗତବର୍ଷ ଧନ୍ତେରାସ ଅର୍ଥାତ୍ ୨୦୨୪ ଅକ୍ଟୋବର ୨୯ରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଥିଲା ୭୮,୪୯୩ ଟଙ୍କା । ଆଜି ଏହା ଲକ୍ଷେ ୩୨ ହଜାର ଟଙ୍କା ଉପରେ । ଉକ୍ତ ଦୃଷ୍ଟିରୁ ଦରକୁ ଖାତିର ନ କରି ଲୋକେ ଏଥିରେ ନିବେଶ କରୁଛନ୍ତି । ଧନ୍ତେରାସ ଅଫର୍ରେ ଗ୍ରାହକ ସୁନା କିଣି ଭଲ ରିଟର୍ଣ୍ଣ ପାଇବାକୁ ଜୋର ଦେଉଥିବା କୁହନ୍ତି ଗହଣା ବ୍ୟବସାୟୀ । ଯଦିଓ ଏଥର ବିକ୍ରି ପରିମାଣ କମିଯାଇପାରେ, ବେପାର ପୂର୍ବବର୍ଷଠାରୁ ଭଲ ରହିବ । ଲୋକେ ୫ ଗ୍ରାମ ସ୍ଥାନରେ ଦୁଇ ଗ୍ରାମରେ କାମ ଚଳାଇପାରନ୍ତି । କିନ୍ତୁ ଉଚ୍ଚ ଦର ଯୋଗୁ ବେପାର କମିବ ନାହିଁ ବୋଲି ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ ।
ଆଗକୁ ରହିଛି ବିବାହ ଋତୁ । ବର୍ତ୍ତମାନର ଦରବୃଦ୍ଧି ଟ୍ରେଣ୍ଡ୍କୁ ଦେଖିଲେ ସୁନା ଦରରେ ନିକଟ ଭବିଷ୍ୟତରେ ବଡ଼ ହ୍ରାସ ସମ୍ଭାବନା ଜଣାପଡୁନାହିଁ । ଏଣୁ ଏବେଠୁ ବିବାହ ପାଇଁ ଗହଣା କିଣିଦେଉଛନ୍ତି ଗ୍ରାହକ । ଉଚ୍ଚ ଦର ସତ୍ତେ୍ୱ ଗ୍ରାହକଙ୍କ ଉତ୍ସାହ କମିନାହିଁ । ଲୋକେ ନିବେଶ-ଗ୍ରେଡ୍ ଧାତୁ ଏବଂ ହାଲୁକା ଡିଜାଇନ୍ ଗହଣା ଉପରେ ଜୋର ଦେଉଛନ୍ତି । ଚଳିତ ବର୍ଷ ଧନ୍ତେରାସ୍ରେ ବିକ୍ରିରେ ୧୨ରୁ ୧୫% ଅଭିବୃଦ୍ଧି ଆଶା ରଖିଛନ୍ତି ରାଜ୍ୟର ବ୍ୟବସାୟୀ ।
ଲାଲ୍ଚାନ୍ଦ ଗ୍ରୁପ ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି, ଗତବର୍ଷ ଅପେକ୍ଷା ଏଥର ଧନତେରାସରେ ଆମର ସବୁ ସୋ’ରୁମର ପ୍ରଦର୍ଶନ ଭଲ ରହିବ ବୋଲି ଆଶା । ଆମ ସୋ’ରୁମରେ ସବୁଠାରୁ କମ୍ ମେକିଂ ଚାର୍ଜ ଏବଂ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଥିବାରୁ ଗ୍ରାହକଙ୍କ ଆଗମନ ବେଶ୍ ଉତ୍ସାହଜନକ ରହିଛି । ଗହଣା ବିକ୍ରି ଟ୍ରେଣ୍ଡ୍କୁ ଦେଖିଲେ, ସୁନା ମୂଲ୍ୟ ବୃଦ୍ଧି ହେତୁ ଏଥର ହାଲୁକା ଗହଣାର ଚାହିଦା ବେଶ୍ ଅଧିକ । ଏହି ଧନତେରାସ ପାଇଁ ଆମେ ଖୁବ୍ ଯତ୍ନର ସହ ଯୋଜନା ପ୍ରସ୍ତୁତ କରିଛୁ, ଯାହା ଗୃହିଣୀଙ୍କଠାରୁ କର୍ମଜୀବୀ ମହିଳାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଗହଣା ଆବଶ୍ୟକତା ପୂରଣ କରିବ । ଆମର ବିସ୍ତୃତ କଲେକ୍ସନ ମଧ୍ୟରେ ରହିଛି ହାର, ବ୍ରେସ୍ଲେଟ, ଚେନ, ମୁଦି, କାନଫୁଲ ଆଦି । ଏଥିରେ ରହିଛି ଅନନ୍ୟ ଡିଜାଇନ । ଗ୍ରାହକଙ୍କ ଭଲ ପାଇବା ଯୋଗୁ ଦୁର୍ଗା ପୂଜାର ରେକର୍ଡ ବିକ୍ରି ହାସଲ କରିଛୁ । ଧନତେରାସ ଏବଂ ଦୀପାବଳିରେ ସେହିଭଳି ସଫଳତା ମିଳିବ ବୋଲି ଆଶା ।
ମାଲାବାର ଗୋଲ୍ଡ ଆଣ୍ଡ୍ ଡାଏମଣ୍ଡ୍ସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ପୂର୍ବ ମାସ ଅପେକ୍ଷା ଚଳିତ ମାସ ବିକ୍ରି ଭଲ ରହିଛି । ଗତ ୧୦ ଦିନ ହେବ ସୋ’ରୁମରେ ଗହଳି ଅଛି । ଏବେ ଭଲ ଅଫର ରହିଛି । ସୁନା ଦର ବଢ଼ୁଥିବାରୁ ଲୋକେ ଧନତେରାସ ସହ ବିବାହ ଲାଗି ଆଗୁଆ ଗହଣା କିଣୁଛନ୍ତି । ବିକ୍ରି ଉପରେ ଦର ବୃଦ୍ଧିର ପ୍ରଭାବ ସେଭଳି ନାହିଁ । ଧନତେରାସରେ ବେଶ ଭଲ କାରବାର ହେବ ବୋଲି ଆଶା । ଲୋକେ ହାଲୁକା ଗହଣା ଗୁଡ଼ିକ ଉପରେ ଧ୍ୟାନକେନ୍ଦ୍ରିତ କରୁଛନ୍ତି । ଆଗୁଆ ବୁକିଂ କରିଥିବା ଗ୍ରାହକଙ୍କୁ ଡେଲିଭରି ବ୍ୟବସ୍ଥା କରାଯାଇଛି । ଧନ୍ତେରାସ୍ ଦିନ ଆମ ସୋ’ରୁମ ସକାଳ ୮.୩୦ରେ ଖୋଲିବ । ଭିଡ଼ ଏଡ଼ାଇବା ଲାଗି ଅତିରିକ୍ତ କର୍ମଚାରୀ ବ୍ୟବସ୍ଥା ମଧ୍ୟ କରୁଛୁ ।
ଖିମଜୀ ଦୟାଭାଇ ଆଣ୍ଡ୍ କୋ ଗ୍ରୁପ୍ ବ୍ରାଣ୍ଡ୍ ଆର୍ଣ୍ଣିକାର ସିଇଓ ନିଶିତ ନନ୍ଦ କହିଛନ୍ତି, ଧନତେରାସରେ ସୁନା କିଣାର ପରମ୍ପରା ଢେର ପୁରୁଣା । ଦର ବଢ଼ିଲେ ମଧ୍ୟ ଏହି ଦିନ ଲୋକ ସୁନା କିଣିଥାନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଆମେ ସୋ’ରୁମରେ ସବୁ ପ୍ରକାର ପ୍ରସ୍ତୁତି କରିଛୁ । ଏ ଅବସରରେ ଗ୍ରାହକ ସୋ’ରୁମରେ ସ୍ୱତନ୍ତ୍ର ଅଫର, ବିସ୍ତୃତ କଲେକ୍ସନ ଏବଂ ସ୍ୱତନ୍ତ୍ର ଅଭିଜ୍ଞତା ପାଇବେ । ସେହିଭଳି ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ଏବେ ସୁନା ଓ ରୁପା ଦର ଲଗାତାର ବୃଦ୍ଧି ହେଉଛି । ଏହାକୁ ନଜରରେ ରଖି ନିବେଶ ଲକ୍ଷ୍ୟରେ ଗ୍ରାହକ ସୋ’ରୁମ ଆସି କିଣାକିଣି କରୁଛନ୍ତି । ଗ୍ରାହକଙ୍କ ପରିବର୍ତ୍ତିତ ଚାହିଦା ଆଧାରରେ ଆମେ ନୂଆ କଲେକ୍ସନ ଯୋଡ଼ିଛୁ । ଗ୍ରାହକଙ୍କ ଲାଗି ସୋ’ରୁମରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ପାର୍ବଣ ଏବଂ ବିବାହ ସିଜନ ଲାଗି ଲୋକେ ରୁପାର ପୂଜା ସାମଗ୍ରୀ, ବାସନ କିଣୁଛନ୍ତି । ଏହା ସହ ସବୁ ବର୍ଗରେ ଜୁଏଲାରୀ ବିକ୍ରି ମଧ୍ୟ ବେଶ୍ ଭଲ ରହିଛି । ରୁପା ବାର୍ କଏନର ଚାହିଦା ଚଳିତ ବର୍ଷ ଟ୍ରେଣ୍ଡ୍ରେ ରହିଛି । ବାର୍ ଏବଂ କଏନରେ ୨ ଗୁଣା ଚାହିଦା ନଜରକୁ ଆସିଛି । ତନିସ୍କର ସର୍କଲ ବିଜ୍ନେସ ମ୍ୟାନେଜର ଅରିନ୍ଦମ ପ୍ରମାଣିକ କହିଛନ୍ତି, ଏଥର ଧନତେରାସ ପାଇଁ ଗ୍ରାହକଙ୍କ ଲାଗି ବିଶେଷ ଏକ୍ସଚେଞ୍ଜ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହାକୁ ବେଶ୍ ଭଲ ରେସପନ୍ସ ମିଳୁଛି । ମ୍ରିଗାଙ୍କା କଲେକ୍ସନ ସହ ହାଲୁକା ଗହଣାର ବିସ୍ତୃତ ସମ୍ଭାର ମଧ୍ୟ ଗ୍ରାହକ ପାଇବେ । ଧନ୍ତେରାସ ଅଫର ସହ ସୋ’ରୁମ୍ ପ୍ରସ୍ତୁତ ରହିଛି । ଚଳିତ ବର୍ଷ ଭଲ କାରବାର ହେବ ବୋଲି ଆଶା ।