ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ସଲମାନ ଖାନ୍ ବେଲୁଚିସ୍ତାନକୁ ଏକ ଭିନ୍ନ ଦେଶ ବୋଲି ଅବିହିତ କରିଥିଲେ, ଯାହାପରେ ପାକିସ୍ତାନରେ ଜୋରଦାର ବିଶୃଙ୍ଖଳା ହୋଇଥିଲା । କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଏହି ବୟାନ ପରେ ସଲମାନ ଖାନଙ୍କୁ ପାକିସ୍ତାନ ଆତଙ୍କବାଦି ତାଲିକାରେ ସ୍ଥାନ ଦେଇଥିଲା। ଏବେ ଏହାକୁ ନେଇ ପାକିସ୍ତାନ ସରକାର ଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।

ପାକିସ୍ତାନ ସରକାରଙ୍କ ପକ୍ଷରୁ ଏକ ସ୍କ୍ରିନସଟ୍ ପୋଷ୍ଟ କରାଯାଇଛି, ଯେଉଁଥିରେ ସଲମାନ ଖାନଙ୍କୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପାଇଁ କୁହାଯାଇଥିଲା । ଏହାକୁ ଏବେ ପାକ୍ ସରକାର ମିଥ୍ୟା ବୋଲି କହିଛନ୍ତି । ପୋଷ୍ଟରେ ଏକ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧୃତ କରାଯାଇଛି, ଯେଉଁଥିରେ ଦାବି କରାଯାଇଛି ଯେ ସଲମାନ ଖାନଙ୍କୁ ବେଲୁଚିସ୍ତାନ ବିଷୟରେ ତାଙ୍କର ମନ୍ତବ୍ୟ ଯୋଗୁଁ ଆତଙ୍କବାଦ ବିରୋଧୀ ଆଇନର ଚତୁର୍ଥ ତାଲିକାରେ ରଖାଯାଇଛି। ଏହି ରିପୋର୍ଟ ସଲମାନ ଖାନଙ୍କୁ ଆତଙ୍କବାଦର ସମର୍ଥକ ଭାବରେ ବର୍ଣ୍ଣନା କରିଛି। ଏହି ଖବର ଏବେ ବିଶ୍ୱବ୍ୟାପୀ ପାକିସ୍ତାନକୁ ବଦନାମ କରିଛି।

ସୂଚନାଥାଉକି, ଏହି ମାସର ଆରମ୍ଭରେ, ବଲିଉଡ୍ ଅଭିନେତା ସଲମାନ ଖାନ ସାଉଦି ଆରବର ରିୟାଦରେ ଜୟ ଫୋରମ୍ ୨୦୨୫ ରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଶାହରୁଖ ଖାନ ଏବଂ ଅମିର ଖାନଙ୍କ ସହିତ ମଞ୍ଚ ସେୟାର କରିଥିଲେ। ମଧ୍ୟପ୍ରାଚ୍ୟରେ ଭାରତୀୟ ଫିଲ୍ମର ଲୋକପ୍ରିୟତା ବିଷୟରେ କହି ସଲମାନ ଖାନ କହିଥିଲେ, "ବର୍ତ୍ତମାନ, ଯଦି ଆପଣ ଏକ ହିନ୍ଦୀ ଫିଲ୍ମ ତିଆରି କରନ୍ତି ଏବଂ ଏହାକୁ ଏଠାରେ (ସାଉଦି ଆରବରେ) ରିଲିଜ୍ କରନ୍ତି, ତେବେ ଏହା ସୁପରହିଟ୍ ହେବ। ଯଦି ଆପଣ ଏକ ତାମିଲ, ତେଲୁଗୁ କିମ୍ବା ମାଲାୟଲମ ଫିଲ୍ମ ତିଆରି କରନ୍ତି, ତେବେ ଏହା କୋଟି କୋଟି ଟଙ୍କା ରୋଜଗାର କରିବ କାରଣ ଏଠାକୁ ଅନ୍ୟ ଦେଶରୁ ଏତେ ଲୋକ ଆସିଛନ୍ତି। ଏଠାରେ ବେଲୁଚିସ୍ତାନର ଲୋକ, ଆଫଗାନିସ୍ତାନର ଲୋକ, ପାକିସ୍ତାନର ଲୋକ... ସମସ୍ତେ ଏଠାରେ କାମ କରୁଛନ୍ତି।"